‘ଭାବିଜୀ ପାମ୍ପଡ’ ଖାଆନ୍ତୁ, କରୋନାକୁ ମାତ୍ ଦିଅନ୍ତୁ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ସଙ୍କଟ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମେଘୱାଲା ‘ଭାବିଜୀ’ କ୍ରିସିପ୍ ପାମ୍ପଡ ଲଞ୍ଚ କରିଛନ୍ତି। ଏହି ପାମ୍ପଡ ଦେଶରୁ କରୋନା ଭାଇରସକୁ ଦୂରେଇବାରେ ସହଯୋଗ କରିବ ବୋଲି ମଧ୍ୟ ସେ କହିଛନ୍ତି। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସଂସଦୀୟ ବ୍ୟାପାର, ଜଳ ସମ୍ପଦ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିବା ମେଘୱାଲ ଭିଡିଓରେ ଭାବିଜୀ ପାମ୍ପଡକୁ ଲଞ୍ଚ କରୁଥିବା ଦେଖିବାକୁ ମିଳୁଛି। ବିଜେପି ଟିକେଟରେ ବିକାନେରରୁ ସାଂସଦ ହୋଇଥିବା ମେଘୱାଲ ଦୁଇ ହାତରେ ଭାବିଜୀ ପାମ୍ପଡର ପ୍ୟାକେଟ ଧରିଛନ୍ତି।
ଏହି ସମୟରେ ସେ କହିଛନ୍ତି ଯେ “ଆତ୍ମନିର୍ଭର ଭାରତ ଅଭିଯାନ ଯୋଜନାରେ ଏହି ପାମ୍ପଡର ଉତ୍ପାଦନ ବୃଦ୍ଧି କରାଯାଇଛି। ଏହି ପାମ୍ପଡ ଖାଇଲେ ଆଣ୍ଟିବଡି ଫର୍ମେସନ ହେବ ଓ ଜଣେ ବ୍ୟକ୍ତି କରୋନା ସହ ଲଢ଼େଇ କରିପାରିବ। ଆମେ ପାମ୍ପଡ ପ୍ରସ୍ତୁତ କରିଥିବା କମ୍ପାନୀକୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛୁ। କାରଣ କମ୍ପାନୀ ପକ୍ଷରୁ ଆତ୍ମନିର୍ଭର ଭାରତ ଯୋଜନାରେ ଏଭଳି ଅଭିଯାନ ଆରମ୍ଭ କରାଯାଇଛି।”
Is it possible either @DelhiPolice or @PoliceRajasthan take suo moto action against @arjunrammeghwal
ji for spreading fake and unscientific information during pandemic. pic.twitter.com/wjAeAVEcP6— Hitendra Pithadiya 🇮🇳 (@HitenPithadiya) July 24, 2020
ମେଘୱାଲଙ୍କ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତି ଭିଡିଓକୁ ପୋଷ୍ଟ କରି କହିଛନ୍ତି, “କ’ଣ ଏବେ ଦିଲ୍ଲୀ କିମ୍ବା ରାଜସ୍ଥାନ ପୁଲିସ୍ ମହାମାରୀ ସମୟରେ ଫେକ୍ ଓ ବିଭ୍ରାନ୍ତ କରିବା ଭଳି ତଥ୍ୟ ଦେଉଥିବା କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ନିଜ ଆଡ଼ୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ?”
ଭାବିଜୀ ପାମ୍ପଡ ପ୍ରସ୍ତୁତ କରୁଥିବା କମ୍ପାନୀ ବିକେନାରରେ ତା’ର ଉତ୍ପାଦନ ୟୁନିଟ ରଖିଛି। କମ୍ପାନୀ କହିଛି ଯେ ଏହି ପାମ୍ପଡରେ ଗିଲୋଇ ଓ ଅନ୍ୟାନ୍ୟ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଜିନିଷ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।