ସୋନଭଦ୍ରା ଗଣହତ୍ୟାର ମୁଖ୍ୟଅଭିଯୁକ୍ତ ସମାଜବାଦୀ ପାର୍ଟି ନେତା !

ଲକ୍ଷ୍ନୌ: ଜମି ବିବାଦକୁ ନେଇ ଉତ୍ତର ପ୍ରଦେଶ ସୋନଭଦ୍ରା ଜିଲ୍ଲାରେ ସଂଘଟିତ ଗଣହତ୍ୟା ପରେ ପୀଡ଼ିତଙ୍କ ପରିବାରଙ୍କୁ ଆଜି ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହି ନରସଂହାର ପାଇଁ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ଦାୟୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ହତ୍ୟାକାଣ୍ଡ ପଛରେ ମନ୍ଦ ରାଜନୀତିକ ଉଦ୍ଦେଶ୍ୟ ରହିଛି ବୋଲି ସେ କହିଛନ୍ତି। ଏହି ହତ୍ୟାକାଣ୍ଡ ଦଳିତ ଓ ଆଦିବାସୀଙ୍କ ଚେହେରା ବୋଲି କହି ରାଜନୀତି କରୁଥିବା ବିରୋଧୀ ଦଳର ନେତାମାନଙ୍କ ମୁଖା ଖୋଲିଦେଇଛି ବୋଲି […]

yogi

Subhransu Sekhar
  • Published: Sunday, 21 July 2019
  • , Updated: 21 July 2019, 04:38 PM IST

ଲକ୍ଷ୍ନୌ: ଜମି ବିବାଦକୁ ନେଇ ଉତ୍ତର ପ୍ରଦେଶ ସୋନଭଦ୍ରା ଜିଲ୍ଲାରେ ସଂଘଟିତ ଗଣହତ୍ୟା ପରେ ପୀଡ଼ିତଙ୍କ ପରିବାରଙ୍କୁ ଆଜି ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହି ନରସଂହାର ପାଇଁ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ଦାୟୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ହତ୍ୟାକାଣ୍ଡ ପଛରେ ମନ୍ଦ ରାଜନୀତିକ ଉଦ୍ଦେଶ୍ୟ ରହିଛି ବୋଲି ସେ କହିଛନ୍ତି। ଏହି ହତ୍ୟାକାଣ୍ଡ ଦଳିତ ଓ ଆଦିବାସୀଙ୍କ ଚେହେରା ବୋଲି କହି ରାଜନୀତି କରୁଥିବା ବିରୋଧୀ ଦଳର ନେତାମାନଙ୍କ ମୁଖା ଖୋଲିଦେଇଛି ବୋଲି ସେ କହିଛନ୍ତି। କାରଣ ହତ୍ୟାକାଣ୍ଡରେ ଗିରଫ ହୋଇଥିବା ଅଭିଯୁକ୍ତ ଯୋଗ୍ୟ ଦତ୍ତ ସେହି ବିବାଦୀୟ ଜମିର ମାଲିକ ତଥା ସମାଜବାଦୀ ପାର୍ଟିର ନେତା ବୋଲି ଜଣାପଡ଼ିଛି।

ଏହାସହ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭାଡ୍ରାଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ଯୋଗୀ। ସେ କହିଛନ୍ତି, ପ୍ରିୟଙ୍କା ଯେଉଁ ସୋନଭଦ୍ରା ଗୁଳିକାଣ୍ଡ ଘଟଣାକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ସେହି ଜଘନ୍ୟ ଘଟଣା ପାଇଁ ତାଙ୍କରି ଦଳର ନେତାଙ୍କୁ ପୁଲିସ ଏବେ ଅଟକ ରଖିଛି।

ଏହି ହତ୍ୟାକାଣ୍ଡ ଘଟଣା ପାଇଁ ୧୯୫୫ରେ କ୍ଷମତାସୀନ ଥିବା କଂଗ୍ରେସ ସରକାର ଏହି ଗୁଳିକାଣ୍ଡ ପାଇଁ ଦାୟୀ। କାରଣ ଉତ୍ତର ପ୍ରଦେଶରେ କଂଗ୍ରେସ କ୍ଷମତାରେ ଥିବା ବେଳେ ଲୋକଙ୍କ ଜମି ହଡ଼ପ କରିବାକୁ ଏକ ଆଦର୍ଶ ସୋସାଇଟି ଗଠନ କରାଯାଇଥିଲା। ୧୯୫୫ରେ ଏହି ବିବାଦୀୟ ଜମିକୁ ଆଦର୍ଶ ସୋସାଇଟିକୁ ଦିଆଯାଇଥିଲା। ୧୯୮୯ ଯାଏ ଆଦର୍ଶ ସୋସାଇଟି ଅଧୀନରେ ଏହି ଜମି ରହିଥିଲା। ୧୯୮୯ରେ କଂଗ୍ରେସ କ୍ଷମତାରେ ଥିବା ବେଳେ ଆଦର୍ଶ ସୋସାଇଟି ହିଁ ଏହି ଜମିକୁ ଜଣେ ବ୍ୟକ୍ତିଙ୍କ ନାଁରେ କରିଦେଇ ଥିଲା। ୨୦୧୭ରେ ଉକ୍ତ ବ୍ୟକ୍ତି ଉଭାର ଗ୍ରାମପ୍ରଧାନଙ୍କୁ ଏହି ଜମି ବିକ୍ରି କରିଦେଇଥିଲେ। ତେଣୁ କଂଗ୍ରେସର ପାପ ପାଇଁ ଆଜି ୧୦ଜଣ ଆଦିବାସୀମାନେ ପ୍ରାଣ ହରାଇଛନ୍ତି ବୋଲି ଯୋଗୀ କହିଛନ୍ତି।

ସୂଚନାଯୋଗ୍ୟ, ୧୭ ତାରିଖ ଦିନ ଜମି ବିବାଦକୁ ନେଇ ଘଟିଥିବା ଗୁଳିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଆହତ ହୋଇଥିଲେ। ଏଯାଏ ଗାଁ ମୁଖିଆ ଯୋଗ୍ୟ ଦତ୍ତଙ୍କ  ସମେତ ୩୦ ଜଣଙ୍କୁ ପୁଲିସ ଅଟକ ରଖିଛି। ଖୁବଶୀଘ୍ର ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ଜମି ବିବାଦର ସମାଧାନ ପାଇଁ ରାଜସ୍ୱ ସଚିବଙ୍କ ନେତୃତ୍ୱରେ ଗଠିତ ଅଫିସରଙ୍କ ଟିମ୍ ୧୦ ଦିନ ମଧ୍ୟରେ ରିପୋର୍ଟ ଦେବ ବୋଲି ସେ କହିଛନ୍ତି।

ଏଥିସହ ଯୋଗୀ ସରକାର ମୃତକଙ୍କ ପରିବାରକୁ ୧୮ ଲକ୍ଷ ଟଙ୍କା ଏବଂ ଆହତଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରିଛନ୍ତି। ପୂର୍ବରୁ ଏହାର ପରିମାଣ ଯଥାକ୍ରମେ  ୨.୫ ଲକ୍ଷ ଏବଂ ୫୦ ହଜାର ଟଙ୍କା ଥିଲା।

Related story