ଏବେ ସାରା ଦେଶରେ ଚାଲିଛି ସ୍ୱଚ୍ଛ ଭାରତ ଅଭିଯାନ। କିନ୍ତୁ ମହାରାଷ୍ଟ୍ରରେ ଏକ ଭିନ୍ନ ଅନ୍ଦାଜରେ ଚାଲିଛି ଏହି ଅଭିଯାନ। ଏଠାରେ ସ୍କୁଲ ପିଲାମାନେ, ଖୋଲାରେ ଶୌଚ କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡ ଦେଉଥିବା ଦେଖିବାକୁ ମିଳିଛି। ଘଟଣାଟି ହେଲା, ସ୍ବଚ୍ଛ ଭାରତ ଅଭିଯାନକୁ ଟିକେ କଡ଼ାକଡ଼ି କରି ଏଠାକାର ଲୋକମାନେ ଆମମ୍ଭ କରିଛନ୍ତି- ଅଭିଯାନ-୯୦। ଏହାର ଉଦ୍ଦେଶ୍ୟ ହେଉଛି ୯୦ ଦିନ ମଧ୍ୟରେ ଗାଁକୁ ଖୋଲାରେ ଶୌଚମୁକ୍ତ କରିବା। ଏଥିପାଇଁ ଜିଲ୍ଲା ପରିଷଦ ତରଫରୁ ବିଦ୍ୟାର୍ଥୀ ଅଦାଲତ ଆରମ୍ଭ କରିବାକୁ ନିର୍ଦ୍ଦେଶ ନିଆଯାଇଛି।
ଖୋଲାରେ ଶୋଚ କରୁଥିବା କିଛି ଲୋକଙ୍କୁ ଏଠାକାର ସ୍କୁଲ୍ ପିଲାଏ ଦଣ୍ଡ ମଧ୍ୟ ଦେଲେଣି। ଉଦାହରଣ ସ୍ବରୂପ, ବିଠଲ ଭଡକେ ନାମକ ଜଣେ ବ୍ୟକ୍ତିଙ୍କୁ ବିଦ୍ୟାର୍ଥୀ ଅଦାଲତ କଡ଼ା ଦଣ୍ଡ ଦେଇଛି। କୌତୁହଳର ବିଷୟ ହେଲା, ତାଙ୍କୁ ଦଣ୍ଡ ଦେଇଥିଲେ ସ୍କୁଲରେ ପଢୁଥିବା ତାଙ୍କ ନିଜ ନାତୁଣୀ। ତାଙ୍କ ନାତୁଣୀ ଏହି ବିଦ୍ୟାର୍ଥୀ ଅଦାଲତରେ ଜଜ୍ ହୋଇଥିଲେ। ତେଣୁ ସେ ନିଜ ଜେଜଙ୍କୁ ପୁରା ଗାଁରେ ଝାଡୁ ମାରିବାକୁ ଦଣ୍ଡ ଦେଇଛନ୍ତି। ବିଠଲ କହିଛନ୍ତି, ମୋ ନାତୁଣୀ ମତେ ଦଣ୍ଡ ଦେଲାପରେ ସତରେ ମତେ ଟିକେ ଅପମାନ ଲାଗିଛି। ଏଣିକି ମୁଁ ସୁଧୁରି ଯିବି।
ଏବେ ପର୍ଯ୍ୟନ୍ତ ଏ ଅଂଚଳର ଭବାନିବାଡି, ପାଡୋଲି, ୱାରେବଡଗାଓଁ, ଭୋଗଲଗାଓଁରେ ବିଦ୍ୟାର୍ଥୀ ଅଦାଲତ ଆରମ୍ଭ ହୋଇସାରିଛି। ଏହା ଫଳପ୍ରଦ ମଧ୍ୟ ହେଉଛି। ବର୍ତମାନ ସୁଦ୍ଧା ମାତ୍ର ୨୦ ଦିନ ମଧ୍ୟରେ ୨୩ ଟି ଗାଁ ଖୋଲାରେ ଶୌଚମୁକ୍ତ ହୋଇ ସାରିଲାଣି। ଏଥିସହ ଖୋଲାରେ ଶୌଚ କରିଥିବା ୪୦୬ ଜଣ ବ୍ୟକ୍ତିଙ୍କଠାରୁ ୮୧ ହଜାର ୨୦୦ ଟଙ୍କାର ଜୋରିମାନା ଆଦାୟ କରା ସରିଲାଣି। ଏହାବ୍ୟତିତ ୫୬ ଜଣଙ୍କୁ ଗାଁ, ମନ୍ଦିର ଓ ସ୍କୁଲରେ ଝାଡୁ କରିବାକୁ ଦଣ୍ଡ ଦିଆ ସରିଛି। ସେହିପରି ନିଜ ପିଲାଙ୍କ ଆଗରେ ଲଜ୍ଜିତ ହେବା ଡରରେ ୩୫୦ ଜଣ ବ୍ୟକ୍ତି ନିଜ ଘରେ ଶୌଚାଳୟ ତିଆରି କରିବାକୁ ରାଜି ହୋଇଛନ୍ତି।