ନୂଆଦିଲ୍ଲୀ: ଦେଶର ଅର୍ଥନୀତିକ ସ୍ଥିତିକୁ ନେଇ ବିଭିନ୍ନ ମଡଲରୁ ସମାଲୋଚନା କରାଯିବା ପରେ ଶେଷରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ମଧ୍ୟ ମୁହଁ ଖୋଲିଛି। ତେବେ ସମସ୍ତେ କେବଳ ସମସ୍ୟା ଓ ସମାଲୋଚନାରେ ସୀମିତ ରହୁଥିବାବେଳେ କେନ୍ଦ୍ରରେ କ୍ଷମତାସୀନ ବିଜେପିର ବୈଚାରିକ ଆଦର୍ଶ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ସମାଧାନର ପନ୍ଥା ନେଇ ମଧ୍ୟ ପରାମର୍ଶ ଦିଆଯାଇଛି। ଆରଏସ୍ଏସ୍ ପକ୍ଷରୁ କୁହାଯାଇଛି ଗ୍ରାମୀଣ କ୍ଷେତ୍ରରେ ନିବେଶ ସଙ୍କୁଚିତ ହୋଇଛି। ତେଣୁ ଆଗାମୀ ଦିନରେ ନରେନ୍ଦ୍ର ମୋଦିଙ୍କ ସରକାର ଏହି ସବୁ ଅଞ୍ଚଳରେ ଅଧିକ ନିବେଶ କରିବାକୁ ପରାମର୍ଶ ଦିଆଯାଇଛି। ଯଦି ଏହା ସରକାର ମାନିନିଅନ୍ତି ଆଗାମୀ ବଜେଟ୍ରେ ଏହାର ପ୍ରତିଫଳନ ଦେଖିବାକୁ ମିଳିବ।
ଆରଏସ୍ଏସ୍ ବର୍ତ୍ତମାନ ପରାମର୍ଶ ଦେଇଛି, ଗ୍ରାମୀଣ କ୍ଷେତ୍ରରେ ନିବେଶ କୃଷି କ୍ଷେତ୍ରରେ ସୁଧାର ଆଣିବା ସହ ସେମାନଙ୍କ କ୍ରୟଶକ୍ତି ମଧ୍ୟ ବଢ଼ାଇବ। ସଂଘ ବିଚାର ସହ ଜଡ଼ିତ ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଅଶ୍ୱିନୀ ମହାଜନ କହିଛନ୍ତି, “ଆମେ ସବୁବେଳେ ଗ୍ରାମୀଣ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟିକୁ ଗୁରୁତ୍ୱ ଦେଇଆସିଛୁ। ଯେମଁମାନେ ଆତ୍ମନିଯୁକ୍ତିକୁ ବାଛୁଛନ୍ତି ସେମାନଙ୍କ ପାଇଁ ବିଶେଷ ସୁବିଧା ହେବା ଦରକାର।” ବିଭିନ୍ନ ସମୟରେ ନିର୍ବାଚନ ଜିତିବା ପାଇଁ ସରକାର ଋଣ ଛାଡ଼ କରିବା ଭଳି ଥୋପ ପକାଯାଉଥିବାବେଳେ ସଂଘ ଏହା ବିରୋଧରେ ମତ ଦେଇଛି।
ଗ୍ରାମାଞ୍ଚଳର କୃଷକମାନେ ସହରକୁ ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଆଗ୍ରହ ଦେଖାଉଛନ୍ତି। କିନ୍ତୁ ସେ କ୍ଷେତ୍ରରେ ମଧ୍ୟ କାମ ନାହିଁ। ଏସବୁକୁ ଲକ୍ଷ୍ୟ କରି ଗ୍ରାମୀଣ ଲୋକଙ୍କୁ ଗାଁରେ ହିଁ ରଖିବାର ବ୍ୟବସ୍ଥା କରାଯାଉ ବୋଲି ସଂଘ ପକ୍ଷରୁ କୁହାଯାଇଛି।