ବିଜୟୱାଡ଼ା: ଆନ୍ଧ୍ରର ସମସ୍ତ ସରାକରୀ ସ୍କୁଲକୁ ଇଂରାଜୀ ମିଡିୟମ୍ କରିବା ନେଇ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡିଙ୍କ ସରକାରର ପଦକ୍ଷେପକୁ ନେଇ ସମାଲୋଚନା ଆରମ୍ଭ ହୋଇଛି। ଏପରି ସମାଲୋଚନା କରାଯିବାକୁ ନେଇ ଜବାବ ରଖିଛନ୍ତି ଜଗନ୍। ସେ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁଙ୍କୁ ମଧ୍ୟ ସମାଲୋଚନା କରିବାକୁ ପଛାଇନାହାନ୍ତି।
ସେ ଭେଙ୍କୟା ଏବଂ ଚନ୍ଦ୍ରବାବୁଙ୍କୁ ପ୍ରଶ୍ନ କରିଛନ୍ତି, ଆପଣଙ୍କ ପିଲାମାନେ କେଉଁଠି ପଢ଼ୁଛନ୍ତି? ବଡ଼ ଭାଇ ଚନ୍ଦ୍ରବାବୁ, ଆପଣଙ୍କ ପିଲାମନେ କେଉଁ ଭାଧ୍ୟମରେ ପଢ଼ିଥିଲେ? ଆସନ୍ତାକାଲି ଆପଣଙ୍କ ନାତିନାତୁଣୀ କେଉଁ ମାଧ୍ୟମରେ ପଢ଼ିବେ? ସାର୍ ଭେଙ୍କୟା ନାଇଡ଼ୁ ଆପଣଙ୍କ ପିଲାମାନେ ଏବଂ ନାତି ନାତୁଣୀ କେଉଁ ମାଧ୍ୟମରେ ପଢ଼ୁଥିଲେ?
ସେ ପୱନ୍ କଲ୍ୟାଣଙ୍କୁ ମଧ୍ୟ ଏହି ପ୍ରସଙ୍ଗରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଆପଣଙ୍କର ୩ ଜଣ ପତ୍ନୀ ଅଛନ୍ତି। ୪-୫ ପିଲା ମଧ୍ୟ ଅଛନ୍ତି। ସେମାନେ ପଢ଼ୁଥିବା ସ୍କୁଲରେ କେଉଁ ଭାଷାରେ ପଢ଼ାହୁଏ?
ଜଗନ୍ ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ଅବୁଲ କାଲାମ ଆଜାଦ୍ଙ୍କ ଜନ୍ମବାର୍ଷିକୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଭଳି ମତ ଦେଇଛନ୍ତି। ସେ କହିଛନ୍ତି, ଆଜି ଯଦି ତୁମକୁ ବିଶ୍ୱ ସହ ଲଢ଼େଇ କରିବାର ଅଛି, ଇଂରାଜୀ ନିହାତି ଦରକାର। ସେହି କାରଣରୁ ମୁଁ ଏହି ପ୍ରୟାସ ଆରମ୍ଭ କରିଛି, ଯାହାଫଳରେ ପ୍ରତି ପିଲା ଇଂରାଜୀରେ ପଢ଼ିବାର ସୁଯୋଗ ପାଇବେ। ଯେଉଁମାନେ ସମାଲୋଚନା କରୁଛନ୍ତି, ସେମାନେ ଛାତିରେ ହାତ ରଖି କୁହନ୍ତୁ ସେମାନଙ୍କ ପିଲାମାନେ କେଉଁ ଭାଷାରେ ପଢ଼ନ୍ତି।