ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ରାୟ ପ୍ରକାଶ କରିଛନ୍ତି। ବିବାଦୀୟ ଜମି ହିନ୍ଦୁ ପକ୍ଷଙ୍କୁ ସୁପ୍ରିମକୋର୍ଟ ଦେଇଥିବା ବେଳେ ମୁସଲିମ୍ ପକ୍ଷଙ୍କୁ ୫ ଏକର ଜମି ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଷ୍ପତ୍ତିକୁ ନେଇ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପ୍ରମୁଖ ମୋହନ ଭାଗବତ ପ୍ରତିକ୍ରିୟା ଦେଇଛନ୍ତି। ଅତୀତ ଭୁଲି ମିଳି ମିଶି ରାମ ମନ୍ଦିର ନିର୍ମାଣ କରିବା ଦରକାର ବୋଲି ସେ କହିଛନ୍ତି।
ସଂଘ ପ୍ରମୁଖ ମୋହନ ଭାଗବତ କହିଛନ୍ତି, କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ସରକାର ତାଙ୍କ କାମ କରିବେ। ଆମେ ସମେସ୍ତ ମିଶି ରାମ ମନ୍ଦିର ତିଆରି କରିବା। ସୁପ୍ରିମକୋର୍ଟଙ୍କ ରାୟକୁ ସଂଘ ସ୍ୱାଗତ କରୁଛି ବୋଲି ମୋହନ ଭାଗବତ କହିଛନ୍ତି। ଦୀର୍ଘ ଦଶନ୍ଧି ଧରି ଏହି ମାମଲା ପଡ଼ି ରହିଥିଲା। ଏବେ ସମସ୍ତ ପକ୍ଷ ଓ ଯୁକ୍ତିକୁ ବିଚାର କରି ନ୍ୟାୟମୂର୍ତ୍ତି ରାୟ ଶୁଣାଇଥିବାରୁ ବିଚାରପତିଙ୍କୁ ଧନ୍ୟବାଦ ଦେଇଛନ୍ତି ଭାଗବତ।
ଏହି ରାୟକୁ ଜୟ, ପରାଜୟ ନଜରରେ ଦେଖିବା ଅନୁଚିତ। ସମସ୍ତ ଦେଶବାସୀ ସମ୍ୱିଧାନର ନିୟମକୁ ସମ୍ମାନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ପୂର୍ବରୁ ମଧ୍ୟ ଏହି ବିବାଦର ସମାଧାନ ପାଇଁ ପ୍ରୟାସ ହୋଇଥିଲା, କିନ୍ତୁ ଏବେ ବିଳମ୍ୱରେ ହେଉ ପଛେ ବିବାଦର ସମାଧାନ ହୋଇଛି ବୋଲି ମୋହନ ଭାଗବତ କହିଛନ୍ତି।