ନୂଆଦିଲ୍ଲୀ: ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଛି। ଦିଲ୍ଲୀର କିଛି ଅଞ୍ଚଳରେ ଝିପ୍ ଝିପ୍ ବର୍ଷା ହୋଇଥିବାବେଳେ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ବର୍ଷା ସହିତ କୁଆ ପଥର ପଡ଼ିଥିଲା। ତେବେ ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ରବିବାର ଏସବୁ ଅଞ୍ଚଳରେ ପ୍ରବଳ ଖରା ହେବ ବୋଲି ଜଣାପଡ଼ିଛି।
ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ, ଦିଲ୍ଲୀ-ଏନସିଆର, ଉତ୍ତର ପ୍ରଦେଶର ପୂର୍ବାଞ୍ଚଳ, ରାଜସ୍ଥାନର ଉତ୍ତର ଭାଗ, ପଞ୍ଜାବ ଓ ହରିଆଣା ସମେତ ବିଭିନ୍ନ ଅଞ୍ଚଳରେ ଗତକାଲି ଅପରାହ୍ଣରେ ପ୍ରବଳ ବର୍ଷା ହୋଇଥିଲା। ଏହା ପରେ ଦିଲ୍ଲୀରେ ଝିପ୍ ଝିପ୍ ବର୍ଷା ହୋଇଥିଲା। ଉତ୍ତର ପ୍ରଦେଶର ପୂର୍ବଭାଗ ଏବଂ ବିହାରର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସହିତ କୁଆ ପଥର ମାଡ଼ ହୋଇଥିଲା। ଏହା ସହିତ ଝାଡ଼ଖଣ୍ଡ, ସିକିମ, ପଶ୍ଚିମବଙ୍ଗ, ଆସାମ, ମେଘାଳୟ ଏବଂ ନାଗାଲାଣ୍ଡରେ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି।
ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ, ଆଗାମୀ ୩ ଦିନ ମଧ୍ୟରେ ଭାରତର ପ୍ରମୁଖ ଅଞ୍ଚଳରେ ଦିନରେ ତାପମାତ୍ରାରେ ସେତେଟା ପରିବର୍ତ୍ତନ ହେବ ନାହିଁ। ଉତ୍ତର ଭାରତର ପ୍ରମୁଖ ରାଜ୍ୟଗୁଡ଼ିକରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ କମିବ। ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବ।