ଲଭ ଜିହାଦ ଆଇନ ବିରୋଧୀ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଲଭ ଜିହାଦ ନାଁରେ ପାରିତ୍‌ ହୋଇଥିବା ଆଇନର ସାମ୍ବିଧାନିକ ବୈଧତା ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ନିକଟରେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ଭଳି ଏକାଧିକ ରାଜ୍ୟର ସରକାରମାନେ ଧର୍ମ ପରିବର୍ତ୍ତନ ରୋକିବାକୁ ଆଇନ ପ୍ରଣୟନ କରିଥିଲେ। ତେବେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରିଥିଲେ। ଶୁଣାଣି ବେଳେ ଆଇନ ଗୁଡ଼ିକରେ ଥିବା ପ୍ରାବଧାନ […]

h

Hemant Lenka
  • Published: Wednesday, 06 January 2021
  • , Updated: 06 January 2021, 03:58 PM IST

ନୂଆଦିଲ୍ଲୀ: ଲଭ ଜିହାଦ ନାଁରେ ପାରିତ୍‌ ହୋଇଥିବା ଆଇନର ସାମ୍ବିଧାନିକ ବୈଧତା ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ନିକଟରେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ଭଳି ଏକାଧିକ ରାଜ୍ୟର ସରକାରମାନେ ଧର୍ମ ପରିବର୍ତ୍ତନ ରୋକିବାକୁ ଆଇନ ପ୍ରଣୟନ କରିଥିଲେ। ତେବେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।

ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରିଥିଲେ। ଶୁଣାଣି ବେଳେ ଆଇନ ଗୁଡ଼ିକରେ ଥିବା ପ୍ରାବଧାନ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ରୋକଠୋକ ମନା କରିଦେଇଛନ୍ତି। ଏହାପରେ ଖଣ୍ଡପୀଠ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ସରକାରଙ୍କୁ ଜବାବ ତଲବ କରିଛନ୍ତି। ଆବେଦନକାରୀ କହିଥିଲେ ଯେ ସମାନ ଧରଣର ଆଇନ ମଧ୍ୟପ୍ରଦେଶ ଓ ହରିଆଣାରେ ମଧ୍ୟ ଆସିବାକୁ ଯାଉଛି।

Uttar Pradesh Prohibition of Unlawful Religious Conversion Ordinance, 2020 and the Uttarakhand Freedom of Religion Act, 2018ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଆଇନଜୀବୀ ବିଶାଲ ଠାକ୍ରେଙ୍କ ସମେତ ଗୋଟିଏ ଏନଜିଓ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଆବେଦନକାରୀ କହିଥିଲେ ଯେ ଏହି ଆଇନ ବଳରେ ପ୍ରଶାସନ କିଛି ନିର୍ଦ୍ଦିଷ୍ଟ ବର୍ଗଙ୍କ ଉପରେ ନିର୍ଯାତନା କରୁଛି। ବାହାଘର ଅଧାରକୁ ଲୋକଙ୍କୁ ଉଠାଇ ଆଣୁଛି। ତେଣୁ ତୁରନ୍ତ ସୁପ୍ରିମକୋର୍ଟ ଏହା ଉପରେ ରୋକ ଲଗାଇବା ଦରକାର। ତେବେ ଖଣ୍ଡପୀଠ ଦୁଇଟି ଯାକ ରାଜ୍ୟକୁ ନୋଟିସ୍‌ କରି ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କହିଛନ୍ତି। ତଥାପି ଆବେଦନକାରୀ ଆଇନ ଉପରେ ରୋକ ଲଗାଇବାକୁ ଦାବି କରିବାକୁ ଜଷ୍ଟିସ ବୋବଡେ କହିଥିଲେ ଯେ ରାଜ୍ୟ ସରକାରମାନଙ୍କ ପକ୍ଷ ନ ଶୁଣି ଆଇନ ଉପରେ ରୋକ କେବେ ହେଲେ ଲଗା ଯାଇ ପାରିବ ନାହିଁ।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ସରକାର ଅଲଗା ଧର୍ମରେ ବିବାହ ଓ ବଳ ପୂର୍ବକ ଧର୍ମ ପରିବର୍ତ୍ତନକୁ ରୋକିବା ପାଇଁ ଏଭଳି ପ୍ରଣୟନ କରିଛନ୍ତି। ଯଦି କେହି ନିୟମ ଖିଲାପ କରିବ, ତା’ହେଲେ ତାଙ୍କ ନାଁରେ ଅପରାଧିକ ମାମଲା ରୁଜୁ ହେବ ବୋଲି ଆଇନରେ ବ୍ୟବସ୍ଥା କରାଯାଇଛି।

ୟୁପିରେ ବଳପୂର୍ବକ ଧର୍ମାନ୍ତୀକରଣ ଏକ ଦଣ୍ଡନୀୟ ଅପରାଧ। ଯିଏ ଏଭଳି କାର୍ଯ୍ୟରେ ସାମିଲ ହେବ, ତା’କୁ ୧୦ ବର୍ଷ ଯାଏ ଜେଲ ଦଣ୍ଡ ସହ ୧୫ରୁ ୫୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ସେହିପରି ଧର୍ମାନ୍ତୀକରଣ ବଳରେ ହୋଇଥିବା ବିବାହକୁ ମଧ୍ୟ ଅବୈଧ ଘୋଷଣା କରାଯିବ।

ଯଦି ଏସସି/ଏସଟି ମହିଳାଙ୍କୁ ବଳ ପୂର୍ବକ ଧର୍ମାନ୍ତୀକରଣ କରାଯାଏ, ତା’ହେଲେ ୩ରୁ ୧୦ ବର୍ଷ ଯାଏ ଜେଲଦଣ୍ଡ ଓ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ। କମ୍ୟୁନିଟି କିମ୍ବା ମାସ୍‌ ଧର୍ମାନ୍ତୀକରଣ ପାଇଁ ୩ରୁ ୧୦ ବର୍ଷ ଯାଏ ଜେଲ ଦଣ୍ଡ ଓ ସଂପୃକ୍ତ ସଂଗଠନ ଉପରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲାଗୁ କରାଯିବ। ସେହିପରି ଉକ୍ତ ସଂଗଠନର ଲାଇସେନ୍ସ ମଧ୍ୟ ବାତିଲ କରାଯିବ।

ଯଦି କେହି ବାହାଘର ପାଇଁ ନିଜ ଇଚ୍ଛାରେ ଧର୍ମ ପରିବର୍ତ୍ତନ କରିବାକୁ ଚାହାନ୍ତି, ତା’ହେଲେ ତାଙ୍କୁ ଦୁଇ ମାସ ପୂର୍ବରୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନୋଟିସ ଦେବାକୁ ପଡ଼ିବ। ଏହାକୁ ନ ମାନିଲେ ସଂପୃକ୍ତ ଲୋକଙ୍କୁ ୧୦ ହଜାର ଟଙ୍କା ଯାଏ ଜୋରିମାନା ଓ ୬ ମାସରୁ ୩ ବର୍ଷ ଯାଏ ଜେଲଦଣ୍ଡ ମିଳିବ।

ସେହିପରି ଉତ୍ତରାଖଣ୍ଡରେ ବଳ ପୂର୍ବକ କିମ୍ବା ପ୍ରଲୋଭିତ କରି ଧର୍ମ ପରିବର୍ତ୍ତନ କଲେ ୨ ବର୍ଷ ଜେଲ ଦଣ୍ଡର ପ୍ରାବଧାନ ରହିଛି।

Related story