ନୂଆଦିଲ୍ଲୀ: ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଥିବା ମରକାଜ ମସଜିଦରେ ତାବଲିଘି ଜାମାତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଲୋକମାନେ କରୋନାରେ ଆକ୍ରାନ୍ତ ହେବା ପରେ ଏହାକୁ ନେଇ ଚିନ୍ତା ବଢ଼ିଛି। ସମଗ୍ର ଦେଶରେ ଲକଡାଉନ ପୂର୍ବରୁ ହିଁ ଏଠାରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ତଥାପି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଲୋକମାନେ କରୋନାରେ ଆକ୍ରାନ୍ତ ହେବା ଜଣାପଡ଼ିବା ପରେ ବିବାଦ ଦେଖାଦେଇଛି।
ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ପ୍ରାୟ ୯ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ ତେଲେଙ୍ଗାନାରେ ୬ ଜଣଙ୍କ ଜୀବନ ଯାଇଛି। ସେହିପରି ମହାରାଷ୍ଟ୍ର, ଜମ୍ମୁ-କଶ୍ମୀରରେ କରୋନା ଯୋଗୁ ପ୍ରାଣ ହରାଇଥିବା ଲୋକମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପ୍ରଶାସନ ବହୁ ପୂର୍ବରୁ ସବୁ ଜାଣିଥିଲେ ହେଁ ଏବେ ସବୁ ଦୋଷ ମସଜିଦ ଉପରେ ଲଦିବାରେ ଲାଗିଛି।
ତେବେ ଆସନ୍ତୁ ଜାଣିବା ପୂରା ଘଟଣା-
୧-ମାର୍ଚ୍ଚ ୧୩: ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିଜାମୁଦ୍ଦିନ ମରକାଜରେ ପ୍ରାୟ ୩୪ ଶହ ଲୋକ ଏକାଠି ହୋଇଥିଲେ। ଭାରତ ଓ ଭାରତ ବାହାରୁ ବିଭିନ୍ନ ପ୍ରତିନିଧି ଏଥିରେ ଯୋଗଦେଇଥିଲେ। ମାର୍ଚ୍ଚ ୧୫ ଯାଏ ଏହି କାର୍ଯ୍ୟକ୍ରମ ଚାଲିଥିଲା। ଦେଶରେ ୨୨ ତାରିଖରୁ ହିଁ କଟକଣା ଲାଗୁ କରାଯାଇଛି।
୨-ମାର୍ଚ୍ଚ ୧୬: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଥିଲେ ହେଁ ୫୦ରୁ ଅଧିକ ଲୋକଙ୍କୁ ନେଇ କୌଣସି ଧାର୍ମିକ କାର୍ଯ୍ୟକ୍ରମ ମାର୍ଚ୍ଚ ୩୧ ଯାଏ ଅନୁଷ୍ଠିତ ହୋଇପାରିବ ନାହିଁ।
୩- ମାର୍ଚ୍ଚ ୨୦- ଦିଲ୍ଲୀରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ୧୦ ଜଣ ଇଣ୍ଡୋନେସିଆ ନାଗରିକ ତେଲେଙ୍ଗାନାରେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।
୪-ମାର୍ଚ୍ଚ ୨୨- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସମଗ୍ର ଦେଶରେ ଗୋଟିଏ ଦିନ ପାଇଁ ଜନତା କର୍ଫ୍ୟୁ ପାଳନ କରାଯାଇଥିଲା। ଏହି ସମୟରେ କେହି ବି ଘରୁ ବାହାରି ନଥିଲେ।
୫-ମାର୍ଚ୍ଚ ୨୩-ଜନତା କର୍ଫ୍ୟୁ ସରିବା ପରେ ମରକାଜରେ ଫସି ରହିଥିବା ୧୨ ଶହ ଲୋକ ସ୍ଥାନ ଖାଲି କରିଥିଲେ।
୬-ମାର୍ଚ୍ଚ ୨୪-ପ୍ରଧାନମନ୍ତ୍ରୀ ମୋଦି ୨୧ ଦିନ ପାଇଁ ସମଗ୍ର ଦେଶରେ ଲକଡାଉନ ଘୋଷଣା କରିଥିଲେ।
୭-ମାର୍ଚ୍ଚ ୨୪- ମରକାଜରେ ଥିବା ଲୋକଙ୍କୁ ପୁଲିସ୍ ସ୍ଥାନ ଖାଲି କରିବାକୁ ପଡ଼ିଥିଲା।
୮-ମାର୍ଚ୍ଚ ୨୫-ମେଡିକାଲ ଟିମ ମରକାଜ ଯିବା ସହ କରୋନା ସନ୍ଦିଗ୍ଧମାନଙ୍କୁ ବିଲଡିଂ ମଧ୍ୟରେ ଥିବା ହଲ ମଧ୍ୟରେ ଆଇସୋଲେସନରେ ରଖାଯାଇଥିଲା। ଜାମାତ ଅଧିକାରୀମାନେ ଏସଡିଏମଙ୍କ ଦ୍ୱାରସ୍ଥ ହୋଇ ଲୋକଙ୍କୁ ଗାଡ଼ିର ପାସ୍ ଦେଲେ ସେମାନେ ସେଠାରୁ ଚାଲିଯିବେ ବୋଲି ଦରଖାସ୍ତ ଦେଇଥିଲେ।
ମାର୍ଚ୍ଚ-୨୬- ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଜଣେ ମୌଲବୀ ଶ୍ରୀନଗରରେ କରୋନା ଯୋଗୁ ପ୍ରାଣ ହରାଇଥିଲେ।
ମାର୍ଚ୍ଚ ୨୬- ସିଡିଏମ ମରକାଜ ଯିବା ସହ ଜାମାତ ଅଧିକାରୀଙ୍କୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ ବୈଠକ କରି ପାସ ବିଷୟରେ କଥା ହେବାକୁ କହିଥିଲେ।
ମାର୍ଚ୍ଚ ୨୭-ମରକାଜରୁ ୬ ଜଣ ସନ୍ଦିଗ୍ଧଙ୍କୁ ମେଡିକାଲ ଚେକଅପ ପାଇଁ ନିଆଯାଇଥିଲା। ଏହାପରେ ହରିଆଣାର ଝାଜରରେ ଥିବା କ୍ୱାରେଣ୍ଟାଇନ ହଲରେ ରଖାଯାଇଥିଲା।
ମାର୍ଚ୍ଚ ୨୮-ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ପ୍ରତିନିଧି ଦଳ ଏସଡିଏମଙ୍କ ସହ ମରକାଜ ଯାଇଥିଲେ। ଏଠାରୁ ୩୩ ଜଣଙ୍କୁ ମେଡିକାଲ ଚେକଅପ ପାଇଁ ଅଣାଯିବା ସହ ସମସ୍ତଙ୍କୁ ଦିଲ୍ଲୀର ରାଜୀବ ଗାନ୍ଧି କ୍ୟାନସର ହସ୍ପିଟାଲରେ ଥିବା ଆଇସୋଲେସନ ୱାର୍ଡରେ ଭର୍ତ୍ତି କରିଥିଲେ।
ମାର୍ଚ୍ଚ ୨୮-ଲଜପଥ ନଗର ଏସପି ତୁରନ୍ତ ମରକାଜ ଖାଲି କରିବାକୁ ନୋଟିସ ଦେଇଥିଲେ।
ମାର୍ଚ୍ଚ ୨୯-ମରକାଜ ପକ୍ଷରୁ ନୋଟିସର ଜବାବରେ କୁହାଯାଇଥିଲା ଯେ କୌଣସି ନୂଆ ଲୋକ ଏହା ମଧ୍ୟକୁ ଆସି ନାହାନ୍ତି। ଯେଉଁମାନେ ପୂର୍ବରୁ ଥିଲେ ସେହିମାନେ ଅଛନ୍ତି। ଲକଡାଉନର ଯଥେଷ୍ଟ ପୂର୍ବରୁ ଏହି କାର୍ଯ୍ୟକ୍ରମ ହୋଇଥିଲା। ମୋଦିଜୀ ଲକଡାଉନ ଘୋଷଣା କରିବା ବେଳେ କହିଥିଲେ ଯେ ଯିଏ ଯେଉଁଠି ଅଛନ୍ତି, ସେଇଠି ରୁହନ୍ତୁ। ତେଣୁ ଆମେ ଏହା ମଧ୍ୟରେ ରହିଛୁ।
ମାର୍ଚ୍ଚ ୨୯-ପୁଲିସ୍ ଓ ସ୍ୱାସ୍ଥ୍ୟ ଅଧିକାରୀମାନେ ମରକାଜରୁ ବାହାରେ ଥିବା ଲୋକମାନଙ୍କ ସହ କଥା ହୋଇ ସମସ୍ତଙ୍କୁ ହସ୍ପିଟାଲ ଓ କ୍ୱାରେଣ୍ଟାଇନ କରିଥିଲେ।
ଦିଲ୍ଲୀ ପୁଲିସ୍ କହିଥିଲେ ଯେ ମସଜିଦ କମିଟିକୁ ମାର୍ଚ୍ଚ ୨୩ ଓ ମାର୍ଚ୍ଚ ୨୮ରେ ନୋଟିସ କରାଯାଇଥିଲା। ସୂତ୍ର ଅନୁସାରେ, ମାର୍ଚ୍ଚ ୨୩ରେ ପ୍ରାୟ ୧୫ ଶହ ଲୋକଙ୍କୁ ସେମାନଙ୍କ ରାଜ୍ୟକୁ ପଠା ଯାଇଥିଲା। କିନ୍ତୁ ଏମାନଙ୍କ ମଧ୍ୟରେ କେତେ ଜଣ କରୋନା ରୋଗୀ ଥିଲେ, ତାହା ଜଣାପଡ଼ିନାହିଁ।
ମସଜିଦ ପକ୍ଷରୁ କୁହାଯାଇଛି ମାର୍ଚ୍ଚ ୨୩ରେ ପୁଲିସ୍କୁ ଲୋକଙ୍କ ଯିବା ପାଇଁ ପାସ୍ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲୁ। ହେଲେ ପୁଲିସ୍ କୌଣସି କଥା ଶୁଣି ନଥିଲା।