କରୋନା ଆକ୍ରାନ୍ତଙ୍କୁ ପଶୁଠାରୁ ବି ହୀନ ବ୍ୟବହାର କରାଯାଉଛି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଥିବା ଲୋକଙ୍କୁ ଦିଲ୍ଲୀ ହସ୍ପିଟାଲରେ ଅତ୍ୟନ୍ତ ଦୟନୀୟ ବ୍ୟବହାର କରାଯାଉଥିବାରୁ ସୁପ୍ରିମକୋର୍ଟ କ୍ଷୁବ୍ଧ ହୋଇଛନ୍ତି। ଏଥିସହ ଦିଲ୍ଲୀ ସରକାରଙ୍କୁ ସର୍ବୋଚ୍ଚ ଅଦାଲତ ମନଇଚ୍ଛା ଭର୍ତ୍ସନା କରିଛନ୍ତି। ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ସରକାର ଟେଷ୍ଟିଂ କମ କରୁଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ମୁମ୍ବାଇ, ଚେନ୍ନାଇ ଭଳି ସହରରେ ଟେଷ୍ଟିଂ ବୃଦ୍ଧି ପାଉଥିବା ବେଳେ ଦିଲ୍ଲୀରେ କାହିଁକି ଏହା ହ୍ରାସ ପାଉଛି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଦିଲ୍ଲୀ […]

was

Hemant Lenka
  • Published: Friday, 12 June 2020
  • , Updated: 12 June 2020, 03:06 PM IST

ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଥିବା ଲୋକଙ୍କୁ ଦିଲ୍ଲୀ ହସ୍ପିଟାଲରେ ଅତ୍ୟନ୍ତ ଦୟନୀୟ ବ୍ୟବହାର କରାଯାଉଥିବାରୁ ସୁପ୍ରିମକୋର୍ଟ କ୍ଷୁବ୍ଧ ହୋଇଛନ୍ତି। ଏଥିସହ ଦିଲ୍ଲୀ ସରକାରଙ୍କୁ ସର୍ବୋଚ୍ଚ ଅଦାଲତ ମନଇଚ୍ଛା ଭର୍ତ୍ସନା କରିଛନ୍ତି। ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ସରକାର ଟେଷ୍ଟିଂ କମ କରୁଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି।

ମୁମ୍ବାଇ, ଚେନ୍ନାଇ ଭଳି ସହରରେ ଟେଷ୍ଟିଂ ବୃଦ୍ଧି ପାଉଥିବା ବେଳେ ଦିଲ୍ଲୀରେ କାହିଁକି ଏହା ହ୍ରାସ ପାଉଛି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଦିଲ୍ଲୀ ସ୍ଥିତି ଅତ୍ୟନ୍ତ ଭୟଙ୍କର ଓ କରୁଣ ବୋଲି କୋର୍ଟ ମତ ଦେଇଛନ୍ତି।

ସୁପ୍ରିମକୋର୍ଟ ଶୁଣାଣି କରିବା ବେଳେ ଏଲଏନଜେପି ହସ୍ପିଟାଲକୁ ନୋଟିସ କରି କହିଛନ୍ତି ଯେ “ଦିଲ୍ଲୀରେ ଏବେ ବଡ଼ ସମସ୍ୟା ଦେଖାଦେଇଛି। ହଠାତ୍‌ କରୋନା ଟେଷ୍ଟିଂ ୭ ହଜାରରୁ ୫ ହଜାରକୁ ହ୍ରାସ ପାଇଛି। କ’ଣ ପାଇଁ ଆପଣଙ୍କ ଟେଷ୍ଟିଂ କ୍ଷମତା ହ୍ରାସ ପାଇଗଲା?

ଆପଣମାନେ ଆମକୁ କୁହନ୍ତୁ ଯେ କ’ଣ ପାଇଁ ଟେଷ୍ଟିଂ ପରିମାଣ କମ କଲେ। ଆମେ ଆହୁରି ଜାଣିବାକୁ ପାଇଛୁ ଯେ ମେ’ ମାସ ତୁଳନାରେ ଜୁନ୍‌ ମାସରେ ଟେଷ୍ଟିଂ ପରିମାଣ ହ୍ରାସ ପାଇଥିବା ଦିଲ୍ଲୀ ସରକାର ମଧ୍ୟ ସ୍ୱୀକାର କରିଛନ୍ତି।”

ସୁପ୍ରିମକୋର୍ଟ ଆହୁରି କହିଛନ୍ତି ଯେ “କରୋନା ରୋଗୀଙ୍କୁ ପଶୁଙ୍କ ଠାରୁ ବି ହୀନ ବ୍ୟବହାର କରାଯାଉଛି। ଦିଲ୍ଲୀର ସରକାରୀ ହସ୍ପିଟାଲରେ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଲୋକଙ୍କୁ ଅତ୍ୟନ୍ତ ଦୟନୀୟ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଛି। ଏପରି କି ଅନେକ ସମୟରେ କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଉନାହିଁ।

ସରକାରୀ ଆପରେ ହସ୍ପିଟାଲରେ ବେଡ ଖାଲିଥିବା ଦୃଶ୍ୟମାନ ହେଉଛି। ହେଲେ କରୋନା ରୋଗୀଙ୍କୁ ସେଠାରେ ଆଡମିଶନ ମିଳୁନାହିଁ କାହିଁକି? କେବଳ ବେଡ ନୁହେଁ ବରଂ ହସ୍ପିଟାଲ ଭତ୍ତିଭୂମି ସଜାଡ଼ିବାକୁ ରାଜ୍ୟ ସରକାରମାନେ ବାଧ୍ୟ। ଏହା ସେମାନଙ୍କର କର୍ତ୍ତବ୍ୟ। ସେହିପରି ଆବଶ୍ୟକ କର୍ମଚାରୀ ଓ ମ୍ୟାନପାୱର ବି ହସ୍ପିଟାଲକୁ ଯୋଗାଇ ଦେବା ଦରକାର ବୋଲି କୋର୍ଟ କହିଛନ୍ତି।

ବିଭିନ୍ନ ଗଣମାଧ୍ୟମରେ କରୋନା ରୋଗୀଙ୍କ ମୃତଦେହ କେଉଁଭଳି ଅବହେଳିତ ଭାବେ ପଡ଼ିଛି, ତା’ର ଖବର ପ୍ରକାଶ ପାଇଥିଲା। ଏହାକୁ ବେଶ ଗୁରତ୍ୱର ସହ ନେଇ ସୁପ୍ରିମକୋର୍ଟ କହିଛନ୍ତି, ଦିଲ୍ଲୀର ସ୍ୱାସ୍ଥ୍ୟ ସେବା ଓ ଭିତ୍ତିଭୂମି ଦେଖି ବେଶ ଦୁଃଖ ଲାଗୁଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଗାଇଡଲାଇନକୁ ଏଠାରେ ପାଳନ କରାଯାଉ ନାହିଁ।

ହସ୍ପିଟାଲଗୁଡ଼ିକ କରୋନା ମୃତକ ଓ କରୋନା ଆକ୍ରାନ୍ତଙ୍କ ଉପଯୁକ୍ତ କେୟାର ନେଉନାହାନ୍ତି। ରୋଗୀଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ପୂର୍ବରୁ କୌଣସି ସୂଚନା ଦିଆଯାଉନାହିଁ। ଅନେକ ମାମଲାରେ ପରିବାର ଲୋକ ନିଜ ପ୍ରିୟଜନଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇପାରୁନାହାନ୍ତି।

ଏହା ଅତ୍ୟନ୍ତ କରୁଣ ଚିତ୍ର। ଏଠାରେ ପଶୁଙ୍କ ଠାରୁ ବି ଲୋକଙ୍କୁ ହୀନ ଭାବେ ବ୍ୟବହାର କରାଯାଉଛି। କେବଳ ଦିଲ୍ଲୀ ନୁହେଁ, ମହାରାଷ୍ଟ୍ର, ତାମିଲନାଡୁ ଓ ପଶ୍ଚିମବଙ୍ଗ ସରକାରଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ଏଥିସହ କେନ୍ଦ୍ର ସମେତ ଏହି ୪ ରାଜ୍ୟକୁ ଜବାବ ତଲବ କରିଛନ୍ତି। ଏବେ ମାମଲାର ପରବର୍ତ୍ତୀ ଶୁଣାଣି ଜୁନ ୧୭ରେ କରାଯିବ ବୋଲି କୋର୍ଟ କହିଛନ୍ତି।

Related story