ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଁ ଆଜି ନିର୍ବାଚନ। ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦ ଓ ମିଳିତ ବିରୋଧୀ ପ୍ରାର୍ଥୀ ମୀରା କୁମାରଙ୍କ ମଧ୍ୟରେ ହେବ ଲଢେଇ। ମତଦାନ ଲାଗି ପାର୍ଲାମେଣ୍ଟରୁ ବିଧାନସଭା ଯାଏଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। କେନ୍ଦ୍ର ନିର୍ବାଚନ କମିଶନ ସବୁ ରାଜ୍ୟକୁ ପର୍ଯ୍ୟବେକ୍ଷକ ପଠାଇ ସାରିଛନ୍ତି। ବିଧି ଅନୁଯାୟୀ ସାଂସଦମାନେ ପାର୍ଲାମେଣ୍ଟରେ ଭୋଟ ଦେବେ। ବିଧାୟକ ବିଧାନସଭାରେ ମତଦାନ କରିବେ। ଯେଉଁ ସାଂସଦ ଚାହିଁବେ ସେ ବିଧାନସଭାରେ ବି ମତାଧିକାର ସାବ୍ୟସ୍ତ କରିପାରିବେ। ଲୋକସଭା ଓ ରାଜ୍ୟସଭାର ୭୦୮ ସାଂସଦ ଏବଂ ବିଭିନ୍ନ ରାଜ୍ୟର ବିଧାୟକମାନେ ରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ କରିବେ। ସକାଳ ୧୦ଟାରୁ ୫ଟା ଯାଏଁ ମତଦାନ ଚାଲିବ। ଭୋଟ ଦେବାକୁ ଗଲା ବେଳେ ସାଂସଦ ଓ ବିଧାୟକମାନେ କଲମ କିମ୍ବା କୌଣସି ଇଲକ୍ଟ୍ରୋନିକ୍ସ ଉପକରଣ ନେଇପାରିବେ ନାହିଁ। ବାଲଟ୍ ପେପରରେ ପ୍ରଥମ ପସନ୍ଦ ପାଇଁ ୧ ଓ ଦ୍ୱିତୀୟ ପସନ୍ଦ ପାଇଁ ୨ ଲେଖିବେ। ଯେଉଁମାନେ ଚାହିଁବେ ସେମାନେ ଦ୍ୱିତୀୟ ପସନ୍ଦ ଲେଖି ନ ପାରନ୍ତି। ଭୋଟ ଦେବା ପରେ ବିଧାୟକ ଓ ସାଂସଦ କାହାକୁ ଦେଖାଇ ପାରିବେ ନାହିଁ। ରାଷ୍ଟ୍ରପତି ନିର୍ବାଚନ ମତଦାନ ପାଇଁ ଓଡ଼ିଶା ବିଧାନସଭାରେ ବି ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଓଡ଼ିଶାର ପ୍ରତି ସାଂସଦଙ୍କ ଭୋଟ ମୂଲ୍ୟ ୭୦୮ ଥିବା ବେଳେ ବିଧାୟକଙ୍କ ଭୋଟ୍ ମୂଲ୍ୟ ରହିଛି ୧୪୯। ରାଜ୍ୟର ମୋଟ୍ ଇଲକ୍ଟ୍ରୋରାଲ କଲେଜର ମୂଲ୍ୟ ରହିଛି ୧୦ଲକ୍ଷ ୯୮ହଜାର ୯୦୩। ଆସନ୍ତା ୨୦ ତାରିଖରେ ଭୋଟ୍ ଗଣତି କରାଯିବ। ତେବେ ସଂଖ୍ୟା ଦୃଷ୍ଟିରୁ କୋବିନ୍ଦଙ୍କ ବିଜୟ ସମ୍ଭାବନା ଉଜ୍ଜ୍ୱଳ ରହିଛି।