କୋଲକାତା: ପ୍ରାୟ ଏକ ସପ୍ତାହର ଧାରଣା ପରେ ଶେଷରେ ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା ପାଇଁ ରାଜି ହୋଇଛନ୍ତି ଆନ୍ଦୋଳନରତ ଡାକ୍ତର ଗୋଷ୍ଠୀ। ପଶ୍ଚିମବଙ୍ଗରେ ଜୁନିଅର ଡାକ୍ତରଙ୍କୁ ଆକ୍ରମଣ ପରେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା ଏବଂ ପରେ ସାରା ଦେଶକୁ ବ୍ୟାପିଥିଲା। ସେମାନେ ମମତାଙ୍କ ଆଲୋଚନା ପ୍ରସ୍ତାବରେ ରାଜି ହେଉନଥିଲେ କିନ୍ତୁ ଗତକାଲି ମମତାଙ୍କ ବିବୃତି ପରେ ସେମାନେ ଆଲୋଚନା ପାଇଁ ରାଜି ହୋଇଛନ୍ତି। କିନ୍ତୁ ଏହି ଆଲୋଚନା ପାଇଁ ଡାକ୍ତରମାନେ ଏକ ସର୍ତ୍ତ ରଖିଛନ୍ତି।
ଆକ୍ରମଣସ୍ଥଳ ଏନ୍ଆର୍ଏସ୍ ମେଡିକାଲ କଲେଜ୍ ଆଣ୍ଡ ହସ୍ପିଟାଲଠାରେ ଅନୁଷ୍ଠିତ ଆଜିର ବୈଠକ ପରେ ସେମାନେ କହିଛନ୍ତି, “ଆମେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନାକୁ ନେଇ ଲାଗିରହିଥିବା ଛକାପଞ୍ଝା ତୁରନ୍ତ ଦୂର କରିବାକୁ ଚାହୁଁଛୁ। କିନ୍ତୁ ଆମେ ଚାହୁଁଛୁ ଏହା ଗୁପ୍ତରେ ବା ବନ୍ଦ ୪ କାନ୍ଥ ଭିତରେ ନହେଉ। ଏହି ଆଲୋଚନା ଖୋଲାରେ ଗଣମାଧ୍ୟମ ଏବଂ କ୍ୟାମେରା ସାମ୍ନାରେ ହେଉ।”
ସପ୍ତାହେ ତଳେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟସେବାକୁ କୋମା ଅବସ୍ଥାକୁ ନେଇଯାଇଛି। ବହୁ ବରିଷ୍ଠ ଡାକ୍ତରଙ୍କ ସମେତ ୩୦୦ରୁ ଊର୍ଦ୍ଧ୍ୱ ଡାକ୍ତର ଇସ୍ତଫା ଦେଇସାରିଥିବାରୁ ଏଥିପାଇଁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରଭାବ ଦିଲ୍ଲୀଠାରୁ ଗୋଆ, ଓଡ଼ିଶାରୁ ଉତ୍ତରପୂର୍ବ ଭାରତ ଯାଏ ପଡ଼ିଛି। ଦିଲ୍ଲୀରେ ଡାକ୍ତରମାନେ ହେଲମେଟ୍ ପିନ୍ଧି ଏବଂ ବ୍ୟାଣ୍ଡେଜ୍ ବାନ୍ଧି ପ୍ରତିବାଦ କରିବା ସହ ନିଜର କର୍ତ୍ତବ୍ୟ ତୁଲାଉଛନ୍ତି।