ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଭାରତକୁ ସହଯୋଗର ହାତ ବଢ଼ାଇଛି ଆମେରିକା। ଏଥିପାଇଁ ୨୯ ଲକ୍ଷ ଡଲାର ପଠାଇଛନ୍ତି ଟ୍ରମ୍ପ ସରକାର। ଦିଲ୍ଲୀରେ ଥିବା ଆମେରିକା ଦୂତାବାସ ଏହି ସୂଚନା ଦେଇଛି। ୨୯ ଲକ୍ଷ ଡଲାର ମଧ୍ୟରେ ୧୪ ଲକ୍ଷ ଡଲାର ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ପାଇଁ ରହିଛି।
ଆମେରିକାର ଏଭଳି ସହଯୋଗ ପଛରେ ଭିନ୍ନ ଉଦ୍ଦେଶ୍ୟ ରହିଛି ବୋଲି ଆକଳନ କରାଯାଉଛି। କାରଣ ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୬୨୦ ଛୁଇଁଛି। ୩୩୬, ୮୫୧ ଆକ୍ରାନ୍ତ ରହିଛନ୍ତି। ମୃତ୍ୟୁ ସଂଖ୍ୟା ହାରାହାରି ପ୍ରତିଦିନ ୫୦୦ ରହିଛି। କୌଣସି ଭେକସିନ କିମ୍ୱା ଔଷଧ ବାହାରିନାହିଁ। ଏଭଳି ସ୍ଥିତିରେ ପ୍ରାଥମିକ ଭାବରେ ଆକ୍ରାନ୍ତଙ୍କ ସଂଖ୍ୟାକୁ ରୋକିବା ପାଇଁ ଟ୍ରମ୍ପ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି।
କରୋନାକୁ ନେଇ ଅନେକ ଗବେଷକ ଅନୁଧ୍ୟାନ କରୁଥିବା ବେଳେ କିଛି କରୋନା ଆକ୍ରାନ୍ତଙ୍କ ଶରୀରରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧ ପ୍ରୟୋଗ କରି ସଫଳ ହୋଇଛି ଆମେରିକା। ଯଦିଓ ଏହି ଔଷଧ କରୋନା ଆକ୍ରାନ୍ତଙ୍କ ପାଇଁ ବ୍ୟବହୃତ ହେବ ବୋଲି ସରକାରୀ ଭାବରେ କୁହାଯାଇନାହିଁ। ହେଲେ ଡାକ୍ତରମାନେ ଏହାକୁ ପ୍ରୟୋଗ କରି କିଛି ମାତ୍ରାରେ ସଫଳ ହୋଇଛନ୍ତି। ଏହି ଔଷଧ କେବଳ ଭାରତ ପାଖରେ ରହିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ମୋଦି ସରକାର ଏହି ଔଷଧର ରପ୍ତାନୀ ଉପରେ ରୋକ୍ ଲଗାଇଛନ୍ତି। ଭାରତ ରୋକ୍ ଲଗାଇବା ପରେ ଆମେରିରା ଏବଂ ଅନ୍ୟାନ୍ୟ ଦେଶ କିନ୍ତୁ ଆମଦାନୀ ପାଇଁ ନିବେଦନ କରିଛନ୍ତି।
ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଏକ ଆଣ୍ଟି ମାଲେରିଆ ଔଷଧ। ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହାର ଦୁଇ ସପ୍ତାହ ପୂର୍ବରୁ କହିଥିଲେ, କୋଭିଡ-୧୯ର ଚିକିତ୍ସା ବେଳେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧର ଚାହିଦା ବୃଦ୍ଧି ପାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଏଫଡିଏ ଦ୍ୱାରା ଏହି ଔଷଧ ଅନୁମୋଦିତ ହୋଇଛି।
କରୋନା ଭାଇରସର ମୁକାବିଲା କରିବା ପାଇଁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭିଡିଓ କନଫରେନସିଂ ଜରିଆରେ କଥା ହୋଇଥିଲେ। କରୋନା ମୁକାବିଲା କରିବା ପାଇଁ ଦୁଇ ଦେଶ ପରସ୍ପରକୁ ସହଯୋଗ କରିବେ ବୋଲି ସଂକଳ୍ପ ନେଇଛନ୍ତି। ଏହି ଭିଡିଓ କନଫରେନସିଂ ଜରିଆରେ ଟ୍ରମ୍ପ ମୋଦିଙ୍କୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧ ରପ୍ତାନୀ କରିବାକୁ କହିଛନ୍ତି। ଯାହାକୁ ସେ ମଧ୍ୟ ନିଜେ ଖାଇବେ ବୋଲି କହିଛନ୍ତି। ଭିଡିଓ କନଫରେନସିଂ ହେବାର ଗୋଟିଏ ଦିନ ପରେ ଆମେରିକା ଭାରତରୁ ୨୯ ଲକ୍ଷ ଡଲାର କରୋନା ମୁକାବିଲା ପାଇଁ ଦେଇଛି। ଆମେରିକା ଏହି ଟଙ୍କା ହାଇଡ୍ରୋକ୍ଲିକ୍ଲୋରୋକୁଇନ୍ ଔଷଧ ନେବା ପାଇଁ ପରୋକ୍ଷରେ ଏଭଳି ଟଙ୍କା ଦେଇଛି ବୋଲି କୁହାଯାଉଛି।
ଅନ୍ୟପଟେ ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ଦେଶର ମୃତ୍ୟୁ ସଂଖ୍ୟା ୧୦୦ ପାର୍ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪,୦୬୭ ଛୁଇଁଛି। ଏବେ ମୋଟ୍ ୩,୬୬୬ ଜଣ ଚିକିତ୍ସିତ ହେଉଛନ୍ତି। ୨୯୧ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ମହାରାଷ୍ଟ୍ର ପ୍ରଥମରେ ରହିଥିବା ବେଳେ ତାମିଲନାଡୁ ଦ୍ୱିତୀୟରେ ଏବଂ ଦିଲ୍ଲୀ ତୃତୀୟରେ ରହିଛି।