ନୂଆଦିଲ୍ଲୀ: ଗୁଜରାଟରେ ଦୁଇଟି ଆସନ ପାଇଁ ହେବାକୁ ଥିବା ନିର୍ବାଚନ ଏକା ସାଙ୍ଗରେ କରିବାପାଇଁ କଂଗ୍ରେସର ଆବେଦନ ନେଇ ସୁପ୍ରିମ୍କୋର୍ଟ ଆସନ୍ତାକାଲି ଶୁଣାଣି କରିବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଗାନ୍ଧିନଗରରୁ ଏବଂ ସ୍ମୃତି ଇରାନୀ ଆମେଠିରୁ ଲୋକସଭାକୁ ଯିବାପରେ ଏହି ଦୁଇ ରାଜ୍ୟସଭା ଆସନ ଖାଲି ହୋଇଛି। ଆସନ୍ତା ଜୁଲାଇ ୫ ତାରିଖରେ ଏଥିପାଇଁ ନିର୍ବାଚନ ହେବ। ଗୁଜରାଟ ବିରୋଧୀ ଦଳ ନେତା ପରେଶଭାଇ ଧନାନି ଏହି ଆବେଦନ କରିଛନ୍ତି।
ଏହାକୁ ବେନିୟମ ଦର୍ଶାଇ କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଂଘଭୀ କହିଛନ୍ତି, ଏହା ସମ୍ବିଧାନକୁ ଥଟ୍ଟା କଲାପରି ଏବଂ ବ୍ୟବସ୍ଥା ବିରୋଧୀ ହେବ। ଯେତେବେଳେ ଏକାଠି ଲୋକସଭା ଓ ବିଶାନ ସଭା ନିର୍ବାଚନ ହେଉଛି, ରାଜ୍ୟସଭା ଆସନଗୁଡିକ ପାଇଁ ଏକାଠି ନିର୍ବାଚନ କରିବାରେ ଅସୁବିଧା କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ଅମିତ ଶାହଙ୍କ ଆସନ ମେ ୨୮ରେ ଖାଲି ହୋଇଥିବାବେଳେ ସ୍ମୃତି ଇରାନୀଙ୍କ ଆସନ ଏହାର ଗୋଟିଏ ଦିନ ପରେ ଖାଲି ହୋଇଥିଲା। ସେହିଭଳି ଶାହଙ୍କ ନିର୍ବାଚନ ଫଳ ମେ ୨୩ରେ ହିଁ ଘୋଷଣା ହୋଇଥିଲା। କିନ୍ତୁ ସ୍ମୃତି ଇରାନୀଙ୍କ ନିର୍ବାଚନୀ ଫଳ ଗୋଟିଏ ଦିନ ଡେରିରେ ବାହାରି ଥିଲା।
ତେବେ ପ୍ରଶ୍ନ ଉଠୁଛି କଂଗ୍ରେସ ଏକାସାଙ୍ଗରେ ଦୁଇଟି ଆସନରେ ନିର୍ବାଚନ ହେବା କାହିଁକି ଦାବି କରୁଛି। ଏହା ପଛରେ ଏକ ଗଣିତ ରହିଛି। ୨ଟି ନିର୍ବାଚନ ଅଲଗା ହେବା ମାନେ ୨ଟି ଅଲଗା ବ୍ୟାଲଟ ବକ୍ସ ଏବଂ ଦୁଇଟି ଅଲଗା ବ୍ୟାଲଟ୍ ପେପର ଜରିଆରେ ଭୋଟିଂ ହେବ। ସମସ୍ତ ୧୭୫ ବିଧାୟକ (୧୦୦ ବିଜେପି, ୭୧ କଂଗ୍ରେସ, ୧ ଏନ୍ସିପି, ୨ ଭାରତୀୟ ଟ୍ରାଇବାଲ ପାର୍ଟି ଏବଂ ଜଣେ ସ୍ୱାଧୀନ) ୨ଥର ପୃଥକ ପୃଥକ ଭାବରେ ଭୋଟ୍ ଦେବେ। ଅନ୍ୟ ଅର୍ଥରେ କହିବାକୁ ଗଲେ, ବିଜେପି ଦୁଇଟି ଆସନରେ ବିଜେପିର ୨ ରାଜ୍ୟସଭା ପ୍ରାର୍ଥୀ ୧୦୦ ବିଧାୟକଙ୍କ ପ୍ରଥମ ପସନ୍ଦ ଭୋଟ୍ ପାଇପାରିବେ। ଏହାଫଳରେ ପୁଣି ୭ଟି ରାଜ୍ୟସଭା ଆସନ ବିଜେପି ଖାତାକୁ ଯିବ।
ଯଦି ଅଲଗା ଅଲଗା ଭୋଟ୍ ନହୋଇ ଏକାଥରେ ହେବ, ଗୋଟିଏ ଆସନ ଜିତିବା ପାଇଁ ୫୯ ବିଧାୟକଙ୍କ ପ୍ରଥମ ପସନ୍ଦ ଭୋଟ୍ ଦରକାର ହେବ। ଅଳ୍ପେଶ ଠାକୁର ଏବଂ ଧବଲସିଂହ ଜଲା କଂଗ୍ରେସରୁ ଇସ୍ତଫା ଦେଇସାରିଥିବାରୁ କଂଗ୍ରେସର ୬୯ ବିଧାୟକ ଭୋଟ୍ ଦେବେ। ସ୍ୱାଧୀନ ବିଧାୟକ ଜିଗ୍ନେଶ ମେୱାନୀଙ୍କ ସମର୍ଥନ ମଧ୍ୟ କଂଗ୍ରେସ ପାଇଁ ରହିବ। ଫଳରେ କଂଗ୍ରେସ ଆରାମରେ ଗୋଟିଏ ଆସନ ଦଖଲ କରିପାରିବ।