ନୂଆଦିଲ୍ଲୀ: ହେଟ୍ ସ୍ପିଚ୍ ଏବଂ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଦ୍ୱାରା ଦାୟର ହୋଇଥିବା ମାନହାନୀ ମାମଲାରେ ରିପବ୍ଲିକ ଟିଭିର ସମ୍ପାଦକ ତଥା ପ୍ରତିଷ୍ଠାତା ଅର୍ଣ୍ଣବ ଗୋସ୍ୱାମୀଙ୍କୁ ତିନି ସପ୍ତାହ ପାଇଁ ଜାମିନ୍ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଏହାରି ଭିତରେ ଅର୍ଣ୍ଣବଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବନି ବୋଲି କୋର୍ଟ କହିଛନ୍ତି।
ଜଷ୍ଟିସ୍ ଡି.ଇ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ୍ ଏମଆର ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ରହିବା ଉଚିତ ନୁହେଁ। ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ଲଗାଇବାକୁ ମୁଁ ଘୃଣା କରେ ବୋଲି ଜଷ୍ଟିସ ଚନ୍ଦ୍ରଚୂଡ ମୌଖିକ ଭାବରେ ମାମଲାର ଶୁଣାଣି ବେଳେ କହିଛନ୍ତି।
ତେବେ କଂଗ୍ରେସ ଦ୍ୱାରା ବିଭିନ୍ନ ରାଜ୍ୟରେ ଗୋସ୍ୱାମୀଙ୍କ ବିରୋଧରେ ଏତଲା ଦିଆଯାଇଥିଲେ ମଧ୍ୟ ସର୍ବୋଚ୍ଚ କୋର୍ଟ କେବଳ ନାଗପୁରରେ ଦାୟର ହୋଇଥିବା ମାମଲାର ତଦନ୍ତ ମୁମ୍ୱାଇକୁ ସ୍ଥାନାନ୍ତରିତ କରିଛନ୍ତି। ଅନ୍ୟ ସମସ୍ତ ମାମଲାକୁ ସ୍ଥଗିତ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଅର୍ଣ୍ଣବଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ପକ୍ଷ ରଖୁଥିବା ବେଳେ ମହାରାଷ୍ଟ୍ର କଂଗ୍ରେସ ପକ୍ଷରୁ କପିଲ ଶିବଲ ଏବଂ ଛତିଶଗଡ଼ ସରକାରଙ୍କ ପକ୍ଷରୁ ବିବେକ ତଙ୍ଖା ପକ୍ଷ ରଖିଥିଲେ।
ଅର୍ଣ୍ଣବ ତାଙ୍କ ଆବେଦନରେ ଶୀର୍ଷ ଅଦାଲତଙ୍କ ନିକଟରେ ପକ୍ଷ ରଖି କହିଥିଲେ, ମହାରାଷ୍ଟ୍ର, ତେଲେଙ୍ଗାନା, ଛତିଶଗଡ ଏବଂ ମଧ୍ୟପ୍ରଦେଶ ତଥା ଜମ୍ମୁ କଶ୍ମୀରରେ ତାଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ଏତଲା ଦିଆଯାଇଛି। ସମସ୍ତ ସ୍ଥାନକୁ ଯାଇ ପକ୍ଷ ରଖିବା ସମ୍ଭବପର ନୁହେଁ। ସେ ଯୁକ୍ତି ବାଢ଼ିଛନ୍ତି ଯେ କଂଗ୍ରେସ ତାଙ୍କ ବିରୋଧରେ ମାମଲା ଦାୟର କରି ସମ୍ବିଧାନର ଧାରା ୧୯ (୧) (କ) ଅନୁଯାୟୀ ମୁକ୍ତ ବକ୍ତବ୍ୟ ଏବଂ ବାକ୍ ସ୍ୱାଧୀନତାକୁ ସଙ୍କୁଚିତ କରିବାକୁ ପ୍ରୟାସ କରିଛି।
ଆଠ ସପ୍ତାହ ପରେ କୋର୍ଟ ଏହି ମାମଲାର ଅଧିକ ଶୁଣାଣି କରିବେ। ରିପବ୍ଲିକ୍ ଟିଭି କାର୍ଯ୍ୟାଳୟ ଏବଂ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସୁରକ୍ଷା ଦେବାକୁ ମୁମ୍ବାଇ ପୁଲିସକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।