ନୂଆଦିଲ୍ଲୀ: ଜଳିଗଲା ଯାତ୍ରୀବାହି ବସ୍। ଗ୍ୟାସ ବୋଝେଇ ଟ୍ରକ ସହ ଧକ୍କା ଦେବା ପରେ ଘଟଣାସ୍ଥଳରେ ଯାତ୍ରୀବାହି ବସରେ ନିଆଁ ଲାଗିଯାଇଛି। ଫଳରେ ୫୩ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ୨୯ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ଆଜି ଭୋର ୩ଟା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।
ସୂଚନା ମୁତାବକ ମଧ୍ୟ ଆଫ୍ରିକାର କେମ୍ରୁନର ପଶ୍ଚିମ ସହର ଡଚାଙ୍ଗରେ ଏହି ଦୁର୍ଘଟଣା ଘଟିଛି । ୭୦ ସିଟ ବିଶିଷ୍ଟ ଏକ ଯାତ୍ରୀବାହୀ ବସଟି ପଶ୍ଚିମ ସହର ଫୋମ୍ବାନରୁ ରାଜଧାନୀ ୟୋଣ୍ଡାକୁ ଆସୁଥିଲା। ଏହି ସମୟରେ ସାମ୍ନା ପଟରୁ ଆସୁଥିବା ଏକ ଗ୍ୟାସ ବୋଝେଇ ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ ବସ୍ଟି ଘଟଣାସ୍ଥଳରେ ଓଲଟି ପଡିଥିଲା । ପରେ ବସ୍ରେ ନିଆଁ ଲାଗିଯାଇଥିଲା । ଫଳରେ ବସ୍ରେ ଥିବା ଯାତ୍ରୀ ଚାପି ହୋଇଥିବା ବେଳେ ଆଉ କିଛି ନିଆଁ ପୋଡି ହୋଇ ପ୍ରାଣ ହରାଇଛନ୍ତି ।
ଦୁର୍ଘଟଣା ଖବର ପାଇ ସ୍ଥାନୀୟ ଲୋକେ ଓ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ଉଦ୍ଧାର ପରେ ଦୁର୍ଘଟଣାରେ ମୋଟ ୫୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୯ଜଣ ଗୁରୁତର ଆହତ ହୋଇଥିବା ସ୍ଥାନୀୟ ପୁଲିସ ସୂଚନା ଦେଇଛି। ସେପଟେ ଖରାପ ରାସ୍ତା ଏବଂ ବେପରୁଆ ଗାଡି ଚାଳକଙ୍କ ପାଇଁ ଏଭଳି ଦୁର୍ଘଟଣା ଘଟିଥିବା ପ୍ରଶାସନ କହିଛି।