ନୂଆଦିଲ୍ଲୀ: ଭାରତ ପାଇଁ ଚିନ୍ତା ପାଲଟିଥିବା ତବଲିଗି ଜମାତ୍ ଧାର୍ମିକ କାର୍ଯ୍ୟକ୍ରମ ପୂରା ଏସିଆକୁ ବ୍ୟାପିଛି। ଏଥିରେ ଯୋଗ ଦେଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ପୂର୍ବରୁ କୁହାଯାଉଥିବା ସଂଖ୍ୟାଠାରୁ ଅଧିକ। ମିଳିଥିବା ସୂଚନା ଅନୁଯାୟୀ ମ୍ୟାଲେସିଆ ଓ ଭାରତ ପରେ ପାକିସ୍ତାନରେ ଏହା ହଟ୍ସ୍ପଟ୍ ପାଲଟିଛି। କୁହାଯାଉଛି ପାକିସ୍ତାନରେ ଆୟୋଜିତ କାର୍ଯ୍ୟକ୍ରମରେ ୭୦ ହଜାର ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।
ଏହି ସୁନ୍ନି ମିଶନାରୀ ଗ୍ରୁପ୍ ଲାହୋର ନିକଟବର୍ତ୍ତୀ ରାଇୱିଣ୍ଡ ସହରରେ ଦିଲ୍ଲୀ ପରି ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏଯାଏ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୨,୨୫୮ ଜଣଙ୍କ ନମୁନା ପଜିଟିଭ୍ ଆସିଛି। ପାକିସ୍ତାନରେ ଏଯାଏ ମୋଟ ୮,୪୧୮ ପଜିଟିଭ୍ ଆକ୍ରାନ୍ତ ରହିଛନ୍ତି। ଅନ୍ୟପକ୍ଷରେ ଏଠାରେ ୧୭୬ ଜୀବନ ଯାଇଛି।
ପାକିସ୍ତାନରେ ଲକ୍ଡାଉନ୍ ଲାଗୁ ହେବା ଆଗରୁ ଏହି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ମୋଟ ୭୦ ହଜାରଙ୍କ ମଦ୍ୟରୁ ୩୦୦୦ ବାହାରୁ ଆସି ଯୋଗ ଦେଇଥିଲେ।
ଏହି ତବଲିଗି ଜମାତ ସଂଗଠନ ବିଶ୍ୱର ଅନ୍ୟତମ ସର୍ବବୃହତ ଧାର୍ମିକ ସଂଗଠନ। ଏହାର ଉପସ୍ଥିତି ୧୫୦ ଦେଶରେ ଅଛି। ଏହାର ବିଧିବଦ୍ଧ ସଦସ୍ୟତା ନଥିବାରୁ ଏମାନଙ୍କ ସଂଖ୍ୟା ୧୨ ମିଲିଅନ୍ରୁ ୮୦ ମିଲିଅନ୍ ଯାଏ ବୋଲି ଆକଳନ କରାଯାଏ। ଏହାର ଉଦ୍ଦେଶ୍ୟ ମୁସଲିମ୍ଙ୍କ ପାଖରେ ପହଞ୍ଚି ତାଙ୍କୁ ଅଧିକ ଧର୍ମ ପ୍ରତି ଆକୃଷ୍ଟ କରିବା।