ଗାନ୍ଧୀ ପରିବାର ବିରୋଧରେ ବିଦ୍ରୋହର ସ୍ୱର!
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସ ମୂଳପୋଛ ହେବା ପରେ ଦିଲ୍ଲୀ କଂଗ୍ରେସ ନେତା ପରାଜୟର କାରଣ ଭିନ୍ନ ଭିନ୍ନ ଦେଉଛନ୍ତି। ହେଲେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ୱର୍ଗତ ଶୀଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ ଦୀକ୍ଷିତ ଗାନ୍ଧୀ ପରିବାର ବିରୋଧରେ ମୁହଁ ଖୋଲିଛନ୍ତି। ଏକ ଜାତୀୟ ଇଂରାଜୀ ଖବରକାଗଜକୁ ସାକ୍ଷାତକାର ଦେଇ ସନ୍ଦୀପ ଦୀକ୍ଷିତ ନିଜ ଦଳର ନେତୃତ୍ୱକୁ ସମାଲୋଚନା କରିଛନ୍ତି। ଗାନ୍ଧୀ ପରିବାର ବିରୋଧରେ ସନ୍ଦୀପ ମୁହଁ ଖୋଲିବା ପରେ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଶଶୀ ଥରୁର ମଧ୍ୟ ସନ୍ଦୀପଙ୍କୁ ସମର୍ଥନ କରିଛନ୍ତି।
ସନ୍ଦୀପ ଦୀକ୍ଷିତ କହିଛନ୍ତି, କଂଗ୍ରେସ ଏଯାବତ ନୂଆ ଅଧ୍ୟକ୍ଷ ବାଛି ପାରିନାହିଁ। କାରଣ ସମସ୍ତେ ଡରୁଛନ୍ତି ଯେ, ବିଲେଇ ବେକରେ କିଏ ଘଣ୍ଟି ବାନ୍ଧିବ। ଅର୍ଥାତ୍ ଦଳର ଅଧ୍ୟକ୍ଷ ଗାନ୍ଧୀ ପରିବାର ବାହାରୁ ହେବା ଦରକାର ବୋଲି କୌଣସି କଂଗ୍ରେସ ନେତା ସତ ସାହାସ କରି କହି ପାରୁନାହାନ୍ତି। କଂଗ୍ରେସ ପାଖରେ ନେତାର ଅଭାବ ନାହିଁ। ଏବେ ବି ଦଳରେ ୬-୮ ନେତା ରହିଛନ୍ତି ଯେଉଁମାନେ ଦଳର ଅଧ୍ୟକ୍ଷ ହୋଇ ଆଗକୁ ନେଇପାରିବେ। ହେଲେ ବରିଷ୍ଠ ନେତା ମାନଙ୍କର କହିବାକୁ ଇଚ୍ଛା ଥିଲେ ମଧ୍ୟ ନକହି ନିଜ ନିଷ୍କ୍ରିୟତାକୁ ପ୍ରମାଣ ଦେଉଛନ୍ତି।
What @SandeepDikshit said openly is what dozens of party leaders from across the country are saying privately, incl many w/ responsible positions in the Party. I renew my appeal toCWC to hold leadership elections to energise workers&inspire voters. https://t.co/cotzJsRZnm
— Shashi Tharoor (@ShashiTharoor) February 20, 2020
ସନ୍ଦୀପଙ୍କ ଏଭଳି ମନ୍ତବ୍ୟକୁ ନେଇ ଶଶୀ ଥରୁର ମଧ୍ୟ ଟୁଇଟ୍ କରି ପ୍ରତିକ୍ରିୟା ରଖିଛନ୍ତି। କଂଗ୍ରେସ ନେତୃତ୍ୱ ବିରୋଧରେ ଅସନ୍ତୋଷ ଚରମ ସୀମାରେ ରହିଛି। ସନ୍ଦୀପ ଦୀକ୍ଷିତ ଯାହା କହିଛନ୍ତି, ସାରା ଦେଶର କିଛି କଂଗ୍ରେସ ନେତା ମାନେ ମଧ୍ୟ ସମାନ ଚିନ୍ତା କରୁଛନ୍ତି। ଏହି ନେତାଙ୍କ ମଧ୍ୟରୁ କିଛି ଦଳୀୟ ପଦ ପଦବୀରେ ମଧ୍ୟ ରହିଛନ୍ତି। କଂଗ୍ରେସ କାର୍ଯ୍ୟକାରିଣୀ କମିଟିକୁ ଆହ୍ୱାନ କରି ଶଶୀ ଥରୁର କହିଛନ୍ତି, ଦଳୀୟ କର୍ମୀଙ୍କ ଜୋସ ବଢ଼ାଇବା ପାଇଁ ଦଳୀୟ ନେତୃତ୍ୱ ପାଇଁ ନିର୍ବାଚନ କରାଇବା ଦରକାର।
ଅମରିନ୍ଦର ସିଂହ, ଅଶୋକ ଗେହଲଟ, କମଲନାଥ ଭଲି ନେତା ଏକାଠି ଆସିବା ସହିତ ଅନ୍ୟ ନେତାଙ୍କୁ ମଧ୍ୟ ଏକାଠି କରିବା ପାଇଁ ଆହ୍ୱାନ କରିଛନ୍ତି ସନ୍ଦୀପ ଦୀକ୍ଷିତ। ଏକେ ଆଣ୍ଟୋନି, ଚିଦାମ୍ୱରମ, ସଲମାନ ଖୁର୍ସିଦ, ଅହମଦ ପଟେଲ କଂଗ୍ରେସ ପାଇଁ ଏହି ନେତାଙ୍କ ଅବଦାନ ବହୁତ ଅଧିକ। ଏବେ ଏହି ସବୁ ନେତା ରାଜନୀତିରୁ ଅବସର ନେବେ। ହେଲେ ଆହୁରି ୪-୫ ବର୍ଷ ଏମାନଙ୍କ ହାତରେ ସମୟ ରହିଛି। ଏବେ ସମୟ ଆସିଯାଇଛି ଏହି ସବୁ ନେତା ଏକାଠି ହୋଇ କେନ୍ଦ୍ର ଏବଂ ରାଜ୍ୟରେ କଂଗ୍ରେସ ନେତୃତ୍ୱକୁ ପରିବର୍ତ୍ତନ କରି ନୂଆ ବାର୍ତ୍ତା ଦେବାକୁ।
ଅନ୍ୟପଟେ ମହାରାଷ୍ଟ୍ରର କଂଗ୍ରେସ ନେତା ସଞ୍ଜୟ ନିରୁପମ ପ୍ରତିକ୍ରିୟା ରଖିଛନ୍ତି, ରାହୁଲ ଗାନ୍ଧି ହିଁ ଏକମାତ୍ର ବ୍ୟକ୍ତି ଯିଏ କି କଂଗ୍ରେସକୁ ବଞ୍ଚାଇ ପାରିବେ। ରାହୁଲ ଗାନ୍ଧି ବ୍ୟତୀତ ଅନ୍ୟ ନେତା ଗୋଷ୍ଠୀରେ ବିଶ୍ୱାସ କରନ୍ତି ବୋଲି ନିରୂପମ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।