ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦେଶରେ ଦ୍ରୁତ ଗତିରେ ବଢ଼ୁଥିବା ବେଳେ ଆରୋଗ୍ୟ ହାର ମଧ୍ୟ ସେହି ବେଗରେ ବଢ଼ୁଛି। ଦୁଇ ଦିନ ତଳେ ଦେଶରେ କରୋନା ଆରୋଗ୍ୟ ହାର ୨୨.୧୭% ଥିବା ବେଳେ ଏବେ ଏହା ୨୫.୧୯%କୁ ବୃଦ୍ଧି ପାଇଛି।
ଗତ ୨୪ ଘଣ୍ଟାରେ ଦେଶର ବିଭିନ୍ନ ପ୍ରାନ୍ତରେ ଆଉ ୬୩୦ ଜଣ ଲୋକ କରୋନା ଯୁଦ୍ଧରେ ବିଜୟୀ ହୋଇ ଘରକୁ ଫେରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି, “ଦେଶରେ କରୋନା ଆରୋଗ୍ୟ ହାର ୨୫.୧୯% ରହିଥିବା ବେଳେ ଏଯାଏ ମୋଟ ୮୩୨୫ ଜଣ ସୁସ୍ଥ ହୋଇଛନ୍ତି।
ସେହିପରି ଦେଶର କରୋନା ମୃତ୍ୟୁହାର ୩.୨% ରହିଛି। ଦେଶରେ ଏଯାଏ ପ୍ରାଣ ହରାଇଥିବା ୧୦୭୪ ଜଣଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ବୟସ ୬୦ ବର୍ଷରୁ ଅଧିକ। ୬୦ ବର୍ଷରୁ ଅଧିକ ବୟସର ୫୧% ଲୋକ ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟାରେ ୧୭୧୮ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩,୦୫୦ରେ ପହଞ୍ଚିଛି।
ବର୍ତ୍ତମାନ ଦେଶରେ ୨୯୨ଟି ସରକାରୀ ଓ ୯୭ଟି ଘରୋଇ ଲ୍ୟାବରେ କରୋନା ପରୀକ୍ଷା କରାଯାଉଛି। ଗତ ୫ ଦିନ ହେଲା ହାରାହାରି ୪୯,୮୦୦ ଲେଖାଏ ନମୁନା ପରୀକ୍ଷା କରାଯାଇଛି। ଲକଡାଉନ ପୂର୍ବରୁ ଦେଶରେ କରୋନା ଡବଲିଂ ହାର ୩.୪ ଦିନ ଥିଲା। ହେଲେ ଏବେ ଏହା ୧୧ ଦିନକୁ ବୃଦ୍ଧି ପାଇଥିବା ସେ କହିଛନ୍ତି।