ନୂଆଦିଲ୍ଲୀ: ଜଳ ସଂରକ୍ଷଣ ଅଭିଯାନରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି। ଏହାରି ଭିତରେ ଦେଶରେ ଜଳର ସ୍ଥିତିକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଯେଉଁଥିରେ ଜଲଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ୧୦ ବର୍ଷ ତଳେ ଦେଶରେ ପାଖାପାଖି ୧୫ ହଜାର ନଦୀ ଥିଲା। ଏହାରି ଭିତରେ ୩୦ ପ୍ରତିଶତ ନଦୀ ଅର୍ଥାତ୍ ପାଖାପାଖି ସାଢେ ୪ ହଜାର ନଦୀ ଶୁଖିଯାଇଥିବା ଏକ ସର୍ଭେରୁ ଜଣାପଡ଼ିଥିବା ମନ୍ତ୍ରୀ କହିଛନ୍ତି। ତେବେଏହି ନଦୀ ଗୁଡ଼ିକରେ ବର୍ଷା ଦିନରେ ପାଣି ରହିଥାଏ।
ଦେଶରେ ଜଳପୁରୁଷ ଭାବରେ ପରିଚିତ ଜଲଶକ୍ତି ମନ୍ତ୍ରୀଙ୍କ ଏକ ଟିମ୍ କିଛି ବର୍ଷ ପୂର୍ବରୁ ସାରା ଦେଶରେ ଏକ ସର୍ଭେ କରିଥିଲା। ଯେଉଁଥିରେ ଦେଶ ସ୍ୱାଧୀନ ହେବା ପରେ ଦେଶରେ ୨୦ ଲକ୍ଷରୁ ଅଧିକ ପୋଖରୀ,କୁଅ ଓ ଛୋଟ ଜଳାଶୟ ଆଜି ଶୁଖି ଯାଇଛି। ସ୍ୱାଧୀନ ହେବା ପରେ ଦେଶରେ ୬ ଲକ୍ଷ ଗାଁ ରହିଥିଲା। ପ୍ରତି ଗ୍ରାମରେ ନଦୀ ଏବଂ ପୋଖରୀ ମିଶି ୫ଟି ଜଳ ଉତ୍ସ ଥିଲା। ଅର୍ଥାତ୍ ସାରା ଦେଶରେ ମୋଟ୍ ୩୦ ଲକ୍ଷ ନଦୀ ଓ ଜଳାଶୟ ଆଦି ଥିଲା।
ଏବେ ଦେଶରେ ଭୂତଳ ଜଳ ସ୍ତର ପ୍ରତିବର୍ଷ ୩ ମିଟର ଲେଖାଏ ଖସୁଛି। ଜଲ ମନ୍ତ୍ରଣାଳୟର ତାଜା ରିପୋର୍ଟ ଅନୁଯାୟୀ ମଧ୍ୟପ୍ରଦେଶ, ରାଜସ୍ଥାନ ଏହଂ ଗୁଜରାଟରେ ଭୂତଳ ଜଳସ୍ତର ୪୦ ମିଟରରୁ କମ୍ ହୋଇଗଲାଣି।
ସେହିପରି ନିକଟରେ ନୀତି ଆୟୋଗ ମଧ୍ୟ ଦେଶରେ ଜଳ ସଂରକ୍ଷଣ ନେଇ ରିପୋର୍ଟ ପ୍ରକାଶ କରିଥିଲା। ଯେଉଁଥିରେ ୪୦ ପ୍ରତିଶତ ଲୋକଙ୍କ ପାଖରେ ପାଣି ପାଇବା କଷ୍ଟକର ହୋଇଯିବ ବୋଲି ପୂର୍ବାନୁମାନ କରାଯାଇଥିଲା।
ଏବେ ଦେଶରେ ୭୬ ପ୍ରତିଶତ ପାଣି ଚାଷରେ, ୭ ପ୍ରତିଶତ ପାଣି ଶିଳ୍ପରେ, ୧୧ ପ୍ରତିଶତ ପାଣି ଘରମାନଙ୍କରେ ଏବଂ ୬ ପ୍ରତିଶତ ପାଣି ଅନ୍ୟାନ୍ୟ କାମରେ ବ୍ୟବହାର ହେଉଛି ବୋଲି ଓ୍ୱାଟର କ୍ୱାଲିଟି ଇଣ୍ଡେକ୍ସ ସୂଚନା ଦେଇଛି। ସେହିପରି ୭୦ ପ୍ରତିଶତ ପାଣି ଦୂଷିତ ବୋଲି ଜଣାପଡ଼ିଛି।
ସେହିପରି ବର୍ଷାଜଳ ସଂରକ୍ଷଣ କ୍ଷେତ୍ରରେ ଆମେରିକା ଶୀର୍ଷରେ ରହିଛି। ସେହି ତାଲିକାରେ ଆମେରିକା ପରେ ଅଷ୍ଟ୍ରେଲିଆ, ଚାଇନା, ସ୍ପେନ, ଭାରତ ଏବଂ ଛଅ ନମ୍ୱର ସ୍ଥାନରେ ପାକିସ୍ତାନ ରହିଛି।