ନୂଆଦିଲ୍ଲୀ:ଗତ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। ମାତ୍ର ୫୨ଟି ଆସନରେ ଅଟକିଯାଇଛି ଦେଶର ସର୍ବ ପୁରାତନ ଦଳ। ପରାଜୟ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜକୁ ଦାୟୀ କରି ଇସ୍ତଫା ଦେଇଛନ୍ତି, ହେଲେ ତାହା ଏଯାଏ ଗୃହୀତ ହୋଇନାହିଁ। ଏହାରି ଭିତରେ କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ ଓ ବିରପ୍ପା ମୋଇଲି ପରାଜୟ ପାଇଁ କଂଗ୍ରେସ ନେତୃତ୍ୱକୁ ପରୋକ୍ଷରେ ଦାୟୀ କରିଛନ୍ତି। ଦଳରେ ଗୋଟିଏ ପଟେ ନୂଆ ଅଧ୍ୟକ୍ଷ ଖୋଜା ଚାଲିଛି, ଅନ୍ୟପଟେ ପରାଜୟର ସମୀକ୍ଷା ଚାଲିଛି। ଏପରି ସ୍ଥିତିରେ ସଲମାନ ଓ ବିରପ୍ପାଙ୍କ ମନ୍ତବ୍ୟ କଂଗ୍ରେସ ନେତୃତ୍ୱ ଉପରେ ପ୍ରଶ୍ୱବାଚୀ ସୃଷ୍ଟି କରିଛି।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସିଦ କହିଛନ୍ତି, ଲୋକସଭା ନିର୍ବାଚନରେ ମୋଦିଙ୍କ ହାଓ୍ୱା ଏତେ ଥିଲା ଯେ ଅନେକ ଦଳର ଚିହ୍ନ ବର୍ଣ୍ଣ ରହିଲା ନାହିଁ। ମୋଦି ସୁନାମିରେ ଅନେକ କ୍ଷୟକ୍ଷତି ହୋଇଛି ହେଲେ ସେ ନିଜେ ଜୀବିତ ଅଛନ୍ତି, ଲୋକମାନଙ୍କ ସହ କଥାବାର୍ତ୍ତା କରିପାରୁଛନ୍ତି। ଭୋଟରଙ୍କୁ ଧନ୍ୟବାଦ ଦେବାକୁ ଉତ୍ତରପ୍ରଦେଶର ଫରୁଖାବାଦ ଲୋକସଭା ଆସନ କ୍ଷେତ୍ରକୁ ଆସିଥିବା ବେଳେ ସଲମାନ ଖୁର୍ସିଦ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି। ସୂଚନାଯୋଗ୍ୟ ଖୁର୍ସିଦ ଫାରୁଖାବାଦରୁ ୨୦୦୯ରେ ସାଂସଦ ହୋଇଥିଲେ। ଏହାପରେ ୨୦୧୪ ଓ ୨୦୧୯ ନିର୍ବାଚନରେ ପରାଜୟ ବରଣ କରିଛନ୍ତି।
ଖୁର୍ସିଦଙ୍କ ଏହି ମନ୍ତବ୍ୟର ଜବାବ ଆଜି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ମୁଖତାର ଆବାସ ନକଭୀ। ସେ କହିଛନ୍ତି ଏହା ବିକାଶର ସୁନାମି। କଂଗ୍ରେସ ଦେଶରେ ଯେଉଁ ନକାରାତ୍ମକ ରାଜନୀତି କରୁଥିଲା, ତା'ର ଜବାବ ଏଥର ଦେଶବାସୀ ଭଲ ଭାବରେ ଦେଇଛନ୍ତି ବୋଲି ନକଭୀ କହିଛନ୍ତି।
ସେହିପରି ଶନିବାର ଦିନ ବରିଷ୍ଠ କଂଗ୍ରେସ ନେତା ବିରପ୍ପା ମୋଇଲି କଂଗ୍ରେସର ପରାଜୟ ପାଇଁ କର୍ଣ୍ଣାଟକାରେ ଜେଡିଏସ ସହ ମେଣ୍ଟକୁ ଦାୟୀ କରିଛନ୍ତି। ଯଦି କଂଗ୍ରେସ କର୍ଣ୍ଣାଟକାରେ ଏକାକୀ ନିର୍ବାଚନ ଲଢ଼ିଥାନ୍ତା, ତାହେଲେ ୧୫ରୁ ୧୬ ଆସନ ଜିତିଥାନ୍ତା ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ କର୍ଣ୍ଣାଟକାର ଚିକ୍କବଲ୍ଲପୁର ଲୋକସଭା ଆସନରୁ ବିରପ୍ପା ମୋଇଲି ଚଳିତଥର ହାରିଛନ୍ତି। ବିଜେପି ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ବି.ଏନ ବଚ୍ଚେ ଗୌଡା ମୋଇଲିଙ୍କୁ ପରାସ୍ତ କରିଛନ୍ତି। ଜେଡିଏସ କଂଗ୍ରେସ ସହ ମେଣ୍ଟ କରିଥିଲେ ମଧ୍ୟ ନିର୍ବାଚନ ବେଳେ ସହଯୋଗ କରିନଥିବା ମୋଇଲି ଗଣମାଧ୍ୟମକୁ କହିଛନ୍ତି।
କର୍ଣ୍ଣାଟକାରେ ମୋଟ ୨୮ ଲୋକସଭା ଆସନରୁ ବିଜେପି ୨୫ଟି, କଂଗ୍ରେସ ଓ ଜେଡିଏସ ଗୋଟିଏ ଲେଖାଏ ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି, ଯିଏକି ବିଜେପିକୁ ସମର୍ଥନ କରୁଛନ୍ତି। ୨୦୧୪ରେ କିନ୍ତୁ ବିନା ମେଣ୍ଟରେ କଂଗ୍ରେସ କର୍ଣ୍ଣାଟକାରେ ୯ଟି, ଜେଡିଏସ ୨ଟି ଆସନ ଜିତିଥିବା ବେଳେ ବିଜେପି ୧୭ଟି ଆସନରେ ବିଜୟୀ ହୋଇଥିଲା।