ରୋମ: ମହାମାରୀ କରୋନା ୟୁରୋପୀୟ ମହାଦେଶରେ ଏବେ ମୃତ୍ୟୁର ବିଭୀଷିକା ସୃଷ୍ଟି କରିଛି। ଇଟାଲୀ ଠାରୁ ଆରମ୍ଭ କରି ସ୍ପେନ ଓ ଫ୍ରାନ୍ସରେ କରୋନା ପ୍ରତିଦିନ ଶହଶହ ମୁଣ୍ଡ ନେବାରେ ଲାଗିଛି। ଆମେରିକା ମଧ୍ୟ କରୋନା ପଞ୍ଝାରୁ ବର୍ତ୍ତିପାରିନାହିଁ। ତେବେ ସ୍ପେନ ସ୍ଥିତି ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁ ସ୍ପେନରେ ପୁଣି ୫୮୯ ମୁଣ୍ଡ ଗଡ଼ିଛି। ଫଳରେ ଏଠାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯ ହଜାର ପାର ହୋଇଯାଇଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଛି।
ସରକାରୀ ସୂତ୍ର ଅନୁସାରେ, ସ୍ପେନରେ କରୋନା ଯୋଗୁ ଏଠାରେ ୯୦୫୩ ଜଣଙ୍କ ଜୀବନ ଗଲାଣି। ସେହିପରି ୨୪ ଘଣ୍ଟା ମଧ୍ୟରେ ୬୨୧୩ଟି ନୂଆ ମାମଲା ସାମ୍ନାକୁ ଆସିଛି। ଫଳରେ ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୨,୧୩୬ ଛୁଇଁଛି। ୨୨,୬୪୭ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଅନ୍ୟପକ୍ଷରେ ବିଶ୍ୱକଥା ବିଚାରକୁ ନେଲେ କରୋନା ଏଯାଏ ୨୦୩ଟି ଦେଶରେ ନିଜର କାୟା ବିସ୍ତାର କରିଛି। ଆକ୍ରାନ୍ତଙ୍କ ସଂଖ୍ୟା ୮,୭୬, ୩୪୮ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୪୩,୫୩୩ ରହିଛି। ସେହିପରି ୧,୮୪,୯୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଭାଇରସର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଚାଇନାରେ ମାତ୍ର ୭ ଜଣ ଲୋକପ୍ରାଣ ହରାଇଛନ୍ତି। ଫଳରେ ଏଠାରେ କରୋନା ମୃତ୍ୟୁସଂଖ୍ୟା ୩୩୧୨ରେ ପହଞ୍ଚି ଯାଇଛି।
ଆମେରିକାରେ ଦିନକୁ ଦିନ ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୮୮, ୬୪୭ ଥିବା ବେଳେ ମୃତ୍ୟୁସଂଖ୍ୟା ଚାଇନାକୁ ଅତିକ୍ରମ କରି ୪,୦୫୯ରେ ପହଞ୍ଚି ଯାଇଛି। ସ୍ଥିତି ଏପରି ହୋଇଛି ଯେ ଆମେରିକା ପ୍ରଶାସନ ଏପ୍ରିଲ ୩୦ ଯାଏ ସମଗ୍ର ଦେଶରେ ଲକଡାଉନ ଘୋଷଣା କରିବାକୁ ଚିନ୍ତା କରୁଛନ୍ତି।
ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫,୭୯୧ ଓ ମୃତ୍ୟୁସଂଖ୍ୟା ୧୨, ୪୨୮। ଇରାନରେ ପୁଣି ୧୩୮ ଜଣଙ୍କ ମୃତ୍ୟୁ ଘଟିବାରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୦୩୬ ହୋଇଛି। ଫ୍ରାନ୍ସରେ ୩,୫୨୩, ବ୍ରିଟେନରେ ୧୭୮୯, ଜର୍ମାନୀରେ ୭୯୩, ସ୍ୱିଜରଲ୍ୟାଣ୍ଡରେ ୪୩୩, ବେଲଜିୟମରେ ୮୨୮, ନେଦରଲ୍ୟାଣ୍ଡ୍ସରେ ୧୧୭୩, ତୁର୍କୀ ୨୧୪, ଅଷ୍ଟ୍ରିଆରେ ୧୪୬, ଦକ୍ଷିଣ କୋରିଆରେ ୧୬୫, କାନାଡାରେ ୧୦୧, ପର୍ତ୍ତୁଗାଲରେ ୧୮୭, ଇସ୍ରାଏଲରେ ୨୧, ବ୍ରାଜିଲରେ ୨୦୩, ସ୍ୱିଡେନରେ ୨୩୯, ରୁଷରେ ୨୪, ପାକିସ୍ତାନରେ ୨୬, ଇରାକରେ ୫୦ ଓ ଭାରତରେ ୪୬ ଜଣ କରୋନାରେ ପ୍ରାଣ ହରାଇଛନ୍ତି।