ହାଥରସ ଘଟଣାକୁ ଭୟଙ୍କର କହିଲେ ସୁପ୍ରିମକୋର୍ଟ, ସାକ୍ଷୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଯୋଗୀ ସରକାରଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶକୁ ଦୋହଲାଇ ଦେଇଥିବା ଉତ୍ତର ପ୍ରଦେଶ ହାଥରସ ଘଟଣା ଏବେ ସୁପ୍ରିମକୋର୍ଟରେ ପହଞ୍ଚି ଯାଇଛି। ପୂରା ଘଟଣାରେ ପୁଲିସ୍‌ ଓ ପ୍ରଶାସନର ଭୂମିକା ସନ୍ଦେହ ଘେରରେ ଥିବାରୁ ଏହାର ନିରପେକ୍ଷ ତଦନ୍ତ କରିବା ଦାବିରେ କିଛି ଲୋକ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରିଛନ୍ତି। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ହାଥରସ ଘଟଣାକୁ ପ୍ରବଳ ନିନ୍ଦା କରିଛନ୍ତି। ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ଶୁଣି କୋର୍ଟ ସ୍ତବ୍ଧ ହେବା ସହ […]

f

Hemant Lenka
  • Published: Tuesday, 06 October 2020
  • , Updated: 06 October 2020, 03:48 PM IST

ନୂଆଦିଲ୍ଲୀ: ଦେଶକୁ ଦୋହଲାଇ ଦେଇଥିବା ଉତ୍ତର ପ୍ରଦେଶ ହାଥରସ ଘଟଣା ଏବେ ସୁପ୍ରିମକୋର୍ଟରେ ପହଞ୍ଚି ଯାଇଛି। ପୂରା ଘଟଣାରେ ପୁଲିସ୍‌ ଓ ପ୍ରଶାସନର ଭୂମିକା ସନ୍ଦେହ ଘେରରେ ଥିବାରୁ ଏହାର ନିରପେକ୍ଷ ତଦନ୍ତ କରିବା ଦାବିରେ କିଛି ଲୋକ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରିଛନ୍ତି।

ଏହାର ଶୁଣାଣି କରି ସୁପ୍ରିମକୋର୍ଟ ହାଥରସ ଘଟଣାକୁ ପ୍ରବଳ ନିନ୍ଦା କରିଛନ୍ତି। ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ଶୁଣି କୋର୍ଟ ସ୍ତବ୍ଧ ହେବା ସହ ଏହାକୁ ଭୟଙ୍କର ବୋଲି ଅଭିହିତ କରିଛନ୍ତି। ଏଥିସହ ଘଟଣାର ସଠିକ ତଦନ୍ତ ହେବ ବୋଲି କୋର୍ଟ ପ୍ରତିଶ୍ରୁତି ଦେଇଛନ୍ତି। ଘଟଣାର ତଦନ୍ତ ବେଳେ ସାକ୍ଷୀମାନଙ୍କ ସୁରକ୍ଷା ନିଶ୍ଚିତ କରିବାକୁ କୋର୍ଟ ଉତ୍ତର ପ୍ରଦେଶର କ୍ଷମତାସୀନ ଯୋଗୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଉତ୍ତର ପ୍ରଦେଶ ସରକାରୀ ହାଥରସ ଘଟଣାକୁ ନେଇ ତୀବ୍ର ସମାଲୋଚନା ହେବାରୁ ଏହାର ସିବିଆଇ ତଦନ୍ତ ସୁପାରିସ କରିଛନ୍ତି। ତେବେ ପୀଡ଼ିତାଙ୍କ ପରିବାର ଓ ସାମାଜିକ କର୍ମକର୍ତ୍ତା ସିବିଆଇ ତଦନ୍ତକୁ କୋର୍ଟ ମନିଟରିଂ କରନ୍ତୁ ବୋଲି ଦାବି କରି ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ଏହାର ଶୁଣାଣି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍ଏ ବୋବଡେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କରିଛନ୍ତି।

କୋର୍ଟ କହିଛନ୍ତି, ଅକ୍ଟୋବର ୮ ସୁଦ୍ଧା ସାକ୍ଷୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଉତ୍ତର ପ୍ରଦେଶ ସରକାର କ’ଣ ପଦକ୍ଷେପ ନେଇଛନ୍ତି, ସେକଥା ସତ୍ୟପାଠ ଜରିଆରେ ଜଣାଇବେ। ଆମେ ସମସ୍ତଙ୍କୁ ପ୍ରତିଶ୍ରୁତି ଦେବାକୁ ଚାହୁଁଛୁ ଯେ ହାଥରସ ଘଟଣାର ତଦନ୍ତ ଠିକ୍ ଭାବେ କରାଯିବ।

ଆଜି ଉତ୍ତର ପ୍ରଦେଶ ସରକାର ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ଦାଖଲ କରିଥିଲେ। ଏକଥା ସଲିସିଟର ଜେନେରାଲ ତୁଷାର ମେହେଟା କୋର୍ଟଙ୍କୁ ଜଣାଇଥିଲେ। ହେଲେ କୋର୍ଟ ଏହି ବିସ୍ତୃତ ତଥ୍ୟରେ ସନ୍ତୁଷ୍ଟି ଲାଭ ନ କରିବାକୁ ପୁଣିଥରେ ସତ୍ୟପାଠ ଜରିଆରେ ସମସ୍ତ ତଥ୍ୟ ଦେବାକୁ କହିଛନ୍ତି।

ମେହେଟା କହିଥିଲେ ଯେ କିଛି ଲୋକ ଜାଣିଶୁଣି ଓ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଉକ୍ତ ଘଟଣାରେ ମିଥ୍ୟା ତଥ୍ୟ ପ୍ରଚାର କରିବାରେ ଲାଗିଛନ୍ତି। ଏହାକୁ ଦୃଷ୍ଟିରେ ରଖି ୟୁପି ସରକାର ସିବିଆଇ ତଦନ୍ତର ସୁପାରିସ କରିଛନ୍ତି। ସୋଶାଲ ମିଡିଆରେ ଘଟଣା ସମ୍ପର୍କରେ ଅନେକ ପ୍ରକାରର ଖବର ପ୍ରସାରଣ କରାଯାଉଥିବା ମଧ୍ୟ ସେ କହିଥିଲେ। ହେଲେ କୋର୍ଟ ଯୋଗୀ ସରକାରଙ୍କୁ ନୋଟିସ କରିବା ସହ ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ଓକିଲ ଯୋଗାଇ ଦିଆଯାଇଛି କି ନାହିଁ ସେକଥା ପଚାରିଥିଲେ।

ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର ପାଇଁ ଓକିଲ କୀର୍ତ୍ତି ସିଂହ ନିବେଦନ କରିଥିଲେ। ଏହାର ଜବାବରେ କୋର୍ଟ କହିଛନ୍ତି, ଆହ୍ଲାବାଦ ହାଇକୋର୍ଟ ଘଟଣାର ଶୁଣାଣି କରୁଛନ୍ତି। ଆମେ ହାଇକୋର୍ଟଙ୍କ ରୁଲିଂ ମଧ୍ୟ ଜାଣିବା ଦରକାର। ଯଦି ହାଇକୋର୍ଟ କୌଣସି ଭୁଲ କରନ୍ତି, ତା’ହେଲେ ଆମେ ଏଠାରେ ରହିଛୁ ଓ ଘଟଣାର ଶୁଣାଣି କରିବୁ। ଘଟଣାର ଠିକ୍ ତଦନ୍ତ ପାଇଁ ଆମେ ଯତ୍ନବାନ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Related story