ଲକ୍ଷ୍ନୌ: ଗତ କିଛି ଦିନତଳେ ହତ୍ୟାର ଶିକାର ହୋଇଥିବା ହିନ୍ଦୁବାଦୀ ନେତା କମଲେଶ ତିୱାରୀଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଶୁକ୍ରବାର ଲକ୍ଷ୍ନୌଠାରେ ଏହି ହତ୍ୟାକାଣ୍ଡ ଘଟିଥିଲା। ସୂଚନାଯୋଗ୍ୟ ଯେ, ତିୱାରୀ ହିନ୍ଦୁ ମହାସଭା ସହ ଜଡ଼ିତ ଏକ ରାଜନୀତିକ ଦଳ ହିନ୍ଦୁ ସମାଜ ପାର୍ଟି ପାଇଁ କାମ କରୁଥିଲେ।
ଆଜି ତିୱାରୀଙ୍କ ମା’, ପତ୍ନୀ ଏବଂ ୩ ପୁଅ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନଠାରେ ୩୦ ମିନିଟ୍ ଧରି ଆଲୋଚନା କରିଥିଲେ। ସୂଚନାଯୋଗ୍ୟ ଯେ, ତିୱାରୀଙ୍କୁ ତାଙ୍କ ଘରେ ହିଁ ହତ୍ୟା କରାଯାଇଥିଲା। ହିନ୍ଦୁତ୍ୱ ସମର୍ଥନରେ ବହୁ ମନ୍ତବ୍ୟ ଦେଇ ସେ ଚର୍ଚ୍ଚାରେ ରହିଆସିଥିଲେ। ତେବେ ୨୦୧୫ ମସିହାରେ ପ୍ରଫେଟ୍ ମହମ୍ମଦଙ୍କ ବାବଦରେ ସେ ଦେଇଥିବା ମନ୍ତବ୍ୟ କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି।
ତେବେ ତାଙ୍କ ହତ୍ୟା ପରେ ତାଙ୍କର ଅନ୍ତିମ ସଂସ୍କାର ବିଳମ୍ବିତ ହୋଇଥିଲା। ତିୱାରୀଙ୍କ ପରିବାର ଲୋକେ ୯ଟି ଦାବି ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଜିଦ୍ ଧରିଥିଲେ। ସେମାନେ ଏନ୍ଆଇଏ ତଦନ୍ତ, ଜଣଙ୍କୁ ସରକାରୀ ଚାକିରି ଏବଂ ସୁରକ୍ଷା ଆଦି ଦାବି କରିଥିଲେ।
ଏହାପରେ ତିୱାରୀଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଯୋଗୀ ଏହି ହତ୍ୟାକାଣ୍ଡକୁ ‘ଭୟ ସୃଷ୍ଟି’ ଉଦ୍ଦିଷ୍ଟ ବୋଲି କହିଥିଲେ। ସେ କହିଥିଲେ, ଏହି ମାମଲାରେ ୫ ଜଣଙ୍କୁ ପୁଲିସ୍ ହେପାଜତକୁ ନିଆଯାଇଛି। ୩ ଜଣଙ୍କୁ ଗୁଜରାଟରୁ ଏବଂ ୨ ଜଣଙ୍କୁ ଉତ୍ତରପ୍ରଦେଶରୁ ପୁଲିସ୍ ନିଜ ହେପାଜତକୁ ଆଣିଛି। ଏହି ମାମଲାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତ ଟିମ୍ (ଏସ୍ଆଇଟି) ଗଠନ କରାଯାଇଛି।
ଯୋଗୀ କହିଛନ୍ତି, ଏହି ହତ୍ୟାକାରୀଙ୍କୁ ସୁରକ୍ଷାକର୍ମୀ ସେତେବେଳେ ଭେଟିବାକୁ ଅନୁମତି ଦେଇଥିଲେ ଯେତେବେଳେ ନିଜେ ତିୱାରୀ ଏଥିପାଇଁ ହଁ ଭରିଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ହତ୍ୟାକାରୀମାନେ ତିୱାରୀଙ୍କ ସହ ବସି ଚା’ ପିଥିଲେ ଏବଂ ତାଙ୍କ ଘନିଷ୍ଠ ସହଯୋଗୀ ଓ ପୁଅଙ୍କୁ ବଜାର ପଠାଇଦେଇଥିଲେ। ଏହି ସମୟରେ ହିଁ ହତ୍ୟା ହୋଇଥିଲା।