ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀ ଓ ତା’ର ଆଖପାଖ ଅଞ୍ଚଳରେ ହାଇ ଆଲର୍ଟ ଜାରି ହୋଇଥିବା ବେଳେ ଗତକାଲି ରାତିରେ ପୋଲିସ ମଥୁରାର ନିଜାମୁଦ୍ଧିନ୍ ଭୋପାଳ ଟ୍ରେନରୁ ଜଣେ ସନ୍ଦିଗ୍ଧକୁ ଗିରଫ କରିଛି। ତା ନାଁ ବିଲାଲ ଅହମ୍ମଦ ଭାଗ୍ୟା। ସେ କାଶ୍ମୀରର ଅନନ୍ତନାଗ ଅଞ୍ଚଳର ବୋଲି ପୋଲିସ ପଚରାଉଚରାରୁ ଜାଣିପାରିଛି। ୨୬ ଜାନୁଆରୀ ଅବସରରେ ଦିଲ୍ଲୀର ଅକ୍ଷରଧାମ ମନ୍ଦିରକୁ ଆତଙ୍କବାଦୀ ଆକ୍ରମଣ କରିବାର ଯୋଜନା କରୁଥିବା ଗିରଫ ସନ୍ଦିଗ୍ଧ ପୋଲିସ ନିକଟରେ ସ୍ୱୀକାର କରିଛି। ଏହାସହିତ ଗିରଫ ସନ୍ଦିଗ୍ଧଙ୍କ ଆଉ ଦୁଇ ବନ୍ଧୁକୁ ମଧ୍ୟ ପୋଲିସ ଖୋଜୁଛି। ସେମାନେ ରହୁଥିବା ଜମା ମସ୍ଜିଦ୍ ନିକଟ ରେଷ୍ଟୁରାଣ୍ଟ, ଓ ଅଲ ରସିଦ୍ ହୋଟେଲ ଉପରେ ପୋଲିସ ଚଢ଼ାଉ କରିଥିଲା। ଏହି ଦୁଇ ସନ୍ଦିଗ୍ଧ ଅଲ ରସିଦ୍ ହୋଟେଲରେ ରହୁଥିଲେ ହେଲେ ୬ ଜାନୁଆରୀ ସକାଳ୮ଟା ୩୦ ମିନିଟ୍ରେ ସେମାନେ ସେଠାରୁ ପଳାଇ ଯାଇଥିବା ଯାଞ୍ଚରୁ ଜଣାପଡ଼ିଛି।
ଗିରଫ ସନ୍ଦିଗ୍ଧର କାର୍ଯ୍ୟକଳାପରେ ସନ୍ଦେହ ଆସିଥିବାରୁ ଟିଟି ଜିଆରପି ପୋଲିସକୁ ଖବର ଦେଇଥିଲେ। ଜିଆରପି ଏନେଇ ଛାନ୍ଭିନ୍ କରିବା ପରେ ଉତ୍ତରପ୍ରଦେଶ ଆତଙ୍କବାଦୀ ବିରୋଧୀ ସେଲ୍କୁ ଜଣାଇଥିଲା। ସନ୍ଦଗ୍ଧକୁ ପୋଲିସ ପ୍ରଥମେ ପଚରାଉଚରା କରିବା ସମୟରେ ସେ ପାଗଳଙ୍କ ପରି ବ୍ୟବହାର କରିଥିଲା। ଏହାପରେ ଜିଆରପି ପୋଲିସ ଉତ୍ତର ପ୍ରଦେଶର ଏଟିଏସ୍କୁ ସୂଚନା ଦେଇଥିଲେ।
ସୂଚନାଯୋଗ୍ୟ, ଗଣତନ୍ତ୍ର ଦିବସ ଦିନ ଡ୍ରୋନ ଓ ବିମାନରୁ ଆକ୍ରମଣ ପାଇଁ ଆତଙ୍କବାଦୀମାନେ ଯୋଜନା କରୁଥିବା କାଲି ଖବର ପାଇବା ପରେ ଦିଲ୍ଲୀ ସମେତ ପଡ଼ୋଶୀ ରାଜ୍ୟକୁ ସତର୍କ ରହିବାକୁ ଗୃହ ମନ୍ତ୍ରାଳୟ ପୋଲିସ ପ୍ରମୁଖ ଓ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ସତର୍କ କରିଥିଲେ।। ଏସବୁ ରାଜ୍ୟଗୁଡ଼ିକ ହେଲା ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ ଓ ହିମାଚଳ ପ୍ରଦେଶ। ଗୃହ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ, ଯେଉଁଠି ବି ଛୋଟ ଛୋଟ ବିମାନ ଅବତରଣ ପାଇଁ ସ୍ଥାନ ଅଛି ସେସବୁର ସୁରକ୍ଷା କଡ଼ାକଡ଼ି କରାଯାଉ। ଏପରିକି ରାଷ୍ଟ୍ରପତି ଭବନରୁ ୩୦୦ କିଲୋମିଟର ଭିତରେ ଆକାଶ ମାର୍ଗରେ କୌଣସି ବିମାନ ଯେପରି ଦେଖା ନ ଦିଅନ୍ତି ସେଥିପାଇଁ ସତର୍କ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।