ଜାତିସଂଘ: କରୋନା ଭାଇରସ ସମଗ୍ର ବିଶ୍ୱର ନିରାପତ୍ତା ପାଇଁ ବିପଦ। ଆଗାମୀ ଦିନରେ ଆତଙ୍କବାଦୀମାନେ ଏହି ଭାଇରସକୁ ଜୈବିକ ବୋମା ଭାବେ ବ୍ୟବହାର କରିପାରନ୍ତି। ଗୁରୁବାର ଜାତିସଂଘ ସୁରକ୍ଷା ପରିଷଦ ବୈଠକ ପରେ ଏଭଳି ମତ ରଖିଛନ୍ତି ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ। ଆଗାମୀ ଦିନରେ ଏହି ଭାଇରସ ସାମାଜିକ ଅସ୍ଥିରତା ଏବଂ ହିଂସା ସୃଷ୍ଟି କରିପାରେ। କୋଭିଡ-୧୯ ମହାମାରୀ ସର୍ବପ୍ରଥମେ ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରୁଛି। ଏହାର ପ୍ରଭାବ ମଧ୍ୟ ଅଧିକ ରହିଛି। ଅନ୍ତର୍ଜାତୀୟ ଶାନ୍ତି ଏବଂ ନିରାପତ୍ତା ରକ୍ଷଣାବେକ୍ଷଣ ପାଇଁ ଏହା ବିପଦ ବୋଲି ସେ କହିଛନ୍ତି।
କରୋନା ଭାଇରସ ଏଯାବତ ୨୦୯ଟି ଦେଶକୁ ବ୍ୟାପିଛି। ହେଲେ ଏଯାବତ ନିରବ ଥିବା ଜାତିସଂଘ ଶେଷରେ ମତ ରଖିଛି। ଗୁରୁବାର ଏହି ବିଶ୍ୱମହାମାରୀ ସମ୍ପର୍କରେ ବୈଠକ କରି ମତ ରଖିଛି। ଏହି ମହାମାରୀରେ ଯେଉଁ ଦେଶ କ୍ଷତିଗ୍ରସ୍ତ ହୋଇଛି ସମସ୍ତଙ୍କୁ ଜାତିସଂଘ ସହଯୋଗ କରିବ। ଏଥିସହ ସମସ୍ତ ଦେଶକୁ ଏକାଠି ହୋଇ କରୋନାର ମୁକାବିଲା କରିବା ପାଇଁ ଗୁଟେରସ ଆହ୍ୱାନ କରିଛନ୍ତି।
ଯେତେବେଳେ ଅଧିକାଂଶ ସରକାରଙ୍କ ଦୃଷ୍ଟି କରୋନା ଭାଇରସ ମହାମାରୀ ଉପରେ ରହିଛି ସେତେବେଳେ ଆତଙ୍କବାଦୀମାନେ ଆକ୍ରମଣ ପାଇଁ ସୁଯୋଗ ଖୋଜୁଥାଇପାରନ୍ତି ବୋଲି ସେ କହିଛନ୍ତି।