ଚରିତ୍ର ବଦଳେଇଲା ଶିବସେନା

ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ଼ ଭାଙ୍ଗିଲା ବିଜେପି-ଶିବସେନା ମେଣ୍ଟ ସର୍ବାଧିକ ଆସନ ପାଇ ବିରୋଧୀ ଆସରେ ବିଜେପି ବାଲା ସାହେବ ଦୁର୍ବଳ କରିଥିଲେ ଉଦ୍ଧବ ସବଳ କଲେ ମୁମ୍ୱାଇ: ଶେଷରେ ମହାରାଷ୍ଟ୍ରରେ ସରକାର ଗଢ଼ିବ ଶିବସେନା। ଏନସିପି ଓ କଂଗ୍ରେସର ସମର୍ଥନରେ ଶିବସେନା ସରକାର ଗଢ଼ିବାକୁ ଯାଉଛି। କଂଗ୍ରେସ ବାହ୍ୟ ସମର୍ଥନ ଦେଇଥିବାରୁ ମନ୍ତ୍ରିମଣ୍ଡଳରେ ସାମିଲ୍ ହେବ ନାହିଁ। ସବୁଠୁ ବଡ଼ କଥା ହେଲା, ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ କମ୍ ଆସନ ପାଇଥିବା […]

uddhav-thackeray(2)

Subhransu Sekhar
  • Published: Monday, 11 November 2019
  • , Updated: 11 November 2019, 07:30 PM IST
  • ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ଼
  • ଭାଙ୍ଗିଲା ବିଜେପି-ଶିବସେନା ମେଣ୍ଟ
  • ସର୍ବାଧିକ ଆସନ ପାଇ ବିରୋଧୀ ଆସରେ ବିଜେପି
  • ବାଲା ସାହେବ ଦୁର୍ବଳ କରିଥିଲେ ଉଦ୍ଧବ ସବଳ କଲେ

ମୁମ୍ୱାଇ: ଶେଷରେ ମହାରାଷ୍ଟ୍ରରେ ସରକାର ଗଢ଼ିବ ଶିବସେନା। ଏନସିପି ଓ କଂଗ୍ରେସର ସମର୍ଥନରେ ଶିବସେନା ସରକାର ଗଢ଼ିବାକୁ ଯାଉଛି। କଂଗ୍ରେସ ବାହ୍ୟ ସମର୍ଥନ ଦେଇଥିବାରୁ ମନ୍ତ୍ରିମଣ୍ଡଳରେ ସାମିଲ୍ ହେବ ନାହିଁ। ସବୁଠୁ ବଡ଼ କଥା ହେଲା, ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ କମ୍ ଆସନ ପାଇଥିବା ଏନସିପି ଓ କଂଗ୍ରେସ କେବେ ସରକାର ଗଠନ କରିବେ ବୋଲି ଭାବିନଥିଲେ। ହେଲେ ରାଜନୀତିରେ କ୍ଷମତା ପାଇଁ ଯେ ସବୁ କିଛି ସମ୍ଭବ ତାହା ପୁଣିଥରେ ପ୍ରମାଣିତ ହୋଇଛି। ମୁଖ୍ୟମନ୍ତ୍ରୀ ଆସନକୁ ନେଇ ନିର୍ବାଚନ ବେଳେ ମେଣ୍ଟ କରିଥିବା ସହଯୋଗୀ ବିଜେପି ସହ ବିବାଦ ହେବାରୁ ଶିବସେନା ଏବେ ବିରୋଧୀ ଦଳ ସହ ମେଣ୍ଟ କରି ରାଜ୍ୟରେ ଶାସନ କ୍ଷମତାକୁ ଦଖଲ କରିଛି।

ଶିବସେନା ସହଯୋଗୀ ବିଜେପିକୁ ଛାଡ଼ି କଂଗ୍ରେସ-ଏନିସିପି ସହ ମେଣ୍ଟ କରିଥିଲେ ହେଁ ଏହା କେତେ ଦିନ ତିଷ୍ଠିବ ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ। କାରଣ ଯେଉଁ ହିନ୍ଦୁତ୍ୱ ଆଭିମୁଖ୍ୟକୁ ନେଇ ଶିବସେନା ରାଜନୀତି କରୁଛି, କଂଗ୍ରେସ ସେହି ରାଜନୀତିର ବିରୋଧୀ। ତେଣୁ ବୋଧହୁଏ ସେଥିପାଇଁ କଂଗ୍ରେସ ସରକାରରେ ସିଧାସଳଖ ସାମିଲ୍ ହୋଇନି। ତଥାପି, ଦଳ ଶିବସେନା-ଏନସିପି ମେଣ୍ଟକୁ ବାହାରୁ ସମର୍ଥନ କରିବ ବୋଲି ଘୋଷଣା କରିଛି। ସହଯୋଗୀ ବିଜେପିକୁ କ୍ଷମତାରୁ ବାହାରେ ରଖିବା ପାଇଁ ଶିବସେନା ନିଜ ହିନ୍ଦୁତ୍ୱ ରାଜନୀତିକୁ ନରମ କରିବ ବୋଲି ଏବେ ଚର୍ଚ୍ଚା ହେଉଛି।

ମହାରାଷ୍ଟ୍ର ବିଧାନସଭାର ୨୮୮ଟି ଆସନରୁ ବିଜେପି ୧୦୫ଟି, ଶିବସେନା ୫୬, କଂଗ୍ରେସ ୪୪, ଏନସିପି ୫୪ ଓ ଅନ୍ୟାନ୍ୟ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ମିଶି ୨୯ଟି ଆସନରେ ଜିତିଛନ୍ତି। ସରକାର ଗଢ଼ିବା ପାଇଁ ୧୪୫ ଆସନ ଆବଶ୍ୟକ। କଂଗ୍ରେସ ଓ ଏନସିପି ସମର୍ଥନ କରିବା ପରେ ଶିବସେନା ସରକାର ଗଢ଼ିବାକୁ ଯାଉଛନ୍ତି। କଂଗ୍ରେସ ଯଦି ସମର୍ଥନ ଫେରାଇ ନେବ ତାହେଲେ ସରକାର ଭାଙ୍ଗିଯିବ।

ଯେଉଁ ଏଜେଣ୍ଡାକୁ ନେଇ ଶିବସେନା ରାଜନୀତି କରୁଥିଲା ଏବେ ସେହି ଏଜେଣ୍ଡାର ବିରୋଧୀଙ୍କୁ ସୁହାଇଲା ଭଳି କାର୍ଯ୍ୟ କରି ସ୍ଥାୟୀ ସରକାର ଦେବାକୁ ଉଦ୍ଧବ ଠାକରେଙ୍କ ଦଳ ଚେଷ୍ଟା କରିବ। ହିନ୍ଦୁତ୍ୱ ରାଜନୀତିକୁ ଗୁରୁତ୍ୱ ଦେଉଥିବା ବିଜେପି ଏବେ ବିରୋଧୀ ଆସନରେ ବସିବ। କେତେକ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଯୋଗୁଁ ବିଜେପି ଓ ସହଯୋଗୀ ସଦସ୍ୟଙ୍କ ସଂଖ୍ୟା ମିଶି ୧୧୧ ରହିଛି। ବିଧାନସଭାରେ କୌଣସି ପ୍ରସଙ୍ଗରେ ବିଜେପି ଯଦି ଶିବସେନାକୁ ଘେରିବ ତାହାଲେ କିଭଳି ଶିବସେନା ସାମ୍ନା କରିବ ତାହା ଏକ ବଡ଼ ପ୍ରଶ୍ନ। ଅନ୍ୟପଟେ ଗତ ସରକାରରେ ଶିବସେନା ଅଂଶୀଦାର ଥିଲା। ତେଣୁ ହଠାତ୍ ସେହି ସରକାରକୁ ସମାଲୋଚନା କରିବା ପୂର୍ବରୁ ଶିବସେନାକୁ ଅନେକ ଚିନ୍ତା କରିବାକୁ ପଡ଼ିବ।

ଶିବସେନାର ପ୍ରତିଷ୍ଠାତା ବାଲା ସାହେବ ଠାକରେ ସବୁବେଳେ କଂଗ୍ରେସକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଚେଷ୍ଟା କରୁଥିଲେ। ହେଲେ ଏବେ ତାଙ୍କ ପୁଅ ଉଦ୍ଧବ ଠାକରେ କଂଗ୍ରେସ ସମର୍ଥନରେ ସରକାର ଗଠନ କରିବେ। ଅର୍ଥାତ୍ ଶିବସେନା କ୍ଷମତା ପାଇଁ ନିଜ ଦଳର ଚିନ୍ତାଧାରାକୁ ବଦଳାଇଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର।

Related story