ନୂଆଦିଲ୍ଲୀ: କରୋନା ଲକଡାଉନ ଯୋଗୁ ବନ୍ଦ ରହିଥିବା ସ୍କୁଲଗୁଡ଼ିକୁ କେନ୍ଦ୍ର ସରକାର ଜୋନ ଅନୁସାରେ ଖୋଲିବାକୁ ଯୋଜନା କରୁଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ସରକାର ଗ୍ରୀନ ଓ ଅରେଞ୍ଜ ଜୋନରେ ସ୍କୁଲ ଖୋଲିବେ। ତେବେ ୮ମ ଯାଏ କ୍ଲାସ ଗୁଡ଼ିକ ଏବେ ଅନୁମତି ମିଳିବ ନାହିଁ।
ଛୋଟ ପିଲା କରୋନା ଲକଡାଉନ ପାଳନ କରିବାକୁ ଠିକ ଭାବେ ସକ୍ଷମ ନଥିବାରୁ ସେମାନଙ୍କୁ ଘରେ ରହି ପୂର୍ବଭଳି ପାଠ ପଢ଼ିବାକୁ ପଡ଼ିବ। ଜୁଲାଇ ମାସରୁ ହିଁ ସ୍କୁଲ ଖୋଲିବାକୁ ସରକାର ଯୋଜନା କରୁଛନ୍ତି। ସ୍କୁଲ ଖୋଲିବା ବେଳେ କ’ଣ ସବୁ ଗାଇଡଲାଇନ ରହିବ, ସେ ସମ୍ପର୍କରେ ବିଜ୍ଞପ୍ତି ଚଳିତ ସପ୍ତାହରେ ହିଁ ପ୍ରକାଶ କରିବାକୁ ସରକାର ଯୋଜନା କରିଛନ୍ତି।
ସୂଚନା ଅନୁଯାୟୀ, ମାର୍ଚ୍ଚ ୧୬ରୁ ସମଗ୍ର ଦେଶରେ ସ୍କୁଲଗୁଡ଼ିକ ବନ୍ଦ ରହିଛି। ଦୀର୍ଘ ୨ ମାସ ହେଲାଣି ପାଠପଢ଼ାରେ ତାଲା ପଡ଼ିଛି। ତେଣୁ ସରକାର ଜୁଲାଇ ମାସରୁ ସ୍କୁଲଗୁଡ଼ିକ ଖୋଲିବାକୁ ଯୋଜନା କରୁଛନ୍ତି। ସ୍କୁଲ ଖୋଲିଲେ ମଧ୍ୟ ୩୦% ଉପସ୍ଥାନରେ କ୍ଲାସ ହେବ।
ସେହିପରି ଦୁଇଟି ସିଫ୍ଟରେ ସ୍କୁଲ ଖୋଲିବାକୁ ମଧ୍ୟ ସରକାର ଯୋଜନା କରୁଛନ୍ତି। ସ୍କୁଲ ଖୋଲିବା ପୂର୍ବରୁ କରୋନା ଗାଇଡଲାଇନ ସମ୍ପର୍କରେ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ତାଲିମ ଦିଆଯିବ। ସେହିପରି ସକାଳ ପ୍ରାର୍ଥନା ବି ସ୍କୁଲରେ ହେବନାହିଁ।
ଏହାର କିଛି ଦିନ ପୂର୍ବରୁ ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ସ୍କୁଲ ଓ କଲେଜ ଖୋଲିବା ପୂର୍ବରୁ ଏହି ସବୁ ଗାଇଡଲାଇନ ପାଳନ କରିବାର ସଙ୍କେତ ଦେଇଥିଲେ।