ନୂଆଦିଲ୍ଲୀ: ଅଯୋଧ୍ୟା ରାୟ ଆସିବା ପରେ ସାରା ଦେଶରୁ ବାର୍ତ୍ତା ଆସୁଛି। ଏହି ଅବସରରେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ମତ ରଖୁଛନ୍ତି। ପ୍ରମୁଖ ଦାୟିତ୍ୱରେ ଥିବା ଏବଂ ବିଭିନ୍ନ ଚର୍ଚ୍ଚିତ ରାଜନୀତିକ ବ୍ୟକ୍ତିଙ୍କ ମତକୁ ନେଇ ଏହି ଉପସ୍ଥାପନା।
ଲାଲକୃଷ୍ଣ ଆଡଭାନୀ- ମୁଁ ଏହି ରାୟକୁ ସମର୍ଥନ ଜଣାଉଛି। ସୁପ୍ରିମ୍କୋର୍ଟ ସର୍ବସମ୍ମତିକ୍ରମେ ଏହି ରାୟ ଦେଇ ଅଯୋଧ୍ୟାର ରାମ ଜନ୍ମଭୂମିରେ ପ୍ରଭୂ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପାଇଁ ପଥ ପରିଷ୍କାର କରିଛନ୍ତି।
ଭେଙ୍କୟା ନାଇଡ଼ୁ- ଏହା ଭାରତର ବିଜୟ। ୫ ଜଣିଆ ଖଣ୍ଡପୀଠ ଅଯୋଧ୍ୟା ପ୍ରସଙ୍ଗରେ ଦେଇଥିବା ଏହି ରାୟ ପରେ ଆମେ ଅତୀତକୁ ଭୁଲି ଶାନ୍ତ, ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ସମୃଦ୍ଧ ଭାରତ ଗଠନ ଦିଗରେ ଆଗେଇ ଯିବା ଦରକାର।
ଓମ୍ ବିର୍ଲା- ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ଦେଶର ନ୍ୟାୟ ବ୍ୟବସ୍ଥା ପ୍ରତି ଲୋକଙ୍କ ମଧ୍ୟରେ ବିଶ୍ୱାସକୁ ଅଧିକ ସୁଦୃଢ଼ କରିବ। ଏହି ନିର୍ଣ୍ଣୟର ସମ୍ମାନ କରିବା ଅବସରରେ ସାମାଜିକ ସଦ୍ଭାବର ଗୌରବଶାଳୀ ଭାରତୀୟ ପରମ୍ପରାକୁ ଜୀବନ୍ତ କରି ରଖିବା ଆମ ସମସ୍ତଙ୍କ ଦାୟିତ୍ୱ।
ଅମିତ ଶାହ- ମୋତେ ପୂର୍ଣ୍ଣ ବିଶ୍ୱାସ ଯେ ସୁପ୍ରିମ୍କୋର୍ଟ ଆଜି ଦେଇଥିବା ଏହି ଐତିହାସିକ ନିର୍ଣ୍ଣୟ ଭାରତର ଏକତା, ଅଖଣ୍ଡତା ଏବଂ ମହାନ ସଂସ୍କୃତିକୁ ଆହୁରି ବଳ ପ୍ରଦାନ କରିବ।
ରାହୁଲ ଗାନ୍ଧି- ସୁପ୍ରିମ୍କୋର୍ଟ ଅଯୋଧ୍ୟା ପ୍ରସଙ୍ଗରେ ରାୟ ଶୁଣାଇଛନ୍ତି। କୋର୍ଟ ଏହି ମାମଲାର ସମ୍ମାନ କରି ଆମ ସମସ୍ତଙ୍କୁ ସଦ୍ଭାବନା ବଜାୟ ରଖିବା ଉଚିତ। ଏହି ସମୟରେ ଆମେ ସମସ୍ତେ ଭାରତୀୟଙ୍କ ମଧ୍ୟରେ ବନ୍ଧୁତ୍ୱ, ବିଶ୍ୱାସ ଏବଂ ଭଲ ପାଇବା ଜାଗ୍ରତ କରିବା ଉଚିତ।
ରାଜନାଥ ସିଂହ- ଅଯୋଧ୍ୟା ବାବଦରେ ସୁପ୍ରିମ୍କୋର୍ଟଙ୍କ ରାୟ ଐତିହାସିକ। ଏହା ଭାରତର ସାମାଜିକ ସଦ୍ଭାବନାକୁ ଆହୁରି ସୁଦୃଢ଼ କରିବ। ଶାନ୍ତି ଓ ଭାଇଚାରା ବଜାୟ ରଖିବାକୁ ମୁଁ ଲୋକଙ୍କୁ ଆହ୍ୱାନ କରୁଛି।
ଯୋଗୀ ଆଦିତ୍ୟନାଥ- ଏହି ରାୟକୁ ସମସ୍ତ ଭାରତୀୟ ଏବଂ ଭାରତ ପ୍ରତି ଶ୍ରଦ୍ଧା ରଖିଥିବା ସମସ୍ତ ବିଶ୍ୱବାସୀ ସ୍ୱୀକାର କରିଛନ୍ତି। ଏଠାରେ ନକାରାତ୍ମକତାର କୌଣସି ସ୍ଥାନ ନାହିଁ। ଜାତି ଓ ଧର୍ମ ନିର୍ବିଶେଷରେ ଆମେ ୧୩୬ କୋଟି ଭାରତୀୟ ଏକ ଭାରତ ଶ୍ରେଷ୍ଠ ଭାରତର ଶକ୍ତି ପ୍ରଦର୍ଶନ କରିବା।