ଥିରୁଭନନ୍ତପୁରମ:କାର୍ତ୍ତିକ ମାସର ଆଥଜୁ ପୂଜା ଅବସରରେ କେରଳ ସାବରିମାଲାର ସ୍ୱାମୀ ଆୟପ୍ପା ମନ୍ଦିର ଖୋଲାଯାଇଛି। ଆଜି ସକାଳେ ପାରମ୍ପରିକ ରୀତିନୀତିରେ ସାଢ଼େ ୫ଟାରେ ଦ୍ୱାର ଫିଟାଯାଇଥିଲା। ଆସନ୍ତା କାଲି ରାତି ୧୦ଟାରେ ଶେଷ ପୂଜା ସହ ମନ୍ଦିର ବନ୍ଦ ହେବ। ତେଣୁ ଅଳ୍ପ ସମୟର ଯୋଗ ଥିବାରୁ ସ୍ୱାମୀ ଆୟପ୍ପାଙ୍କ ଦର୍ଶନ ଓ ପୂଜା କରିବା ଲାଗି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିଛି ।ଶ୍ରଦ୍ଧାଲୁଙ୍କ ଭିଡ଼କୁ ନଜରରେ ରଖି ଧାଡ଼ି ଦର୍ଶନ ସହ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରିଛି ଦେବସ୍ୱାମୀ ବୋର୍ଡ଼।
ସେପଟେ ମହିଳାଙ୍କ ପ୍ରବେଶ ଅନୁମତିକୁ ବିରୋଧ କରି ମନ୍ଦିର ପାଖରେ ଗତମାସ ବିକ୍ଷୋଭ ହୋଇଥିବାରୁ ଏଥର କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମନ୍ଦିର ପ୍ରବେଶ ରାସ୍ତାରେ ୫୦ ବର୍ଷରୁ ଅଧିକ ବୟସର ମହିଳା ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି।
ପାହାଡ଼ ତଳେ ନିଲାକଲରୁ ମନ୍ଦିର ଯାଏ ୨୩୦୦ ପୁଲିସ ଓ ୨୦ କମାଣ୍ଡୋବାହିନୀ ମୁତୟନ କରାଯାଇଛି। ମନ୍ଦିର ଆଖପାଖ ଅଞ୍ଚଳରେ ୧୪୪ ଧାରା ବଳବତ୍ତର ରହିଛି। ସବୁ ବୟସର ମହିଳା ମନ୍ଦିରରେ ପ୍ରବେଶକୁ ନେଇ ଥିବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ କରାଯାଉଛି। ଗତମାସରେ ହୋଇଥିବା ହିଂସାକାଣ୍ଡ ମାମଲାରେ ଏବେ ସୁଦ୍ଧା ୩ ହଜାର ୭ ଶହ ଲୋକ ଗିରଫ ହେବା ସହ ୫୪୫ଟି ମାମଲା ଦାଏର ହୋଇଛି।