ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଯଦିଓ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି। ହେଲେ ଦେଶର ସବୁଠୁ ବଡ଼ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ହୋମ୍ ଲୋନ ଓ ଅଟୋ ଲୋନ ସୁଧ ହାର କମାଇଛି। ସମସ୍ତ ଲୋନ୍ ମାଚ୍ୟୁରିଟିର ଅବଧି ପରିମାଣରୁ ୦.୦୫ ପ୍ରତିଶତ କମ୍ କରିଛି ଏସବିଆଇ। ଏହି ନିୟମ ପରେ ବର୍ଷିକିଆ ଲୋନର ଏମସିଏଲଆର ୭.୮୫ ପ୍ରତିଶତ ହୋଇଛି। ଚଳିତ ଆର୍ଥିକ ବର୍ଷରେ ଏସବିଆଇ ୯ ଥର ପାଇଁ ଋଣ ହାର ହ୍ରାସ କରିଛି। ଏହି ନିୟମ କିନ୍ତୁ ୧୦ ଫେବୃଆରୀରୁ ଲାଗୁ ହେବ।
ଏହାବାଦ୍ ଏସବିଆଇ ଫିକ୍ସଡ ଡିପୋଜିଟ୍ (ଏଫଡି)ର ସୁଧ ହାର କମ୍ କରିଛି। ଏସବିଆଇ ୭ ଦିନରୁ ୪୫ ଦିନ ମଧ୍ୟରେ ହେଉଥିବା ମାଚ୍ୟୁରିଟିକୁ ଛାଡ଼ି ଅନ୍ୟ ସମସ୍ତ ଏଫଡିରେ ସୁଧ ହାର ହ୍ରାସ କରିଛି। ଏବେ ୪୬ ଦିନରୁ ୧୭୯ ଦିନ ମଧ୍ୟରେ ହେଉଥିବା ଏଫଡି ଉପରେ ୫ ପ୍ରତିଶତ ସୁଧ ମିଳିବ।
ସେହିଭଳି ୧୮୦ ଦିନରୁ ୨୧୦ ଦିନ ଏବଂ ୨୧୧ ଦିନରୁ ବର୍ଷେ ମଧ୍ୟରେ ହେଉଥିବା ଏଫଡି ଉପରେ ସୁଧ ହାର ୫.୫୦ ସୁଧ ରହିବ। ତେବେ ବର୍ଷକରୁ ୧୦ ବର୍ଷ ମଧ୍ୟରେ ଏଫଡି ୦.୧୦ ପ୍ରତିଶତ ସୁଧ ହାର ହ୍ରାସ କରିଛନ୍ତି। ଏବେ ଗ୍ରାହକଙ୍କୁ ଏହି ଏଫଡି ପ୍ଲାନରେ ୬ ପ୍ରତିଶତ ସୁଧ ମିଳିବ।