ନୂଆଦିଲ୍ଲୀ: ରାତିର ଅନ୍ଧାରରେ ବୁଲୁଥିଲା। ହାତରେ ଥିଲା ଏକ ଲୁହା ରଡ। ଯିଏ ହାବୁଡ଼ରେ ପଡିଲା ନେଇଗଲା ଜୀବନ। ଏପରି ଏକ ସିରିୟଲ କିଲିଂ ଘଟଣା ଘଟିଛି ଦିଲ୍ଲୀରେ। ଘଟଣା ଜଣାପଡିବା ପରେ ଦିଲ୍ଲୀରେ ଆତଙ୍କ ଖେଳିଯାଇଛି। ଜଣେ ସାଇକୋ କିଲର ସୋମବାର ବିଳମ୍ବିତ ରାତିରେ ନେଇ ଯାଇଛି ୬ ଜଣଙ୍କ ଜୀବନ। ଗୋଟିଏ ପରେ ଗୋଟିଏ ୬ଟି ଶବ ଉଦ୍ଧାର କରିବା ପରେ ପୋଲିସ୍ ମଧ୍ୟ ତତ୍ପର ହୋଇଉଠିଥିଲା। ସମସ୍ତଙ୍କୁ ରାତି ୨ରୁ ୪ଟା ମଧ୍ୟରେ ହତ୍ୟା କରାଯାଇଛି। ବହୁ ଖୋଜାଖୋଜି ପରେ ଅଭିଯୁକ୍ତକୁ ଗିରଫ କରି ନେଇଛି ପୋଲିସ୍।
କୁହାଯାଉଛି ପାଲୱାର ଅଞ୍ଚଳରେ ଅଭିଯୁକ୍ତ ନରେଶ ଏକ ମେଡିକାଲରୁ ଆରମ୍ଭ କରିଥିଲା ରକ୍ତର ଖେଳ। ମେଡିକାଲରେ ଏକ ମହିଳା ବନିଥିଲେ ନରେଶର ପ୍ରଥମ ଶିକାର। ମହିଳାଙ୍କୁ ହତ୍ୟା କରିବା ପରେ ନରେଶ ଏକ ପାଇଖାନାରେ ଲୁଚି ଯାଇଥିଲା। ପରେ କୌଶଳ କ୍ରମେ ହଜି ଯାଇଥିଲା ରାତିର ଅନ୍ଧାରରେ। ଏହା ପରେ ପୁଣି ଆରମ୍ଭ କରିଥିଲା ମୃତ୍ୟୁର ତାଣ୍ଡବ। ପରେ ମୀନାର ଗେଟ୍, ମୋତି କଲୋନୀ ଓ ରସୁଲପୁର ରୋଡରେ ଜଣଙ୍କ ପରେ ଜଣେ କରି ୫ ଜଣଙ୍କୁ ଲୁହା ରଡରେ ପିଟି ପିଟି ହତ୍ୟା କରିଥିଲା। ମହିଳାଙ୍କ ବ୍ୟତୀତ ଅନ୍ୟ ସମସ୍ତେ ସିକ୍ୟୁରିଟି ଗାର୍ଡ ଓ ରାତିରେ ଡ୍ୟୁଟିରେ ଥିବା ଜଣାପଡ଼ିଛି।
କେମିତି ହେଲା ଗିରଫ
ହତ୍ୟାକାଣ୍ଡ ଘଟାଇବା ବେଳେ ଅଭିଯୁକ୍ତ ନରେଶ ମଧ୍ୟ ଆହତ ହୋଇଛି। ସେ ଆଦର୍ଶ ନଗର କଲୋନୀରେ ଲୁଚିଥିବା ପୋଲିସ୍ ପାଖରେ ଖବର ପହଞ୍ଚିଥିଲା। ପୋଲିସ୍ ଟିମ୍ ସେଠାରେ ପହଞ୍ଚିବା ପରେ ନରେଶ ସେମାନଙ୍କ ପରେ ଆକ୍ରମଣ କରିଦେଇଥିଲା। ଏଥିରେ ୬ ଜଣ ପୋଲିସ୍ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଶେଷରେ ପୋଲିସ୍ ନର ପିପାସୁକୁ କାବୁ କରିବାକୁ ସକ୍ଷମ ହୋଇଥିଲା।