ନୂଆଦିଲ୍ଲୀ: କରୋନା ବିରୋଧରେ ଲଢୁଥିବା କୋଭିଡ୍-ଯୋଦ୍ଧାଙ୍କ ମୃତ୍ୟୁ ହେଲେ ସେମାନଙ୍କ ପରିବାରକୁ କୋଟିଏ ଟଙ୍କାର କ୍ଷତିପୂରଣ ମିଳିବ। ଦିଲ୍ଲୀରେ କରୋନା ସ୍ଥିତିର ସମୀକ୍ଷା ପରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ନିକଟରେ କେନ୍ଦ୍ର ସରକାର ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ-ଯୋଦ୍ଧା ଭାବେ ନାମିତ କରିଥିଲେ। ଏଥିସହ ସେମାନଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ବୀମା କରିଥିଲେ।
ଆଜି କେଜ୍ରିୱାଲ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା କରୁଥିବା ସ୍ୱାସ୍ଥକର୍ମୀଙ୍କୁ ପ୍ରଶଂସା କରିବା ସହ ସେମାନେ ସୈନିକଙ୍କଠାରୁ ବି କୌଣସି ଗୁଣରେ କମ୍ ନୁହନ୍ତି ବୋଲି କହିଛନ୍ତି। ସେ କହିଛନ୍ତି, ଯଦି ଦୁର୍ଭାଗ୍ୟଜନକ ସ୍ଥିତିରେ କୌଣସି ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହୁଏ ତେବେ ସେମାନଙ୍କ ପରିବାରକୁ କୋଟିଏ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ।
ଅନ୍ୟପକ୍ଷରେ ଆଜି ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଦୁଇ ଜଣ ଡାକ୍ତର କରୋନା ସଂକ୍ରମିତ ହୋଇଥିବା ଖବର ମିଳିଛି। ଏହାପରେ ପୂରା ହସ୍ପିଟାଲକୁ ସାନିଟାଇଜି କରାଯାଇଛି। ଡାକ୍ତରଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା ଯୋଗାଇ ଦିଆଯାଇଛି। ସେମାନଙ୍କ ପାଖକୁ ଆସିଥିବା ରୋଗୀଙ୍କୁ ମଧ୍ୟ ଚିହ୍ନଟ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି।
ସେହିପରି ଦିଲ୍ଲୀରେ ହୋମ୍ କ୍ୱାରେଣ୍ଟାଇନରେ ରହୁଥିବା ସବୁ ଲୋକଙ୍କ ଫୋନ୍ ଟ୍ରାକିଂ ପାଇଁ ଦିଲ୍ଲୀ ପୁଲିସ୍କୁ କେଜ୍ରିଓ୍ୱାଲ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ପୁଲିସକୁ ୨୫ ହଜାର ଫୋନ ନମ୍ବର ହସ୍ତାନ୍ତର କରାଯାଇ ସାରିଛି।
ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସଭାରେ ଭାଗ ନେଇ ବିଭିନ୍ନ ରାଜ୍ୟ ବୁଲିଥିବା ବିଦେଶୀ ନାଗରିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଲାଗି ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଏମାନେ ସମସ୍ତ ଭିସା ନିୟମ ଉଲ୍ଲଂଘନ କରିଥିବା ଦର୍ଶାଯାଇଛି। କରୋନା ମୁକାବିଲା ନେଇ ଆଜି ଭିଡିଓ କନଫରେନ୍ସିଂରେ କେନ୍ଦ୍ର କ୍ୟାବିନେଟ୍ ସଚିବ ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କ ସହ କରିଥିବା ଆଲୋଚନା ସମୟରେ ଲକଡାନକୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।