ନୂଆଦିଲ୍ଲୀ: ରାଜସ୍ଥାନର କୋଟାରେ ଅଟକି ରହିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୩୦୦ ବସ୍ ପଠାଇଛନ୍ତି। ଅନ୍ୟପକ୍ଷରେ ଏହାକୁ ଅନ୍ୟାୟ କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ସେ କହିଛନ୍ତି କରୋନା ବ୍ୟାପିବାକୁ ରୋକିବା ପାଇଁ କରାଯାଇଥିବା ଲକ୍ଡାଉନ୍ର ନିୟମ ବିରୋଧୀ ଏହି ପଦକ୍ଷେପ।
ଏହା ପୂର୍ବରୁ ଉତ୍ତରପ୍ରଦେଶର ବିଜେପି ସରକାର କୋଟା ଏବଂ ଝାନ୍ସିରୁ ବସ୍ ପଠାଇଥିଲେ। କୋଟାରେ ବହୁତ କୋଚିଂ ସେଣ୍ଟର ରହିଥିବାରୁ ସେଠାରେ ଉତ୍ତରପ୍ରଦେଶରୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ପଢ଼ାପଢ଼ି ପାଇଁ ଯାଇଥା’ନ୍ତି। ତେବେ ଲକ୍ଡାଉନ୍ ପରେ ସେମାନେ ଅଟକି ଯାଇଥିଲେ। ଏହି ସହରରେ ଏବେ ସୁଦ୍ଧା ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ତେବେ ବିଜେପିର ସହଯୋଗୀ ଦଳ ଜେଡିୟୁ ମୁଖ୍ୟ ନୀତୀଶ କହିଛନ୍ତି, ଯୋଗୀଙ୍କ ଏହି ପଦକ୍ଷେପ ଫଳରେ ସାମାଜିକ ଦୂରତାର ଉଦ୍ଦେଶ୍ୟ ସାଧିତ ହୋଇପାରିବନି। ସେ କହିଛନ୍ତି ଶ୍ରମିକମାନେ ନିଜ ରାଜ୍ୟକୁ ଫେରିପାରୁନାହାନ୍ତି, କିନ୍ତୁ ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି।
ଏହା ପୂର୍ବରୁ ୩୦୦ ଛାତ୍ରଛାତ୍ରୀ ଅନୁମତି ସହିତ ଟ୍ୟାକ୍ସି ଯୋଗେ ପାଟନାରେ ପହଞ୍ଚିଥିଲେ ମଧ୍ୟ ଏହାକୁ ବିହାର ପକ୍ଷରୁ ବିରୋଧ କରାଯାଇଥିଲା। ଏମାନଙ୍କୁ ଅନୁମତି ମିଳିବା ପାଣ୍ଡୋରା ବକ୍ସ ଖୋଲିବା ସହ ସମାନ ବୋଲି କୁହାଯାଇଥିଲା। ଯଦି ଛାତ୍ରଛାତ୍ରୀମାନେ ଆସିପାରୁଛନ୍ତି, ତାହାଲେ ଶ୍ରମିକମାନେ କାହିଁକି ଅଟକିବେ ବୋଲି ବିହାର ମୁଖ୍ୟ ଶାସନ ସଚିବ ପ୍ରଶ୍ନ ଉଠାଇଛନ୍ତି।