ନୂଆଦିଲ୍ଲୀ: ସୃଷ୍ଟିରେ ସବୁଠାରୁ ବଡ଼ ରହସ୍ୟ କୁହାଯାଉଥିବା ବ୍ଲାକ୍ ହୋଲ୍ ବା କୃଷ୍ଣ ଗର୍ତ୍ତର ପ୍ରଥମ ଫଟୋ ବା ସ୍ଥିରଚିତ୍ର ଉଠାଇବାରେ ବୈଜ୍ଞାନିକମାନେ ସଫଳ ହୋଇଛନ୍ତି। ଆମ ଗ୍ରହ ପୃଥିବୀଠାରୁ ୩୪ ମିଲିୟନ୍ ଆଲୋକବର୍ଷ ଦୂର ସର୍ବବୃହତ ଗାଲାକ୍ସି ମେସିଅର୍ ୮୭ର କେନ୍ଦ୍ରସ୍ଥଳରେ ବ୍ଲାକ୍ହୋଲ୍ଟି ଥିବା ଜଣାପଡ଼ିଛି। ୧୦ଟି ରେଡିଓ ଟେଲିସ୍କୋପ୍ର ସମାହାରରେ ଗଠିତ ଇଭେଣ୍ଟ ହରାଇଜନ ଟେଲିସ୍କୋପ୍ ନେଟ୍ୱର୍କ ଏହି ଫଟୋ ଉଠାଇପାରିଛି।
ଫଟୋରୁ ସ୍ପଷ୍ଟ ଜଣାପଡ଼ୁଛି, ଏକ ବ୍ଲାକ୍ ହୋଲ୍ ଚାରିପଟେ ଆଲୁଅ ଏବଂ ଅନ୍ଧାରର ବଳୟ ଘେରି ରହିଛି। ଏହି ପରିସୀମାକୁ ‘ଇଭେଣ୍ଟ ହରାଇଜନ୍’ ମଧ୍ୟ କୁହାଯାଏ। ଏଠାରେ ମାଧ୍ୟାକର୍ଷଣ ଶକ୍ତି ଏତେ ତୀବ୍ର ଯେ, ତା ମଧ୍ୟକୁ ଯେ କୌଣସି ପଦାର୍ଥ ଏପରିକି ଆଲୋକ ଓ ଶବ୍ଦ ମଧ୍ୟକୁ ଥରେ ଗଲେ ଆଉ ଫେରେ ନାହିଁ। ଏହା ଠିକ୍ କଳା ରଙ୍ଗ ପରି, ସବୁ ରଙ୍ଗକୁ ବିଯୁକ୍ତ କଲେ ଯେପରି କଳା ହୋଇଯାଏ, ଠିକ୍ ସେହିପରି ଏକ ବସ୍ତୁ ନିଜ ମଧ୍ୟରେ ସଂକୁଚିତ ହେଲେ ଏହା ବ୍ଲାକ୍ ହୋଲ୍ର ରୂପ ନିଏ। ଯେକୌଣସି ବସ୍ତୁକୁ ଏହା ନିଜ ଭିତରେ ଲୀନ କରିଦେଇପାରେ।
ଏହି ପର୍ଯ୍ୟବେକ୍ଷଣ ପାଇଁ ବୈଜ୍ଞାନିକମାନେ ଖରାପ ପାଗ ସତ୍ତ୍ୱେ ଅମ୍ଲଯାନ ନେଇ ୩ ମାଇଲ୍ ଉଚ୍ଚ ଏକ ପାହାଡ଼ରେ ଏହି ପରୀକ୍ଷା କରାଇଥିଲେ। ଏଥିରୁ ସଂଗ୍ରହ କରାଯାଇଥିବା ପ୍ରଚୁର ପରିମାଣର ତଥ୍ୟକୁ ସୁପରକମ୍ପ୍ୟୁଟର ଜରିଆରେ ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷାରେ ଆମ ଗାଲାକ୍ସି ଆକାଶ ଗଙ୍ଗାରେ ଥିବା ବ୍ଲାକ୍ ହୋଲ୍ ଏବଂ ଏମ୍-୮୭ ଗାଲାକ୍ସିର ବ୍ଲାକ୍ ହୋଲ୍କୁ ନିରୀକ୍ଷଣ କରାଯାଇଥିଲା।