ନୂଆଦିଲ୍ଲୀ: କ୍ୟାଲେଣ୍ଡର ବଦଳି ନୂଆ ବର୍ଷ ଆରମ୍ଭ ହେବାକୁ ଥିବାବେଳେ ବିଶ୍ୱ ହିନ୍ଦୁ ପରିଷଦ ଏହି ବର୍ଷ ପାଇଁ ନିଜର ସଂକଳ୍ପ ଧାର୍ଯ୍ୟ କରିଛି। ଏଥିରେ ରାମ ମନ୍ଦିର ନିର୍ମାଣ ସ୍ଥାନ ପାଇଛି, ଯାହାକି ବେଶ କିଛି ବର୍ଷ ହେଲା ଦ୍ୱନ୍ଦ୍ୱରେ ଥିଲା। ସୁପ୍ରିମ୍କୋର୍ଟଙ୍କ ରାୟ ପରେ ସବୁ କିଛି ସ୍ପଷ୍ଟ ହୋଇ ସାରିଛି ଏବଂ ବିଶ୍ୱ ହିନ୍ଦୁ ପରିଷଦ ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିସାରିଛି।
ଏକ ବିବୃତିରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି, “ରାମ ଜନ୍ମ ଭୂମି ମନ୍ଦିର ନିର୍ମାଣରେ ରହିଥିବା ବାଧା ଦୂର ହୋଇଛି। ଯଦି ଶ୍ରୀରାମ ଚାହୁଁଥିବେ, ଅଯୋଧ୍ୟାସ୍ଥିତି ତାଙ୍କ ଜନ୍ମଭୂମିରେ ଏକ ଭବ୍ୟ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇପାରିବ।” ମେଙ୍ଗାଲୁରୁଠାରେ ଏହି ଅନୁଷ୍ଠାନର ୩ ଦିନିଆ କାର୍ଯ୍ୟକ୍ରମରେ ଏହି ବିବୃତି ଜାରି କରାଯାଇଛି।
ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆହ୍ୱାନ କରାଯାଇଛି, ସାରାଦେଶରେ ଆସନ୍ତା ବର୍ଷ ରାମୋତ୍ସବ ପାଳନ କରାଯାଉ। ଯେଉଁସବୁ ଗାଁ ରାମ ମନ୍ଦିର ପାଇଁ ଇଟା ପଠାଇଥିଲେ, ସେଠାରେ ବୃହତ ଉତ୍ସବ ହେବ। ଆସନ୍ତା ବର୍ଷ ବିଶ୍ୱ ହିନ୍ଦୁ ପରିଷଦର ୨ଟି ପ୍ରମୁଖ ଦିନ ହେଉଛି ରାମ ନବମୀ ବା ରାମଙ୍କ ଜନ୍ମ ଦିବସ ଏବଂ ହନୁମାନ ଜୟନ୍ତୀ। ଏହି ଦୁଇ ଦିନ ଯଥାକ୍ରମେ ଏପ୍ରିଲ ୨ ଏବଂ ଏପ୍ରିଲ ୮ରେ ପଡ଼ୁଛି। ବିଶ୍ୱ ହିନ୍ଦୁ ପରିଷଦ ଏହି ଅବସରରେ ବଡ଼ ଆକାରରେ ଉତ୍ସବ ମନାଇବ ବୋଲି କୁହାଯାଉଛି।
ସବୁଥର ପରି ଏଥର ମଧ୍ୟ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଜାତି ପ୍ରଥା ବିରୋଧରେ ସ୍ୱର ଉଠାଯିବ। ଅନ୍ୟ ପକ୍ଷରେ ଲଭ୍ ଜିହାଦ୍ ବିରୋଧରେ ମଧ୍ୟ କାର୍ଯ୍ୟକ୍ରମ ହେବ। ଏହି ସଂଗଠନର ଅଭିଯୋଗ ଅନୁଯାୟୀ ଲଭ୍ ଜିହାଦ୍ ନାମକ ପ୍ରକ୍ରିୟାରେ ହିନ୍ଦୁ ଝିଅଙ୍କ ଧର୍ମାନ୍ତରୀକରଣ କରାଯାଉଛି। ଅର୍ଥନୀତିକ ଏବଂ ଶୈକ୍ଷିକ ଅବନତି ବାବଦରେ ମଧ୍ୟ ଏଥିରେ ଚିନ୍ତା ପ୍ରକଟ କରାଯାଇଛି।
ଦକ୍ଷିଣ ଭାରତୀୟ ରାଜ୍ୟ ଆନ୍ଧ୍ର ଏବଂ ତେଲେଙ୍ଗାନା ସରକାର ହିନ୍ଦୁ ବିରୋଧୀ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରାଯାଇଛି। ସଂଗଠନ ପକ୍ଷରୁ କୁହାଯାଇଛି ହିନ୍ଦୁ ତୀର୍ଥ କ୍ଷେତ୍ରକୁ ଟାର୍ଗେଟ୍ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ସପ୍ତାହେ ତଳେ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ତେଲେଙ୍ଗାନାଠାରେ ଆୟୋଜିତ ଏକ ଆରଏସ୍ଏସ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କୁହାଯାଉଛି ଏହା ବିଜେପିର ୨୦୨୩ ବିଧାନସଭା ମିଶନ୍ର ଏକ ଅଙ୍ଗ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।