ଚଣ୍ଡିଗଡ଼: ପଞ୍ଜାବ ଚଣ୍ଡିଗଡ଼ ଲୋକସଭା ଆସନ ପାଇଁ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁଙ୍କ ସ୍ତ୍ରୀ ନବଜୋତ କୋର ସିଦ୍ଧୁଙ୍କୁ ଟିକେଟ ମିଳି ନାହିଁ। ତେବେ ଟିକେଟ ନମିଳିବାକୁ ନେଇ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ। ଟିକେଟ ନମିଳିବା ପଛରେ ରାଜ୍ୟ କଂଗ୍ରେସ ମୁଖିଆ ତଥା ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଓ ପ୍ରଭାରୀ ଆଶା କୁମାରୀଙ୍କୁ ଦାୟୀ କରିଛନ୍ତି ସିଦ୍ଧୁଙ୍କ ପତ୍ନୀ।
ଯାହାର ଜବାବ ରଖି ମୁଖ୍ୟମନ୍ତ୍ରୀ କ୍ୟାପଟନେ ଅମରିନ୍ଦର ସିଂହ ଗତକାଲି କହିଥିଲେ ଲୋକସଭା ଟିକେଟ ଦିଲ୍ଲୀରେ ସ୍ଥିର ହୁଏ। ଦିଲ୍ଲୀ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ପଞ୍ଜାବ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ କରିଥାଏ। ତେବେ ସିଦ୍ଧୁଙ୍କ ସ୍ତ୍ରୀଙ୍କୁ ଭାଟିଣ୍ଡା ଏବଂ ଅମରିତସର ଲୋକସଭା ଆସନ ପାଇଁ ଦଳ ଟିକେଟ ଅଫର କରିଥିଲା। ହେଲେ ଏହି ଦୁଇ ଆସନରେ ପ୍ରାର୍ଥୀ ହେଲେ ଜିତିବା ଆଶା ଅଧିକ ନଥିବାରୁ ଟିକେଟ ନେବାକୁ ନବଜୋତ କୋର ମନା କରିଦେଇଥିଲେ ବୋଲି ଅମରିନ୍ଦର ସିଂହ କହିଥିଲେ।
ସୂଚନାଯୋଗ୍ୟ ଯେ ସିଦ୍ଧୁଙ୍କ ସ୍ତ୍ରୀ ନବଜୋତ କୋର ସିଦ୍ଧୁ ଚଣ୍ଡିଗଡ ଲୋକସଭା ଆସନରୁ ପ୍ରାର୍ଥୀ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏ ନେଇ ନେତୃବୃନ୍ଦଙ୍କୁ ଅବଗତ ମଧ୍ୟ କରାଇଥିଲେ। ହେଲେ ଦଳ ନବଜୋତ କୋରଙ୍କ ଆବେଦନକୁ ଗ୍ରହଣ କରନିଥିଲା। ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପବନ କୁମାର ବଂଶଲଙ୍କୁ ଦଳ ଚଣ୍ଡିଗଡ ଲୋକସଭା ଆସନରୁ ପ୍ରାର୍ଥୀ କରିଛି।
ତେବେ ଅନ୍ତିମ ପର୍ଯ୍ୟାୟରେ ମଧ୍ୟ ଅମରିତସର ଲୋକସଭା ଆସନରୁ ନୋବଜୋତ କୋର ପ୍ରାର୍ଥୀ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। ହେଲେ ଦଳ ତାଙ୍କୁ ନଦେଇ ବର୍ତ୍ତମାନର ସାଂସଦ ଗୁରଜିତଙ୍କୁ ଦଳ ପ୍ରାର୍ଥୀ କରିଛି। କାରଣ ୨୦୧୪ରେ ଅମରିତସର ଲୋକସଭା ଆସନରେ ନିଜେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ପ୍ରାର୍ଥୀ ହୋଇ ବିଜେପି ପ୍ରାର୍ଥୀ ଅରୁଣ ଜେଟଲୀଙ୍କୁ ହରାଇ ଥିଲେ। ତେବେ ପଞ୍ଜାବରେ କଂଗ୍ରେସ ସରକାର ଗଢ଼ିବା ପରେ ଏହି ଆସନ ଛାଡି ଦେଇଥିଲେ ଅମରିନ୍ଦର ସିଂହ। ଉପନିର୍ବାଚନରେ ଗୁରଜିତ ସିଂହ ଅଉଜିଲା ବିଜୟ ହୋଇ ସାଂସଦ ହୋଇଥିଲେ।
ପଞ୍ଜାବରେ ୧୩ଟି ଲୋକସଭା ଆସନ ରହିଛି ଏହି ସମସ୍ତ ଆସନରେ କଂଗ୍ରେସ ଜିତିବ ବୋଲି ଦଳ ଆଶା ରଖିଛି। ଯଦି ସମସ୍ତ ଆସନରେ ଚଳିତ ଥର କଂଗ୍ରେସ ହାରି ଯାଏ ତାହେଲେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଅମରିନ୍ଦର କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।