ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଯୋଗୁ ସବୁଆଡ଼େ ଲକଡାଉନ। ଏହି କାରଣରୁ ସମସ୍ତେ ଘରେ ବନ୍ଦ ହୋଇ ରହିଛନ୍ତି। ତେବେ ଆଗକୁ ଏଭଳି ତାଲାବନ୍ଦ ସ୍ଥିତି ସୃଷ୍ଟି ହେଲେ ଧନୀ ଲୋକମାନେ ସ୍ୱଦେଶ ଛାଡ଼ି କରୋନା ପହଞ୍ଚି ପାରି ନଥିବା ଦେଶକୁ ଚାଲିଯିବାକୁ ଯୋଜନା କରୁଛନ୍ତି।
ବିଶେଷ କରି ନ୍ୟୁଜିଲ୍ୟାଣ୍ଡ ଭଳି ଦେଶକୁ ଯିବାକୁ ଅନେକ ଧନୀ ଲୋକ ଚାହୁଁଛନ୍ତି। କାରଣ ନ୍ୟୁଜିଲ୍ୟାଣ୍ଡ ଏମିତି ଏକ ଦେଶ, ଯେଉଁଠାରେ କରୋନାକୁ ସେଠାକାର ସରକାର ମାତ ଦେବାକୁ ସକ୍ଷମ ହୋଇଛନ୍ତି। ଏଥିପାଇଁ ବହୁତ ଟଙ୍କା ଖର୍ଚ୍ଚ ହେବ। ହେଲେ ଜୀବନକୁ ଉପଭୋଗ କରିବାକୁ ଓ ବଞ୍ଚାଇବାକୁ ଚାହୁଁଥିବା ଧନୀ ଲୋକମାନେ ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପ୍ରସ୍ତୁତ ରହିଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆପଣ ଯେଉଁ ଦେଶରେ ରହିବାକୁ ଚାହୁଁଛନ୍ତି, ସେଠାରେ ଆପଣଙ୍କୁ ପୁଞ୍ଚି ନିବେଶ କରିବାକୁ ପଡ଼ିବ। ଏହାଦ୍ୱାରା ଆପଣ ବେଶ ସମୟ ଧରି ଉକ୍ତ ଦେଶରେ ରହିପାରିବେ କିମ୍ବା ଦରକାର ପଡ଼ିଲେ ନାଗରିକତା ମଧ୍ୟ ଗ୍ରହଣ କରିପାରିବେ। ଏଥିପାଇଁ Henley & Partners ନାମରେ ଗୋଟିଏ କମ୍ପାନୀ ମଧ୍ୟ କାମ କରୁଛି। ଉକ୍ତ କମ୍ପାନୀ ଜରିଆରେ ଆପଣ ପୁଞ୍ଜି ନିବେଶ କରି କୌଣସି ଦେଶରେ ସ୍ଥାୟୀ ନାଗରିକତା ମଧ୍ୟ ଗ୍ରହଣ କରିପାରିବେ।
ଉଦାହରଣ ସ୍ୱରୂପ ଆପଣ ନ୍ୟୁଜିଲ୍ୟାଣ୍ଡକୁ ନେଇପାରନ୍ତି। ଆପଣ ଯଦି ନ୍ୟୁଜିଲ୍ୟାଣ୍ଡରେ ରହିବାକୁ, କାମ କରିବାକୁ କିମ୍ବା ପଢ଼ିବାକୁ ଚାହୁଁଛନ୍ତି, ତା’ହେଲେ ଆପଣଙ୍କୁ ୨ନିୟୁତ ଆମେରିକୀୟ ଡଲାର କିମ୍ବା ୧୦ ନିୟୁତ ନିଉଜିଲାଣ୍ଡ ଡଲାରର ପୁଞ୍ଜି ନିବେଶ କରିବାକୁ ପଡ଼ିବ। ଆପଣ ଯେତେ ପୁଞ୍ଜି ନିବେଶ କରିବ, ତଦ୍ନୁଯାୟୀ ଭିସା ମଧ୍ୟ ମିଳିବ।
ଆପଣ ଯଦି ବିବାହିତ ତା’ହେଲେ ୧.୨ନିୟୁତ ୟୁରୋ ପୁଞ୍ଜି ନିବେଶ କରିବା ସହ ଜମି କିଣିପାରିବେ, ତା’ହେଲେ ଆପଣ ଓ ଆପଣଙ୍କ ପତ୍ନୀଙ୍କୁ ମାଲଟାରେ ନାଗରିକତା ମିଳିପାରିବ।
କରୋନା ଲକଡାଉନ ଲାଗୁ ହେବା ପରେ ଧନୀ ଲୋକମାନେ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଓ ସେଠାକାର ନାଗରିକତା ଗ୍ରହଣ କରିବାକୁ ଅଧିକ ଆଗ୍ରହ ପ୍ରକାଶ କରିଛନ୍ତି। ଏଥିପାଇଁ ୨୦୨୦ର ପ୍ରଥମ ୪ ମାସରେ ସୁରକ୍ଷିତ ସ୍ଥାନ ସମ୍ପର୍କରେ ଇଣ୍ଟରନେଟ୍ରେ ସର୍ଚ୍ଚ କରିବା ଲୋକସଂଖ୍ୟା ୪୯% ବୃଦ୍ଧି ପାଇଛି। ୨୦୧୯ ତୁଳନାରେ ୨୦୨୦ରେ ଅଧିକ ୨୨% ଲୋକ ସୁରକ୍ଷିତ ଦେଶରେ ନାଗରିକତା ଗ୍ରହଣ କରିବାକୁ ଆବେଦନ କରିଛନ୍ତି।
କାରବିୟାନରେ କରୋନାର ପ୍ରକୋପ ନଥିଲେ ମଧ୍ୟ ଧନୀ ଲୋକମାନେ ଏଠାକୁ ଯିବାକୁ ଚାହୁଁନାହାନ୍ତି। ଅଧିକାଂଶ ଲୋକ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ଯିବାକୁ ଆଗ୍ରହ ଦେଖାଉଛନ୍ତି। କେବଳ ବିଦେଶୀ ନାଗରିକ ନୁହନ୍ତି, ଭାରତରେ ରହୁଥିବା ଧନୀ ଲୋକମାନେ ମଧ୍ୟ ଟଙ୍କା ଦେଇ ସୁରକ୍ଷିତ ଦେଶରେ ନାଗରିକତା ଗ୍ରହଣ କରିବାକୁ ଚାହୁଁଛନ୍ତି।
ଏଥିପାଇଁ Henley & Partners ଭାରତରେ ମଧ୍ୟ ତା’ର ବ୍ରାଞ୍ଚ ଖୋଲିବାକୁ ଯୋଜନା କରୁଛି। ଏହାପୂର୍ବରୁ କମ୍ପାନୀ ନାଇଜେରିଆରେ ନିଜର କମ୍ପାନୀ ଖୋଲିଥିଲା।