ସଂସଦର ମୌସୁମୀ ଅଧିବେଶନରେ ଆସି ନପାରେ ଜମି ଅଧିଗ୍ରହଣ ବିଲ୍, ଆଉ ଥରେ ଜାରି ହୋଇପାରେ ଅଧ୍ୟାଦେଶ

ନୂଆଦିଲ୍ଲୀ: ମଙ୍ଗଳବାରଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ। ଏହି ଅଧିବେଶନରେ  କେନ୍ଦ୍ର ସରକାର ଆବଶ୍ୟକ ପଡିଲେ ଦୁଇ ଗୃହର ଯୁଗ୍ମ ଅଧିବେଶନ ଡକାଇ ଜମି ଅଧିଗ୍ରହଣ ବିଲ ପାରିତ କରିବେ ବୋଲି ପୂର୍ବରୁ କୁହାଯାଉଥିଲା। କିନ୍ତୁ ଏହି ଅଧିବେଶନରେ ସରକାର ଆଦୌ ଜମି ଅଧିଗ୍ରହଣ ବିଲକୁ ଗୃହରେ ଆଗତ କରି ନ ପାରନ୍ତି ବୋଲି ସଦ୍ୟ ସୂଚନା ମିଳିଛି। କାରଣ ଜମି ଅଧିଗ୍ରହଣ ବିଲକୁ ନେଇ ବିଜେପି ସାଂସଦ ଏସ.ଏସ ଆହଲୁୱାଲିଆଙ୍କ ଅଧ୍ୟକ୍ଷତାରେ ଗଠିତ କିମିଟି […]

_PARLIAMEN_

Rakesh Mallick
  • Published: Sunday, 19 July 2015
  • , Updated: 19 July 2015, 03:47 PM IST

ନୂଆଦିଲ୍ଲୀ: ମଙ୍ଗଳବାରଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ। ଏହି ଅଧିବେଶନରେ  କେନ୍ଦ୍ର ସରକାର ଆବଶ୍ୟକ ପଡିଲେ ଦୁଇ ଗୃହର ଯୁଗ୍ମ ଅଧିବେଶନ ଡକାଇ ଜମି ଅଧିଗ୍ରହଣ ବିଲ ପାରିତ କରିବେ ବୋଲି ପୂର୍ବରୁ କୁହାଯାଉଥିଲା। କିନ୍ତୁ ଏହି ଅଧିବେଶନରେ ସରକାର ଆଦୌ ଜମି ଅଧିଗ୍ରହଣ ବିଲକୁ ଗୃହରେ ଆଗତ କରି ନ ପାରନ୍ତି ବୋଲି ସଦ୍ୟ ସୂଚନା ମିଳିଛି। କାରଣ ଜମି ଅଧିଗ୍ରହଣ ବିଲକୁ ନେଇ ବିଜେପି ସାଂସଦ ଏସ.ଏସ ଆହଲୁୱାଲିଆଙ୍କ ଅଧ୍ୟକ୍ଷତାରେ ଗଠିତ କିମିଟି ରିପୋର୍ଟ ଦାଖଲ କରିବା ପାଇଁ ଆହୁରି ଦୁଇସପ୍ତାହ ସମୟ ମାଗିଛନ୍ତି। ଅଥାର୍ତ ଅଗଷ୍ଟ ୩ ପର୍ଯ୍ୟନ୍ତ କମିଟି ସମୟ ମାଗିଛି। ଏଣୁ ମୌସୁମୀ ଅଧିବେଶନ ମଧ୍ୟରେ  କମିଟି ରିପୋର୍ଟ ଦାଖଲ କରିପାରିବା ଭଳିଆ ମନେ ହେଉନାହିଁ। ଏଭଳି ସ୍ଥିତିରେ ସରକାରଙ୍କୁ ଜମି ଅଧିଗ୍ରହଣ ନେଇ ପୁଣି ଥରେ ଅଧ୍ୟାଦେଶ ଜାରି କରିବାକୁ  ପଡିବ। ଆଉ ଏହା ହେବ ଜମି ଅଧିଗ୍ରହଣ ନେଇ ସରକାରଙ୍କର ଚତୁର୍ଥ ଅଧ୍ୟାଦେଶ।

ଆଉ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ  ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମୋଦି ସରକାର କୁଆଡେ  ଜମି ଅଧିଗ୍ରହଣ ବିଲକୁ ସଂସଦରେ ପାରିତ କରିବାକୁ ଚାହୁଁନାହାନ୍ତି। ବିହାର ବିଧାନସଭା ନିର୍ବାଚନ ଅକ୍ଟୋବର ଓ ନଭେମ୍ୱର ମାସରେ ଏକାଧିକ ପର୍ଯ୍ୟାୟରେ ହେବାର ସମ୍ଭାବନା ରହିଥିବାବେଳେ ସରକାର ଶୀତ ଅଧିବେଶନରେ  ଜମି ଅଧିଗ୍ରହଣ ବିଲକୁ ସଂସଦରେ ଆଗତ କରିବା ଲକ୍ଷ୍ୟରେ ଅଛନ୍ତି। ସେହିପରି ଜମି ଅଧିଗ୍ରହଣନେଇ ଆଉ ଥରେ ଅଧ୍ୟାଦେଶ ଜାରି କରିବା କୌଣସି ପ୍ରକାର ଅଯୌକ୍ତିକ ନୁହେଁ ବୋଲି ସରକାର ଯୁକ୍ତି ବାଢ଼ୁଛନ୍ତି। ସରକାରଙ୍କର ଯୁକ୍ତି ହେଲା ପୂର୍ବରୁ ୧୫ରୁ ଅଧିକ ଅଧ୍ୟାଦେଶ ୨ରୁ ଅଧିକ ଥର  ଜାରି ହୋଇଛି। ଗତ ମେ’ ୩୧ ତାରିଖରେ ସରକାର ତୃତୀୟ ଥର ପାଇଁ ଜମି ଅଧିଗ୍ରହଣ ନେଇ ଅଧ୍ୟାଦେଶ ଜାରି କରିଥିଲେ।

ସଂସଦର ଗତ ଅଧିବେଶନରେ କିଛି ସଂଶୋଧନ ସହିତ ଜମି ଅଧିଗ୍ରହଣ ବିଲ୍ ଲୋକସଭାରେ ପାରିତ ହୋଇଯାଇଥିଲା। କିନ୍ତୁ ରାଜ୍ୟସଭାରେ ଏହା ପାରିତ ହୋଇନପାରିବାର ସମ୍ଭାବନା ଅଧିକ ରହିବାରୁ ସରକାର ସେଠାରେ ଏହାକୁ ଆଗତ କରି ନଥିଲେ। ଆଉ ଏକ ଯୁଗ୍ମ ସଂସଦୀୟ କମିଟି ଗଠନ କରିଥିଲେ ଓ ଏହି ବିଲ ଉପରେ ବିଚାର ରଖିବାକୁ କହିଥିଲେ।

ସୂଚନାଯୋଗ୍ୟ, ଏକ ଅଧ୍ୟାଦେଶର ଅବଧି ହେଉଛି ୬ ମାସ । ଏହି ୬ ମାସ ମଧ୍ୟରେ  ଅଧ୍ୟାଦେଶଟିକୁ ସରକାର ବିଲ ଆକାରେ ସଂସଦରେ ପାରିତ କରିବାକୁ ପଡେ। ନହେଲେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପୁଣି ଥରେ ଅଧ୍ୟାଦେଶ ଜାରି କରିବାକୁ ହୋଇଥାଏ।

Related story