ଗାଜିଆବାଦ: ଅନ୍ତିମ ସଂସ୍କାର ବେଳେ ଶ୍ମଶାନ ଘର ଛାତ ଭୁଶୁଡି ୮ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଗାଜିଆବାଦରେ । ଗାଜିଆବାଦର ମୁରାଦାନଗର ଅଞ୍ଚଳରେ ଅନ୍ତିମ ସଂସ୍କାର ଚାଲିଥିବା ବେଳେ ଶ୍ମଶାନ ଘରର ଛାତ ଖସି ପଡିଥିଲା । ଫଳରେ ଅନେକ ଲୋକ ମାଟି ତଳେ ପୋତି ହୋଇଯାଇଥିଲେ । ମାଟି ତଳୁ ୮ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଏବେବି ଅନେକ ଲୋକେ ଫସି ରହିଛନ୍ତି । ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି ।
ସେପଟେ ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗାଜିଆବାଦ ପୁଲିସ ଏବଂ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
ସୂଚନା ଯୋଗ୍ୟ ଯେ, ଆଜି ସକାଳୁ ଦିଲ୍ଲୀ ଏନସିଆରରେ ପ୍ରବଳ ବର୍ଷା ଜାରି ରହିଛି । ବର୍ଷ ଯୋଗୁଁ କିଛି ଲୋକ ମୁରାଦାନଗର ସ୍ଥିତ ଶ୍ମଶାନ ଘାଟରେ ତିଆରି ନୂଆ ଶ୍ମଶାନ ଘର ତଳେ ଠିଆ ହୋଇ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ । ଠିକ ଏହି ସମୟରେ ଛାତ ଭୁଶୁଡି ପଡିଥିଲା ।
ଶ୍ମଶାନ ଘାଟରେ ପ୍ରାୟ ୨୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ । ବର୍ଷ ଯୋଗୁଁ ଛାତ ଭୁଶୁଡି ଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି । ସେପଟେ ଏହି ଘଟଣା ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି । ଉଦ୍ଧାର କାର୍ଯ୍ୟ ଜୋରଦାର କରିବା ପାଇଁ ଜିଲ୍ଲାପାଳ ଓ ପୁଲିସ ଉଚ୍ଚଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।