ଲୋକସଭାରେ ଆଗତ ହେଲା ଟ୍ରିପଲ୍ ତଲାକ୍ ବିଲ୍‌, ସପକ୍ଷରେ ୧୮୬, ବିପକ୍ଷରେ ୭୪ ଭୋଟ୍‌

ନୂଆଦିଲ୍ଲୀ: ପୂର୍ବ ଏନ୍‌ଡିଏ ସରକାର ସମୟରେ ରାଜ୍ୟସଭାରେ ପାରିତ ହୋଇପାରିନଥିବା ‘ଟ୍ରିପଲ୍ ତଲାକ୍’ ବିଲ୍‌ ନୂଆ ରୂପରେ ଆଜି ଲୋକସଭାରେ ଆଗତ ହୋଇଛି। କେନ୍ଦ୍ର ଆଇନ୍‌ମନ୍ତ୍ରୀ ରବିଶଙ୍କର ପ୍ରସାଦ ବିରୋଧୀଙ୍କ ହୋ-ହଲ୍ଲା ମଧ୍ୟରେ ଆଜି ଲୋକସଭାରେ ଏହାକୁ ଆଗତ କରିଥିଲେ। ତେବେ ବିରୋଧୀ ଦଳ ପକ୍ଷରୁ ଏହାକୁ ଜୋରଦାର ବିରୋଧ କରାଯିବା ସହ ଏପରି ବିଲ୍‌ ଆଗତ କରିବା ସମ୍ବିଧାନ ବିରୋଧୀ ବୋଲି କୁହାଯାଇଥିଲା। ବିଲ୍‌ ଆଗତ କରିବା ସପକ୍ଷରେ ଓ ବିପକ୍ଷରେ କେତେଜଣ ଅଛନ୍ତି, ଏହା […]

tr

Hemant Lenka
  • Published: Friday, 21 June 2019
  • , Updated: 21 June 2019, 03:32 PM IST

ନୂଆଦିଲ୍ଲୀ: ପୂର୍ବ ଏନ୍‌ଡିଏ ସରକାର ସମୟରେ ରାଜ୍ୟସଭାରେ ପାରିତ ହୋଇପାରିନଥିବା ‘ଟ୍ରିପଲ୍ ତଲାକ୍’ ବିଲ୍‌ ନୂଆ ରୂପରେ ଆଜି ଲୋକସଭାରେ ଆଗତ ହୋଇଛି। କେନ୍ଦ୍ର ଆଇନ୍‌ମନ୍ତ୍ରୀ ରବିଶଙ୍କର ପ୍ରସାଦ ବିରୋଧୀଙ୍କ ହୋ-ହଲ୍ଲା ମଧ୍ୟରେ ଆଜି ଲୋକସଭାରେ ଏହାକୁ ଆଗତ କରିଥିଲେ। ତେବେ ବିରୋଧୀ ଦଳ ପକ୍ଷରୁ ଏହାକୁ ଜୋରଦାର ବିରୋଧ କରାଯିବା ସହ ଏପରି ବିଲ୍‌ ଆଗତ କରିବା ସମ୍ବିଧାନ ବିରୋଧୀ ବୋଲି କୁହାଯାଇଥିଲା।

ବିଲ୍‌ ଆଗତ କରିବା ସପକ୍ଷରେ ଓ ବିପକ୍ଷରେ କେତେଜଣ ଅଛନ୍ତି, ଏହା ଜାଣିବା ପାଇଁ ବାଚସ୍ପତି ଓମ୍‌ ବିର୍ଲା ଭୋଟିଂ ବ୍ୟବସ୍ଥା ଆପଣାଇଥିଲେ। ଏହି ସମୟରେ ବିଲ୍‌ ସପକ୍ଷରେ ୧୮୬ ଜଣ ସାଂସଦ ଭୋଟିଂ କରିଥିବା ବେଳେ ବିପକ୍ଷରେ ୭୪ ଜଣ ଯାଇଥିଲେ। ଓଡ଼ିଶାର କ୍ଷମତାସୀନ ବିଜେଡି ଭୋଟଦାନ ପ୍ରକ୍ରିୟାରୁ ବିରତ ରହିଥିଲା। ଲୋକସଭାରେ ଦଳର ୧୨ ଜଣ ସାଂସଦ ଅଛନ୍ତି। ବିଜେଡି ଭୋଟଦାନରୁ ବିରତ ରହିଥିବା ନେଇ ସଂସଦୀୟ ଦଳର ମୁଖ୍ୟ ପିନାକୀ ମିଶ୍ର ସୂଚନା ଦେଇଛନ୍ତି।

ମୁସଲିମ୍ ମହିଳା (ବିବାହ ଅଧିକାର ସୁରକ୍ଷା) ବିଲ୍ ୨୦୧୯ ମୋଦି-୨ ସରକାରଙ୍କ ଲୋକସଭାରେ ପ୍ରଥମ ବିଲ୍‌ ଭାବେ ଆଗତ ହୋଇଛି। ଲିଙ୍ଗଗତ ସମାନତା ଓ ନ୍ୟାୟ ପ୍ରଦାନ ପାଇଁ ଏଭଳି ବିଲ୍‌ର ଆବଶ୍ୟକତା ରହିଛି ବୋଲି ରବିଶଙ୍କର ପ୍ରସାଦ କହିଛନ୍ତି। ଏଭଳି ବିଲ୍‌ ଧର୍ମ ଆଧାରରେ ନୁହେଁ, ବରଂ ନ୍ୟାୟ ଆଧାରରେ ପ୍ରସ୍ତୁତ ହୋଇଛି।

ଦେଶରେ ୫୪୩ଟି ଟ୍ରିପଲ୍ ତଲାକ୍ ଘଟଣାରେ ମୁସଲିମ ମହିଳାମାନେ କେମିତି ନିର୍ଯାତିତ ହେଉଛନ୍ତି, ତା’ର ଉଦାହରଣ ରହିଛି। ସୁପ୍ରିମକୋର୍ଟ ଟ୍ରିପଲ୍ ତଲାକ୍ ପ୍ରଥାକୁ ବ୍ୟାନ୍‌ କରିବା ପରେ ମଧ୍ୟ ୨୦୦ଟି ଘଟଣା ଘଟିଛି। ଏହା ମହିଳାଙ୍କ ସମ୍ମାନର କଥା। ଆମେ ମହିଳାଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରସାଦ କହିଛନ୍ତି।

ଏହାପରେ ବାଚସ୍ପତି ଓମ ବିର୍ଲା ବିଲ୍‌ ଆଗତ କରିବାକୁ କହିଥିଲେ। କିନ୍ତୁ ଏହାକୁ ବିରୋଧୀ ଦଳଗୁଡ଼ିକ ବିରୋଧ କରିଥିଲେ। ହୋହଲ୍ଲା ହେବାରୁ ବାଚସ୍ପତି ବିରୋଧୀଙ୍କୁ ସେମାନଙ୍କ ମତ ରଖିବାକୁ କହିଥିଲେ।

କଂଗ୍ରେସ ନେତା ଶଶି ଥରୁର କହିଛନ୍ତି, ଏହା ଘରୋଇ ମାମଲା ଏଥିରେ ଜେଲଦଣ୍ଡ କିପରି ରହିପାରିବ? ଏଆଇଏମଆଇଏମର ସାଂସଦ ଅସାଦୁଦ୍ଦିନ ଓୱେସୀ କହିଥିଲେ, “ବିଜେପି ମୁସଲିମ ମହିଳାଙ୍କୁ ନ୍ୟାୟ ଦେବା କଥା କହୁଛି। ହେଲେ ସେମାନେ ହିନ୍ଦୁ ମହିଳାଙ୍କ ଅଧିକାର ଛଡ଼ାଇ ନେଉଛନ୍ତି। କେରଳର ସାବରୀମାଲା ମନ୍ଦିରରେ ମହିଳାଙ୍କୁ ବିଜେପି ବିରୋଧ କରୁଛି।” କଂଗ୍ରେସ ଓ ଆରଏସ୍‌ପି ମଧ୍ୟ ଏହି ବିଲ୍‌କୁ ବିରୋଧ କରିଥିଲେ।

ଇସ୍‌ଲାମ ଧର୍ମରେ ଇନଷ୍ଟାଣ୍ଟ ବା ତତ୍କାଳ ଟ୍ରିପଲ୍ ତଲାକ୍ ବ୍ୟବସ୍ଥା ରହିଛି। ଏହାଦ୍ୱାରା ଜଣେ ମୁସଲିମ ପୁରୁଷ ତିନିଥର ତଲାକ ଉଚ୍ଚାରଣ କରିଦେଲେ, ତାଙ୍କର ବିବାହ ବିଚ୍ଛେଦ ହେଉଯାଉଥିଲା। ଏହି ନାରୀ ବିରୋଧୀ ପ୍ରଥାକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ଫେବୃଆରୀ ମାସରେ ଅଧ୍ୟାଦେଶ ଆଣିଥିଲେ। ଏହି ବିଲ୍‌ ପାରିତ ହେଲେ ତତ୍କାଳ ତିନି ଥର ତଲାକ୍‌ କହି ଛାଡ଼ପତ୍ର ଦେଉଥିବା ମୁସଲିମ୍‌ ପୁରୁଷଙ୍କୁ ୩ ବର୍ଷ ଜେଲଦଣ୍ଡ ଦିଆଯାଇ ପାରିବ।

ଗତ ସପ୍ତାହରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଥିଲେ ଯେ ଏହି ବିଲ୍‌ ସରକାରଙ୍କ ‘ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ’ ଲକ୍ଷ୍ୟର ଏକ ଅଂଶ। ବିଧେୟକ ପାରିତ ହୋଇନଥିବାରୁ ସରକାର କେବଳ ଅଧ୍ୟାଦେଶ ବଳରେ ତତ୍କାଳ ଟ୍ରିପଲ ତଲାକ୍‌କୁ ବେଆଇନ ଘୋଷିତ କରି ନିର୍ଦ୍ଦେଶ ଦେଇଥିଲେ। ନୂଆ ବିଲ୍‌ ଏହି ଅଧ୍ୟାଦେଶର ନକଲ।

୧୭ତମ ଲୋକସଭାର ପ୍ରଥମ ଅଧିବେଶନରେ ଏହି ବିଲ ସମେତ ୧୦ଟି ଅଧ୍ୟାଦେଶକୁ ଆଇନରେ ପରିଣତ କରିବାର ଯୋଜନା କରିଛନ୍ତି।

Related story