ଲକ୍ଷ୍ମୌ: କରୋନା ଭାଇରସ ସଂକ୍ରମଣ ରୋକିବାକୁ ସାରା ଦେଶରେ ଏବେ ୨୧ ଦିନିଆ ଲକ୍ଡାଉନ୍ ପାଳନ ହେଉଛି। ଏହି ସମୟରେ ଅନେକ ଛୋଟ ବଡ଼ ଶିଳ୍ପ ବନ୍ଦ ରହିଥିବାରୁ ଦିନମଜୁରିଆ, ଶ୍ରମିକ ଚାକିରି ହରାଇବା ସହିତ ରାସ୍ତାକୁ ଚାଲି ଆସିଛନ୍ତି। ପରିବହନ ସେବା ବନ୍ଦ ଥିବାରୁ ଅନେକ ଶ୍ରମିକ ଚାଲି ଚାଲି ଶହ ଶହ କିଲୋମିଟର ଦୂରରେ ଥିବା ତାଙ୍କ ଘରକୁ ଯାଉଛନ୍ତି। ଏଭଳି ଦୟନୀୟ ସ୍ଥିତି ଦେଖିବା ପରେ ଏମାନଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ଓ ପରିବହନ କଥା ନିଜେ ବୁଝିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ରାତି ଅଧରେ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରି ବସରେ ଏମାନଙ୍କୁ ତାଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାର ବ୍ୟବସ୍ଥା କରିଛନ୍ତି ସରକାର।
ଉତ୍ତର ପ୍ରଦେଶର ସୀମାବର୍ତ୍ତୀ ଜିଲ୍ଲାରେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇ ଏଭଳି ଶ୍ରମିକଙ୍କୁ ତାଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାକୁ ଯୋଗୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ସମସ୍ତ ଶ୍ରମିକ, ଦିନ ମଜୁରିଆଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ଉତ୍ତର ପ୍ରଦେଶ ପରିବହନ ସେବା ଅଧିନରେ ଥିବା ହଜାରେ ବସକୁ ନିୟୋଜିତ କରାଯାଇଛି।
ବସରେ ଏହି ଲୋକଙ୍କୁ ଉଠାଇାବା ପୂର୍ବରୁ ଜିଲ୍ଲା ପ୍ରଶାସନ ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରିବେ। ଏମିତିକି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରିବେ। ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ସେମାନଙ୍କର ଫୋନ୍ ନମ୍ୱର, ଘର ଠିକଣା, ସ୍ୱାସ୍ଥ୍ୟ ରିପୋର୍ଟ ଆଦି ଜିଲ୍ଲା ପ୍ରଶାସନ ରଖିବେ।
ପରିବହନ ବିଭାଗର ଅଧିକାରୀ, ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ଶୁକ୍ରବାର ରାତିରେ ନୋଏଡା, ଗାଜିଆବାଦ, ବୁଲନ୍ଦସହର ଏବଂ ଅଲିଗଡରେ ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ଯୋଗାଯୋଗ କରାଯାଇଥିବା ସରକାର କହିଛନ୍ତି।
ଶନିବାର ସକାଳେ ବରିଷ୍ଠ ପୋଲିସ ଅଧିକାରୀ ଲକ୍ଷ୍ନୌ ସ୍ଥିତ ଚାରବାଗ ବସ୍ ଷ୍ଟେସନରେ ପହଞ୍ଚି ସେଠାରେ ପହଞ୍ଚୁଥିବା ଲୋକଙ୍କୁ ଖାଦ୍ୟ ଏବଂ ପାନୀୟ ବ୍ୟବସ୍ଥା ବୁଝିଥିଲେ।
ଏହାପରେ ବସ ଗୁଡ଼ିକ କାନପୁର, ବଳିଆ, ବାରଣାସୀ, ଗୋରଖପୁର, ଆଜମଗଡ, ଫୈଜାବାଦ, ବସ୍ତି, ପ୍ରତାପଗଡ, ସୁଲତାନପୁର, ଆମେଠି, ରାଏ ବରେଲି, ଗୌଣ୍ଡା, ଏଟାଓ୍ୱା ଆଦିକୁ ବାହାରିଛି।