ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନର ସମସ୍ତ ପଦକ୍ଷେପକୁ କଡ଼ାକଡ଼ି ଭାବେ ଲାଗୁ କରାଯିବା ଜରୁରୀ। ତେବେ ଦେଶର ବିଭିନ୍ନ ସ୍ଥାନରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନର ଉଲ୍ଲଙ୍ଘନ କରାଯାଉଥିବାର ରିପୋର୍ଟ ହସ୍ତଗତ ହୋଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖି ଗାଇଡଲାଇନକୁ କଡ଼ାକଡ଼ି ଭାବେ ଲାଗୁ କରିବା ଲାଗି ନିର୍ଦ୍ଦେଶ ଦେଇଛି। ଏହାକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଜରୁରୀ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ଚିଠିରେ କୁହାଯାଉଛି।
ଗୃହ ମନ୍ତ୍ରଣାଳୟର ଗାଇଡଲାଇନ ଅନୁଯାୟୀ ବିଭିନ୍ନ ଜୋନ ନିର୍ଦ୍ଧାରଣ କରିବା ଏବଂ କଟକଣା ଲାଗୁ କରିବା କିମ୍ବା କଟକଣା କୋହଳ କରିବାର କ୍ଷମତା ବର୍ତ୍ତମାନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ପ୍ରଦାନ କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଗାଇଡଲାଇନକୁ ପାଳନ କରି କଣ୍ଟେନମେଣ୍ଟ ଜୋନ ନିର୍ଦ୍ଧାରଣ କରିବା ଏବଂ ଏହିସବୁ ଅଞ୍ଚଳରେ ଅବରୋଧ ପଦକ୍ଷେପକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ଲାଗି ଗୃହମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସୂଚୀତ କରାଯାଇଛି। ଉଲ୍ଲଙ୍ଘନ କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଏଥିରେ କୁହାଯାଇଛି।