ନୂଆଦିଲ୍ଲୀ: ଛାତ୍ର ନେତା ତଥା ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେବା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ସର୍ଜିଲ ଇମାମଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ବର୍ତ୍ତମାନ ଗୌହାଟୀ କେନ୍ଦ୍ରୀୟ ଜେଲରେ ଥିବା ସର୍ଜିଲ ଇମାମ କରୋନାରେ ଆକ୍ରାନ୍ତ ହେବାରୁ ତାଙ୍କୁ ହସ୍ପିଟାଲରେ ଭିର୍ତ୍ତି କରାଯାଇଛି।
ଜୁଲାଇ ୧୭ରେ ଦିଲ୍ଲୀ ପୁଲିସ୍ ସ୍ପେଶାଲ ସେଲର ଗୋଟିଏ ଟିମ୍ ସର୍ଜିଲଙ୍କୁ ଆସାମରୁ ଦିଲ୍ଲୀ ଆଣିବାକୁ ଯାଇଥିଲା। ନିୟମ ଅନୁସାରେ ସମସ୍ତଙ୍କର କରୋନା ଟେଷ୍ଟ କରାଯାଇଥିଲା। ଟେଷ୍ଟ ବେଳେ ସବୁ ପୁଲିସ୍ ଅଧିକାରୀଙ୍କ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ସର୍ଜିଲଙ୍କ ରିପୋର୍ଟ ପଜିଟିଭ ଆସିଛି।
ଏବେ ଦିଲ୍ଲୀ ପୁଲିସ୍ ତାଙ୍କୁ ଆସାମରୁ ଆଣିବ ନାହିଁ। ସେ କରୋନାରୁ ସଂପୂର୍ଣ୍ଣ ଆରୋଗ୍ୟ ହେବା ପରେ ତାଙ୍କୁ ଦିଲ୍ଲୀ ଆଣିବାକୁ ନିଷ୍ପତ୍ତି ହୋଇଛି।
ଜେଏନୟୁରେ ପିଏଚଡି କରୁଥିବା ସର୍ଜିଲ ଇମାମ ଗତବର୍ଷ ଡିସେମ୍ବର ମାସରେ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇଥିବା ଅଭିଯୋଗ ହୋଇଛି। ଏହି କାରଣରୁ ତାଙ୍କୁ ଚଳିତ ବର୍ଷ ଜାନୁଆରୀ ୨୫ରେ ଗିରଫ କରାଯାଇଥିଲା।