ନୂଆଦିଲ୍ଲୀ: ଲୋକସଭାରେ ପାସ୍। କିନ୍ତୁ ରାଜ୍ୟ ସଭାରେ ଫେଲ୍। ମୁହାଁମୁହିଁ ସରକାର ଓ ବିରୋଧୀ। ବହୁ ଚର୍ଚ୍ଚିତ ଟ୍ରିପ୍ଲ ତଲାକ୍ ବିଲକୁ ନେଇ ରାଜ୍ୟ ସଭାରେ ବିରୋଧୀଙ୍କ ହଙ୍ଗାମା ଜାରି। ବିଲରେ କେତେକ ଅସଙ୍ଗତି ଥିବା କଂଗ୍ରେସ ଅଭିଯୋଗ ଆଣିବା ସହ ଏହାର ସଂଶୋଧନ ଦାବି କରିଛି । ତେଣୁ ପ୍ରବଳ ବିରୋଧ ଯୋଗୁ ଗତକାଲି ବି ରାଜ୍ୟ ସଭାରେ ଏହି ବିଲ ପାରିତ ହୋଇପାରି ନାହିଁ। ଏହି ବିଲ୍ ଚୟନ କମିଟିକୁ ଫେରେଇବା ନେଇ କଂଗ୍ରେସ କରିଥିବା ଦାବିରେ ଅଟଳ ରହିଛି। ସରକାରଙ୍କ ଦ୍ୱାରା ଆଗତ ହୋଇଥିବା ଏହି ବିଲ୍କୁ ଜୋର୍ଦାର ବିରୋଧ କରି ଏଥିରେ ସଂଶୋଧନ ପାଇଁ ସିଲେକ୍ଟ କମିଟିକୁ ପଠାଇବା ଦାବିରେ ବିରୋଧୀ ଦଳଗୁଡ଼ିକ ଜିଦରେ ଅଡ଼ିବସିଛନ୍ତି। ସେପଟେ ବିଲ୍କୁ ଚୟନ କମିଟିକୁ ପଠାଇବା ନେଇ କୌଣସି କାରଣ ନାହିଁ ବୋଲି ସରକାର ଯୁକ୍ତି ରଖିଛନ୍ତି। ତେବେ ଆସନ୍ତାକାଲି ଶୀତ ଅଧିବେଶନ ଶେଷ ହେଉଥିବା ବେଳେ ଏହି ବିଲ୍ ପାରିତ ନେଇ ଅନିଶ୍ଚିତତା ଦେଖାଦେଇଛି। ପୁଣି ଜାନୁୟାରୀ ୩୦ରୁ ବଜେଟ୍ ଅଧିବେଶନ ଆରମ୍ଭ ହେବ। ଆଜି ରାଜ୍ୟସଭାରେ ବିଲ୍କୁ ନେଇ ଆଲୋଚନା ହୋଇଥିଲେ ମଧ୍ୟ ବିରୋଧୀଙ୍କ ପକ୍ଷରୁ ପ୍ରବଳ ହଟ୍ଟଗୋଳ ହୋଇଥିଲା।
ସୂଚନାଯୋଗ୍ୟ ଯେ ସୁପ୍ରିମ୍ କୋର୍ଟ ତିନି ତଲାକକୁ ବେଆଇନ୍ ବୋଲି ଘୋଷଣା କରିବା ପରେ ସରକାର ଏନେଇ ଗୃହରେ ବିଲ୍ ଆଣିଥିଲେ। ଟ୍ରିପଲ ତଲାକ୍ ଦେଉଥିବା ମୁସଲିମଙ୍କୁ ୩ ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା କରାଯାଇଛି। ସେହିପରି ଏହି ମାମଲାକୁ ଜାମିନବିହୀନ ଗିରଫ ପରୱାନା ତାଲିକାରେ ଶ୍ରେଣୀଭୁକ୍ତ କରାଯାଇଛି। ହେଲେ ଯେହେତୁ ରାଜ୍ୟ ସଭାରେ ବିଜେପି ସଦସ୍ୟଙ୍କ ସଂଖ୍ୟା ବହୁମତ ନାହିଁ ସେଥିନେଇ କେନ୍ଦ୍ର ସରକାର ସମସ୍ୟାରେ ପଡ଼ିଛନ୍ତି।