ନୂଆଦିଲ୍ଲୀ: ବିଭିନ୍ନ ରାଷ୍ଟ୍ରମାନଙ୍କ ପାଇଁ ବିକାଶମୂଳକ ନୀତି ପ୍ରଣୟନ କରୁଥିବା ଜାତିସଂଘ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ସ୍ଥିତି ଏମିତି ଯେ ଯଦି ଏନେଇ ବିହିତ ପଦକ୍ଷେପ ନ ନିଆଯାଏ ଡିସେମ୍ବର ପରଠାରୁ ଏହା ଠିକ୍ରେ କାର୍ଯ୍ୟ କରିବା ବନ୍ଦ କରିଦେବ। ଏଭଳି ଜରୁରୀକାଳୀନ ସ୍ଥିତିରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗଟ୍ରେସ୍ ଖର୍ଚ୍ଚ କାଟ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିଯୁକ୍ତିରେ ବିରତି ଦେବା ସହ ବୈଠକ ସବୁ ବାତିଲ କରାଯାଉଥିବା ସୂଚନା ମିଳିଛି। ଏପରିକି ଏସ୍କାଲଟର୍ ବ୍ୟବହାର ବନ୍ଦ କରାଯାଇଛି, ଅଫିସିଆଲ ଗସ୍ତ ବନ୍ଦ କରାଯାଇଛି, ଏସି ଏବଂ ରୁମ୍ ହିଟର ଆଦିର ବ୍ୟବହାର ମଧ୍ୟ କରାଯାଇଛି।
ବିଶ୍ୱର ପ୍ରମୁଖ ଅନୁଷ୍ଠାନ ଜାତିସଂଘର ସ୍ଥିତି ଅଧିକ ବିଗିଡ଼ିବାରୁ ବଞ୍ଚାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। କୁହାଯାଉଛି ଗତ କିଛି ଦଶନ୍ଧିରେ ଏହି ସଙ୍କଟ ସବୁଠାରୁ ଭୟଙ୍କର।
ଗଟ୍ରେସ୍ ଜାତିସଂଘ ସହ ଜଡ଼ିତ ଅନ୍ୟ ଅନୁଷ୍ଠାନକୁ ଲେଖିଛନ୍ତି, ଆଗାମୀ ନୋଟିସ୍ ପର୍ଯ୍ୟନ୍ତ ଏଭଳି କଟକଣା ବଳବତ୍ତର ରହିବ।
ତେବେ ପ୍ରଶ୍ନ ଉଠୁଛି ଏଭଳି ସ୍ଥିତି କାହିଁକି ଉପୁଜିଲା ଏବଂ ଏହାର ଆୟର ଉତ୍ସ କେଉଁଠୁ। ୟୁଏନ୍ ଚାର୍ଟର ଅନୁଯାୟୀ ପ୍ରତିବର୍ଷ ସଦସ୍ୟ ରାଷ୍ଟ୍ରମାନେ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଦେଇଥା’ନ୍ତି। ଜାତିସଂଘର ଅନୁଛେଦ ୧୭ରେ ମଧ୍ୟ ବର୍ଣ୍ଣିତ ରହିଛି, ଏହି ସଂସ୍ଥାର ଖର୍ଚ୍ଚ ସଦସ୍ୟ ରାଷ୍ଟ୍ରମାନେ ବହନ କରିବେ।
ରାଷ୍ଟ୍ରମାନେ ନିଜର ବାର୍ଷିକ ଜାତୀୟ ଆୟ ଅନୁଯାୟୀ ଅର୍ଥ ଦେଉଥିବାରୁ ଏହା ବିଭିନ୍ନ ରାଷ୍ଟ୍ର ପାଇଁ ଭିନ୍ନ। ଜାତିସଂଘର ସ୍ଥାୟୀ ସଦସ୍ୟ ଯେପରିକି ଆମେରିକା, ବ୍ରିଟେନ୍, ଫ୍ରାନ୍, ଚାଇନା ଏବଂ ରୁଷ୍ ସବୁଠାରୁ ଅଧିକ ଅର୍ଥ ଦେଇଥା’ନ୍ତି। ଆମେରିକା ସର୍ବାଧିକ ଅର୍ଥାତ ମୋଟ ବଜେଟ୍ର ୨୨% ଅର୍ଥ ଦେଇଥାଏ। ରୁଷ୍ ୨.୪୦%, ବ୍ରିଟେନ୍ ୪.୫%, ଫ୍ରାନ୍ସ ୪.୪୨% ଏବଂ ଚାଇନା ୧୨% ଦେଇଥାଏ। ଭାରତର ଏଥିରେ ଅବଦାନ ୦.୮୩୪%। ଏହା ବିଭିନ୍ନ ସମୟରେ ବଦଳାଇଥାଏ।
ତେବେ ଅକ୍ଟୋବର ୪ ସୁଦ୍ଧା ୬୫ଟି ରାଷ୍ଟ୍ର ଏହି ଅର୍ଥ ଭରିନାହାନ୍ତି। ଏହାର ରାଷିକୃତ ପରିମାଣ ୧୩୮ କୋଟି ଡଲାର ହେଲାଣି। ଏହା ହିଁ ଜାତିସଂଘକୁ ଅଡ଼ୁଆରେ ପକାଇଛି।
କୁହାଯାଉଛି ଡିସେମ୍ବର ପରଠାରୁ ଏହା କର୍ମଚାରୀଙ୍କୁ ମଧ୍ୟ ଦରମା ଦେଇପାରିବନି। ଏହାପରେ ଗଟ୍ରେସ୍ ୬୫ଟି ରାଷ୍ଟ୍ରଙ୍କୁ ଆହ୍ୱାନ କରିଛନ୍ତି, ସେମାନେ ଏହି ଅର୍ଥ ଯଥା ଶୀଘ୍ର ଭରନ୍ତୁ। ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୭୮% ଅର୍ଥ ବକେୟା ପଡ଼ିଛି। ଜାତିସଂଘର କାର୍ଯ୍ୟକ୍ରମ ଏବଂ ପରିଚାଳନା ପ୍ରଭାବିତ ହେଲେ ସମସ୍ତ ରାଷ୍ଟ୍ରଙ୍କ ପାଇଁ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।