ସିଓଲ: ଦକ୍ଷିଣ କୋରିଆ କରୋନାକୁ ନିୟନ୍ତ୍ରଣ କରିବାରେ ଏକ ପ୍ରକାର ସଫଳ ହୋଇଛି। ଶନିବାର ଦକ୍ଷିଣ କୋରିଆରେ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକି ଦୁଇ ମାସ ମଧ୍ୟରେ ସର୍ବନିମ୍ନ। ଏହି ୨୦ ଆକ୍ରାନ୍ତଙ୍କୁ ମିଶାଇ ଦକ୍ଷିଣ କୋରିଆରେ ମୋଟ୍ ୧୦,୬୫୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୨୩୨ ଜଣଙ୍କର ମୃତ୍ୟୁ ଘଟିଛି। ଏ ନେଇ କୋରିଆ ସେଣ୍ଟର ଫର୍ ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ପକ୍ଷରୁ ସୂଚନା ମିଳିଛି। ତେବେ ଗତ ୫ ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ୩୦ ପାଖାପାଖି ଥିଲା।
ଚାଇନା ଓ ଅନ୍ୟାନ୍ୟ ଦେଶ ଭଳି ଦକ୍ଷିଣ କୋରିଆରେ ମଧ୍ୟ କରୋନା ବ୍ୟାପକ ବିସ୍ତାର କରିଥିଲା। ଫେବୃଆରୀ ୨୯ରେ ଗୋଟିଏ ଦିନରେ ୯୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ହେଲେ ରାପିଡ୍ ଟେଷ୍ଟ, ସ୍ୱାସ୍ଥ୍ୟ ପରୀକ୍ଷା ଓ ଏକାନ୍ତବାସ ବ୍ୟବସ୍ଥା କରାଇ ଦକ୍ଷିଣ କୋରିଆ ସରକାର କରୋନାକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛନ୍ତି।