ଜମ୍ମୁ-କଶ୍ମୀରରେ ଖୋଲିଲା ସ୍କୁଲ: ଶିକ୍ଷକ ଆସିଲେ, ଆସିଲେନି ବହୁ ଶିକ୍ଷାର୍ଥୀ

ଶ୍ରୀନଗର: ଦୀର୍ଘ ୧୫ ଦିନ ପରେ ଆଜି ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ଥିବା ପ୍ରାଥମିକ ସ୍କୁଲ ଖୋଲିଛି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମଥର ପାଇଁ ପ୍ରାଥମିକ ସ୍କୁଲ ଖୋଲିଥିବାରୁ ଛାତ୍ରଛାତ୍ରୀଙ୍କ ଭିଡ଼ ଦେଖିବାକୁ ମିଳିବ ବୋଲି ସମସ୍ତେ ଆଶା କରିଥିଲେ। ତେବେ କିଛି ସ୍କୁଲକୁ ଛାଡ଼ି ଦେଲେ ପ୍ରାୟ ଅଧିକାଂଶ ସ୍କୁଲରେ ବହୁସଂଖ୍ୟକ ଛାତ୍ରଛାତ୍ରୀମାନେ ଅନୁପସ୍ଥିତ ରହିଥିଲେ। ସୁରକ୍ଷା ଦୃଷ୍ଟିରୁ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ସ୍କୁଲ ଛାଡ଼ି ନାହାନ୍ତି ବୋଲି ଅନୁମାନ କରାଯାଉଛି। ଆଜି […]

vf

Hemant Lenka
  • Published: Monday, 19 August 2019
  • , Updated: 19 August 2019, 09:45 PM IST

ଶ୍ରୀନଗର: ଦୀର୍ଘ ୧୫ ଦିନ ପରେ ଆଜି ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ଥିବା ପ୍ରାଥମିକ ସ୍କୁଲ ଖୋଲିଛି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମଥର ପାଇଁ ପ୍ରାଥମିକ ସ୍କୁଲ ଖୋଲିଥିବାରୁ ଛାତ୍ରଛାତ୍ରୀଙ୍କ ଭିଡ଼ ଦେଖିବାକୁ ମିଳିବ ବୋଲି ସମସ୍ତେ ଆଶା କରିଥିଲେ। ତେବେ କିଛି ସ୍କୁଲକୁ ଛାଡ଼ି ଦେଲେ ପ୍ରାୟ ଅଧିକାଂଶ ସ୍କୁଲରେ ବହୁସଂଖ୍ୟକ ଛାତ୍ରଛାତ୍ରୀମାନେ ଅନୁପସ୍ଥିତ ରହିଥିଲେ। ସୁରକ୍ଷା ଦୃଷ୍ଟିରୁ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ସ୍କୁଲ ଛାଡ଼ି ନାହାନ୍ତି ବୋଲି ଅନୁମାନ କରାଯାଉଛି।

ଆଜି ସ୍କୁଲ ଖୋଲିଥିବାରୁ ପାଠ ପଢ଼ାଇବା ପାଇଁ ଶିକ୍ଷକମାନେ ଆସିଥିଲେ। ସେମାନଙ୍କୁ ସହଯୋଗ କରିବାକୁ କର୍ମଚାରୀମାନେ ମଧ୍ୟ ସକାଳୁ ସକାଳୁ ସ୍କୁଲରେ ହାଜର ହୋଇଥିଲେ। କିନ୍ତୁ ସବୁ ସ୍କୁଲରେ ଶିକ୍ଷାର୍ଥୀଙ୍କ ଉପସ୍ଥାନ କମ ରହିଥିଲା। ସରକାରଙ୍କ ପକ୍ଷରୁ ଆଜି ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିପାଇଁ ଅଗଷ୍ଟ ୫ରୁ ଜମ୍ମୁ-କଶ୍ମୀରରେ ଲାଗୁ ହୋଇଥିବା କଟକଣାକୁ କୋହଳ କରାଯାଇଥିଲା। ଆଜି ଜମ୍ମୁ-କଶ୍ମୀରର ସରକାରୀ କାର୍ଯ୍ୟାଳୟ ମଧ୍ୟ ଖୋଲିଥିଲା।

ଶ୍ରୀନଗରର ଡେପୁଟି କମିଶନର ଶାହିଦ ଇକବାଲ କହିଛନ୍ତି, “ଶ୍ରୀନଗରର ୯୦୦ଟି ପ୍ରାଥମିକ ସ୍କୁଲରୁ ଆଜି ୧୯୬ଟି ଖୋଲା ଯାଇଥିଲା। ଆମେ ସୁରକ୍ଷା ବ୍ୟବସ୍ଥାକୁ ତର୍ଜମା କରିବା ପରେ କିଛି ସ୍ଥାନରେ ସ୍କୁଲ ଖୋଲିଛୁ। ପିଲାମାନଙ୍କ ବାପା ମା’ମାନେ ସେମାନଙ୍କ ପିଲାମାନଙ୍କୁ ସ୍କୁଲ ଛାଡ଼ନ୍ତୁ। ପିଲାଙ୍କ ସୁରକ୍ଷା ଆମର ଦାୟିତ୍ୱ।”

ଆଜି ସକାଳୁ କିଛି ସ୍କୁଲ ଖୋଲିଥିବା ବେଳେ ଅପରାହ୍ଣରେ ପିଲା ନ ଆସିବାରୁ ଏହାକୁ ବନ୍ଦ କରି ଦିଆଯାଇଥିଲା। ତେବେ ସ୍କୁଲ ଖୋଲିବା କ୍ଷଣି ଶିକ୍ଷକ ଏବଂ କର୍ମଚାରୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହିଥିଲେ। ଅନ୍ୟପକ୍ଷରେ ଆଜି ସମସ୍ତ ସରକାରୀ ପ୍ରାଥମିକ ସ୍କୁଲ ଖୋଲିଥିଲେ ହେଁ ଉପତ୍ୟକାରେ ଥିବା ସମସ୍ତ ଘରୋଇ ସ୍କୁଲ ଗୁଡ଼ିକ ବନ୍ଦ ରହିଥିଲା। ଜମ୍ମୁ-କଶ୍ମୀରରେ ସ୍ଥିତି ସ୍ୱାଭାବିକ ନ ଥିବାରୁ ଅଭିଭାବକମାନେ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଉଚିତ ମଣିନାହାନ୍ତି। ପିଟିଆଇ ସୂତ୍ର ଅନୁଯାୟୀ, ଆଜି ବେମିନାରେ ଥିବା ପୁଲିସ୍‌ ପବ୍ଲିକ ସ୍କୁଲ ଓ ସରକାରଙ୍କ ଦ୍ୱାରା ପରିଚାଳିତ କିଛି ହାତ ଗଣତି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିଥିଲା। ହେଲେ ଏଠାରେ ମଧ୍ୟ ଅଧିକାଂଶ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ବୁଧବାର ଠାରୁ ଜମ୍ମୁ-କଶ୍ମୀରରେ ଥିବା ସମସ୍ତ ମିଡିଲ୍‌ ଲେଭେଲ ସ୍କୁଲ ଖୋଲିବ। ସେହିପରି ୨ରୁ ୩ ଦିନ ମଧ୍ୟରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ କଲେଜ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ। ଏବେ ବି ଜମ୍ମୁ-କଶ୍ମୀରରେ କଟକଣା ବଳବତ୍ତର ରହିଛି। ଶନିବାର କିଛି ସ୍ଥାନରେ ଇଣ୍ଟରନେଟ୍‌ ସେବା ଆରମ୍ଭ ହୋଇଥିଲେ ହେଁ ଏହାର ଅପବ୍ୟବହାର ହେବାରୁ ଗତକାଲି ଏହାକୁ ବନ୍ଦ କରିଦିଆଯାଇଛି। ତେବେ କିଛି ସ୍ଥାନରେ ଲ୍ୟାଣ୍ଡଲାଇନ ସେବା କାର୍ଯ୍ୟକ୍ଷମ ରହିଛି। ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବା ପରେ ପ୍ରଶାସନ ପକ୍ଷରୁ ଜମ୍ମୁ-କଶ୍ମୀରବାସୀଙ୍କୁ କେବଳ ଇନ୍‌କମିଂ କଲ୍‌ର ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଅର୍ଥାତ କଶ୍ମୀରବାସୀ କେବଳ ଫୋନ୍‌ ରିସିଭ କରିବେ, ହେଲେ ନିଜ ଆଡୁ କାହାକୁ ଫୋନ କରିପାରିବେ ନାହିଁ।

ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ କଶ୍ମୀରର ବିଭିନ୍ନ ରାଜନେତାଙ୍କୁ ଅଗଷ୍ଟ ୫ରୁ ଅଟକ ରଖାଯାଇଥିବାରୁ ସେମାନଙ୍କୁ ଖଲାସ କରିବା ପାଇଁ ଦାବି ତେଜିବାରେ ଲାଗିଛି। ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଜଣାପଡ଼ିଛି।

Related story