ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ‘ବାୟୁ’ ବାତ୍ୟାର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଏବଂ କେନ୍ଦ୍ର ଏଥିପାଇଁ କିଭଳି ଭାବରେ ପ୍ରସ୍ତୁତ ରହିବେ ସେନେଇ ଏଥିରେ ଆଲୋଚନା ହୋଇଛି।
ଶାହ ଏହି ଅବସରରେ ଲୋକମାନଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ବିଦ୍ୟୁତ, ଟେଲିକମ୍ୟୁନିକେସନ୍, ସ୍ୱାସ୍ଥ୍ୟ ଏବଂ ପିଇବା ପାଣି ଭଳି ମୌଳିକ ଆବଶ୍ୟକତା ପୂରଣ କରିବାରେ ଯେପରି କୌଣସି ଅସୁବିଧା ନହୁଏ, ତାହା ନିଶ୍ଚିତ କରିବା ଉପରେ ଶାହ ଗୁରୁତ୍ୱ ଦେଇଛନ୍ତି। ବାତ୍ୟା ସମୟରେ ଏସବୁ ସେବା କ୍ଷେତ୍ରରେ କ୍ଷୟକ୍ଷତି ହେଲେ ତୁରନ୍ତ ସଜାଡ଼ିବା ପାଇଁ ପ୍ରସ୍ତୁତ ରହିବାକୁ ମଧ୍ୟ ସେ କହିଛନ୍ତି।
ଆଜି ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟିର ମଧ୍ୟ ବୈଠକ ହେବାର ଅଛି। ଏଥିରେ କ୍ୟାବିନେଟ୍ ସଚିବ ଅଧ୍ୟକ୍ଷତା କରିବେ। ଗୁଜରାଟର ମୁଖ୍ୟ ଶାସନ ସଚିବ ଏବଂ ଡିଉ ସରକାରଙ୍କ ପରାମର୍ଶଦାତା ଏଥିରେ ଯୋଗଦେବେ।
ଏହି ବାତ୍ୟା ପୂର୍ବରୁ ନୌବାହିନୀ, କୋଷ୍ଟଗାର୍ଡ, ସ୍ଥଳସେନା ଏବଂ ବାୟୁସେନା ମଧ୍ୟ ପ୍ରସ୍ତୁତ ରହିଛନ୍ତି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟା ବାୟୁ ଜୁନ୍ ୧୩ ତାରିଖ ସକାଳେ ପୋରବନ୍ଦର ଏବଂ ମହୁୱା ମଝିରେ କୌଣସି ଏକ ସ୍ଥାନରେ ସ୍ଥଳଭାଗ ଛୁଇଁବ ବା ଲ୍ୟାଣ୍ଡଫଲ୍ କରିବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିମି ରହିବ। ସେହିପରି ବେଳେବେଳେ ପବନର ବେଗ ୧୩୫ କିମି ରହିପାରେ ବୋଲି ଆଶଙ୍କା କରାଯାଉଛି।
ସରକାରୀ ସୂଚନା ଅନୁଯାୟୀ, ଗୁଜରାଟର ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟା ‘ବାୟୁ’ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏପରିକି କିଛି ସ୍ଥାନରେ ୧ ମିଟରରୁ ୧.୫ ମିଟର ଉଚ୍ଚର ଜୁଆର ସ୍ଥଳଭାଗକୁ ମାଡ଼ିଆସିବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ। ବିଶେଷ କରି ତଳିଆ ଅଞ୍ଚଳ ଯଥା କଚ୍ଛ, ଦେବଭୂମି, ଦ୍ୱାରକା, ପୋରବନ୍ଦର, ଜୁନାଗଡ଼, ଡିଉ, ଗିର ସୋମନାଥ, ଆମ୍ରେଲି, ଭାବନଗର ଆଦି ଅଞ୍ଚଳ ଏହାଦ୍ୱାରା ଗଭୀର ଭାବରେ ପ୍ରଭାବିତ ହେବାର ଆଶଙ୍କା ରହିଛି।