ନୂଆଦିଲ୍ଲୀ: ବଢିବ ବିଚାରପତିଙ୍କ ଦରମା। ମୋଟା ଅଙ୍କର ଦରମା ପାଇବେ ବିଚାରପତି। ସୁପ୍ରିମକୋର୍ଟ ଏବଂ ଦେଶରେ ଥିବା ୨୪ଟି ହାଇକୋର୍ଟର ବିଚାରପତିଙ୍କ ଦରମା ବୃଦ୍ଧି ହେବ। ବର୍ତ୍ତମାନ ଦରମାର ଦୁଇଗୁଣ ପାଇବେ ବିଚାରପତି। ଏନେଇ ଗୁରୁବାର ଏ ସମ୍ପର୍କିତ ଏକ୍ ବିଲ ଲୋକସଭାରେ ପାରିତ ହୋଇଛି। ଯଦି ଏହି ବିଲ ରାଜ୍ୟ ସଭାରେ ପାରିତ ହୁଏ ତେବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଦରମା ମାସିକ ୧ ଲକ୍ଷରୁ ୨.୮୦ ଲକ୍ଷ ଟଙ୍କା ହୋଇଯିବ। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଦରମା ଏବେ ମାସିକ ୧ ଲକ୍ଷ ଟଙ୍କା ରହିଛି। ସେହିପରି ସୁପ୍ରିମକୋର୍ଟର ଅନ୍ୟ ବିଚାରପତି ଏବଂ ହାଇକୋର୍ଟର ବିଚାପତିଙ୍କ ଦରମା ୯୦,୦୦୦ ଟଙ୍କାରୁ ୨.୫୦ ଲକ୍ଷ ଟଙ୍କା ହେବ। ଏହି ସୁବିଧା ଅବସରପ୍ରାପ୍ତ ବିଚାପତି ମଧ୍ୟ ପାଇବେ।
ଆଜି ରାଜ୍ୟ ସଭାର ଚଳିତ ଶୀତ ଅଧିବେଶନ କାର୍ଯ୍ୟକାଳର ଶେଷ ଦିନ ରହିଛି। ଯଦି ଏହି ବିଲ ରାଜ୍ୟ ସଭାରେ ପାରିତ ହୋଇ ନ ପାରିଲା ତେବେ ଆସନ୍ତା ଜାନୁୟାରୀ ୩୦ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। କାରଣ ଜାନୁୟାରୀ ୩୦ରୁ ବଜେଟ୍ ଅଧିବେଶନ ଆରମ୍ଭ ହେବ। କେନ୍ଦ୍ର ସରକାରଙ୍କ ଅଧିନସ୍ଥ କର୍ମଚାରୀ ପାଇଁ ୨୦୧୬ ଜାନୁୟାରୀ ୧ରୁ ସପ୍ତମବେତନ ଲାଗୁ ହେବା ପରେ ବିଚାରପତି ଦରମା ବୃଦ୍ଧି ନେଇ ବିଚାର କରାଯାଇଥିଲା। ତେଣୁ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ବିଚାରପତିଙ୍କ ଲାଗି ଉର୍ଦ୍ଦିଷ୍ଟ ଦରମା ଏବଂ ଚାକିରି ପାଇଁ ଥିବା ସର୍ତ୍ତ ବିଲର ସଂଶୋଧନ ପାଇଁ ବିଚାର କରାଯାଇଥିଲା।
ଆଉ ପ୍ରାଥମିକ ପର୍ଯ୍ୟାୟରେ ଏହି ବିଲ ଲୋକସଭାରେ ପାରିତ ହୋଇଛି। ଉଲ୍ଲେଖନୀୟ ଯେ, ୨୦୧୬ରେ ତତ୍କାଳୀନ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଟିଏସ ଠାକୁର କେନ୍ଦ୍ର ସରକାରଙ୍କୁ ଚଠି ଲେଖି ପ୍ରଶ୍ନ କରିଥିଲେ। ପଚାରିଥିଲେ 'କେନ୍ଦ୍ର ସରକାର କ’ଣ ବିଚାରପତି ମାନଙ୍କ ଦରମା ବୃଦ୍ଧି କରିବା ପାଇଁ ଭୁଲିଗଲେ କି ? କୋର୍ଟ କହିଥିଲେ ଯେ, ସପ୍ତମ ବେତନ କମିଶନ ଲାଗୁ ହେବା ପରେ ସରକାରୀ ବିଚାରପତି ମାନଙ୍କର ଦରମା ସରକାରୀ ଚାକିରିଆ ମାନଙ୍କ ଠାରୁ ମଧ୍ୟ କମ ହୋଇଯାଇଛି । ସର୍ବୋଚ୍ଚ ନାୟ୍ୟାଳୟର କର୍ମଚାରୀ ଓ ଅଧିକାରୀ ମାନଙ୍କ ପକ୍ଷରୁ ଦାୟର କରାଯାଇଥିବା ଏକ ପିଟିସନର ଶୁଣାଣୀ କରି କୋର୍ଟ କେନ୍ଦ୍ର ସରକାରଙ୍କୁ ଏହି ପ୍ରଶ୍ନ କରିଥିଲେ ।